କିଟ୍ ବିବାଦ: ୩ ନିର୍ଦ୍ଦେଶକ ଗିରଫ, ଆନ୍ତର୍ଜାତିକ ବ୍ୟାପାର ସହ ଜଡ଼ିତ ପଦାଧିକାରୀଙ୍କୁ ଛୁଇଁପାରୁନି ପୁଲିସ୍‌

କିଟ୍ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ ବ୍ୟାପାର ଉପସଭାପତି ଭାବେ ଦ୍ୱିତୀ ବିକ୍ରମାଦିତ୍ୟ ହେଉଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅତ୍ୟନ୍ତ ଖାସ୍ । ଆଉ ବିଜେଡି ସରକାରରେ ତୃତୀୟ ମହଲାରେ ବିକ୍ରମାଦିତ୍ୟଙ୍କ ଅଖଣ୍ଡ ପ୍ରଭାବ ରହିଥିଲା ।  ଆଇପିଏସ୍ ଅନୁପ ସାହୁ ଓ ତାଙ୍କ ଆଇଏଏସ୍ ପତ୍ନୀ ରୂପାରୋଶନ ସାହୁଙ୍କ ଘନିଷ୍ଠ ବନ୍ଧୁ ଭାବେ ବିକ୍ରମାଦିତ୍ୟଙ୍କର ପୁଲିସ ପ୍ରଶାସନରେ ପ୍ରଭାବ ରହିଥିବାରୁ ନେପାଳୀ ଛାତ୍ରଛାତ୍ରୀଙ୍କ ସମସ୍ୟା ସହ ଜଡ଼ିତ ବିଶ୍ୱବିଦ୍ୟାଳୟର ଇଂଟରନ୍ୟାସନାଲ ରିଲେସନ୍ ଅଫିସର ପଦାଧିକାରୀଙ୍କୁ ପୁଲିସ ଏପର୍ଯ୍ୟନ୍ତ ଗିରଫ ଅବା ଜେରା କରୁନଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି ।

Five Arrest

କିଟ୍‌ର ଗିରଫ ୫ କର୍ମଚାରୀ

Ordigital Desk
  • Published: Tuesday, 18 February 2025
  • , Updated: 18 February 2025, 09:02 PM IST

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାରପିଟ୍ ଘଟଣାରେ ଚାପ ବଢ଼ିବା ପରେ ପୁଲିସ  ୩ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି । ମାତ୍ର ମୃତା ନେପାଳୀ ଛାତ୍ରୀଙ୍କ ଅଭିଯୋଗକୁ ଭୃକ୍ଷେପ କରିନଥିବା ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ ବ୍ୟାପାର ସହ ଜଡ଼ିତ ପଦାଧିକାରୀମାନଙ୍କୁ ଛୁଇଁବାକୁ ପୁଲିସ ସାହାସ କରିପାରିନି । ଯଦିଓ ମୃତା ନେପାଳୀ ଛାତ୍ରୀଜଣକ କିଟ୍ କ୍ୟାମ୍ପସ ପରିସରରେ ଥିବା ଇଂଟରନ୍ୟାସନାଲ ରିଲେସନ୍ ଅଫିସ(ଆଇଆରଓ)ରେ ୩ଥର ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ମାରପିଟ୍ ଓ ଜବରଦସ୍ତି ହଷ୍ଟେଲରୁ ବିଦା କରିବା ଘଟଣାରେ ନେପାଳ ସରକାର ଉଦବେଗ ପ୍ରକାଶ କରିବା ପରେ ରାଜ୍ୟ ସରକାର ଆକ୍ସନମୋଡକୁ ଆସିଛନ୍ତି । ଭାରତ ଓ ନେପାଳ ସମ୍ପର୍କ ପ୍ରଭାବିତ ହେବାର ଆଶଙ୍କା କରି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ନେପାଳ ଛାତ୍ରୀମାନଙ୍କୁ ମାରପିଟ୍ କରିବା ଘଟଣାରେ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ପୁଲିସ୍ ଗିରଫ କରିଥିଲା । ମଙ୍ଗଳବାର କିଟ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ୩ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି । ପୁଲିସ ସୂତ୍ର ଅନୁସାରେ ଗିରଫ ହୋଇଥିବା ୩ଜଣ ନିର୍ଦ୍ଦେଶକ ହେଲେ- ବିଶ୍ୱବିଦ୍ୟାଳୟର ମାନବସମ୍ବଳ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ନିର୍ଦ୍ଦେଶକ(ପ୍ରଶାସନ) ପ୍ରତାପ କୁମାର ଚମ୍ପତି ଓ ନିର୍ଦ୍ଦେଶକ(ହଷ୍ଟେଲ) ସୁଧୀର କୁମାର ମିଶ୍ର । ଏହି ୩ ଜଣଙ୍କୁ ଇନଫୋସିଟି ପୁଲିସ୍ ଗିରଫ କରିଥିବା ଜଣାପଡ଼ିଛି । ତେବେ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାରପିଟ୍ ଓ ସେମାନଙ୍କୁ ବଳପୂର୍ବକ ବିଦା କରିବା ଘଟଣାରେ ଏହି ୩ଜଣ ନିର୍ଦ୍ଦେଶକଙ୍କ କ’ଣ ଭୂମିକା ରହିଛି ତାହା ଜଣାପଡ଼ିନି ।

ଅନ୍ୟପକ୍ଷରେ ବିଦେଶ ଛାତ୍ରଛାତ୍ରୀଙ୍କ ସୁବିଧା-ଅସୁବିଧା ବୁଝିବା ପାଇଁ ଉଦ୍ଦିଷ୍ଟ  ଇଂଟରନ୍ୟାସନାଲ ରିଲେସନ୍ ଅଫିସ(ଆଇଆରଓ) ଦାୟିତ୍ୱରେ ଥିବା ପଦାଧିକାରୀଙ୍କୁ ପୁଲିସ ଛୁଇଁପାରିନି । ଯଦିଓ ମୃତା ଛାତ୍ରୀଜଣକ ୩ରୁ ୪ଥର ଏହି ଅଫିସକୁ ଯାଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଭୁବନେଶ୍ୱରରେ ଆଇଆରଓ ଡିନ୍ ଭାବେ ଅନୀତା ପତି କାର୍ଯ୍ୟ କରୁଛନ୍ତି । ସେହିପରି ନିର୍ଦ୍ଦେଶକ ଜେନେରାଲ ଭାବେ ଦେବରାଜ ପ୍ରଧାନ ଓ ବରିଷ୍ଠ ନିର୍ଦ୍ଦେଶକ ଭାବେ ଏସ୍‌.ରାଘବନ କାର୍ଯ୍ୟରତ ଅଛନ୍ତି । ଏହି ଆଇଆରଓର ପଦାଧିକାରୀମାନଙ୍କୁ କାହିଁକି ପୁଲିସ ଏପର୍ଯ୍ୟନ୍ତ ଜେରା କରିନି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଉଲ୍ଲେଖଯୋଗ୍ୟ, କିଟ୍ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ ବ୍ୟାପର ଉପସଭାପତି ଭାବେ ଦ୍ୱିତୀ ବିକ୍ରମାଦିତ୍ୟ ହେଉଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅତ୍ୟନ୍ତ ଖାସ୍ । ଆଉ ବିଜେଡି ସରକାରରେ ତୃତୀୟ ମହଲାରେ ବିକ୍ରମାଦିତ୍ୟଙ୍କ ଅଖଣ୍ଡ ପ୍ରଭାବ ରହିଥିଲା ।  ଆଇପିଏସ୍ ଅନୁପ ସାହୁ ଓ ତାଙ୍କ ଆଇଏଏସ୍ ପତ୍ନୀ ରୂପାରୋଶନ ସାହୁଙ୍କ ଘନିଷ୍ଠ ବନ୍ଧୁ ଭାବେ ବିକ୍ରମାଦିତ୍ୟଙ୍କର ପୁଲିସ ପ୍ରଶାସନରେ ପ୍ରଭାବ ରହିଥିବାରୁ ନେପାଳୀ ଛାତ୍ରଛାତ୍ରୀଙ୍କ  ସମସ୍ୟା ସହ ଜଡ଼ିତ ବିଶ୍ୱବିଦ୍ୟାଳୟର ଇଂଟରନ୍ୟାସନାଲ ରିଲେସନ୍ ଅଫିସ ସହ ଜଡ଼ିତ ପଦାଧିକାରୀଙ୍କୁ ପୁଲିସ ଏପର୍ଯ୍ୟନ୍ତ ଗିରଫ ଅବା ଜେରା କରୁନଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି ।

ସେହିପରି ନେପାଳୀ ଛାତ୍ରମାନଙ୍କୁ ମାରପିଟ୍ ଘଟଣାରେ ୨ଜଣ ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରାଙ୍କୁ ପୁଲିସ ଗିରଫ କରିସାରିଛି । ଆଉ କିଟ୍ କର୍ତ୍ତୃପକ୍ଷଙ୍କ ଭଡ଼ାଟିଆ ଗୁଣ୍ଡାମାନଙ୍କୁ ଚିହ୍ନଟ ଜାରି ରହିଥିବା ସୂଚନା ମିଳିଛି । କିନ୍ତୁ ବିଶ୍ୱବିଦ୍ୟାଳୟର ଚିଫ୍ ପ୍ରୋକ୍ଟର (ମୁଖ୍ୟ ସୁରକ୍ଷା ଅଧିକାରୀ) ପ୍ରଦୀପ କୁମାର ପଟ୍ଟନାୟକଙ୍କୁ କାହିଁକି ପୁଲିସ ଗିରଫ କରୁନି, ତାକୁ ନେଇ ପ୍ରଶ୍ନ ଉଠିଛି। ଶ୍ରୀ ପଟ୍ଟନାୟକ କମିଶନରେଟ୍ ପୁଲିସରୁ ଅତିରିକ୍ତ ଡିସିପି ପାହ୍ୟାରେ ଅବସର ନେଇଛନ୍ତି। 

ତେବେ ଯେଉଁ ଦୁଇଜଣ ମହିଳା ଅଧିକାରୀ(ହଷ୍ଟେଲ ୱାର୍ଡନ) ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେ ନେପାଳୀ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ସହ ନେପାଳର ନାଗରିକତା ଓ ଦେଶର ଗାରିମାକୁ ନଷ୍ଟ ସହ ଭାରତ-ନେପାଳ ସମ୍ପର୍କକୁ ପ୍ରଭାବିତ କରିବା ଭଳି ବୟାନବାଜି କରିଛନ୍ତି ସେମାନଙ୍କୁ ପୁଲିସ ଏପର୍ଯ୍ୟନ୍ତ ଜେରା କରିନଥିବା ଜଣାପଡ଼ିଛି ।

ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ନେପାଳର ଶତାଧିକ ଛାତ୍ରଛାତ୍ରୀ ଧାରଣାରେ ବସିଥିବାବେଳେ ତାଙ୍କ ସହ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ଶ୍ରୀ ସାମନ୍ତଙ୍କ ବଚସା ପରେ ହିଁ ସେମାନଙ୍କୁ ହଷ୍ଟେଲରୁ ବଳପୂର୍ବକ ବିଦା କରିଦିଆଯାଇଥିବା ସୂଚନା ମିଳିଛି ।

Related story