/odisha-reporter/media/post_attachments/uploadimage/library/16_9/16_9_0/Police_1735391258.jpg)
Police
ଓଡ଼ିଶା ପୁଲିସକୁ ମିଳିଛି ବଡ଼ ସଫଳତା। ୩ ଦୁର୍ଦ୍ଦାନ୍ତ ମହିଳା ନକ୍ସଲଙ୍କୁ କରିଛି ଗିରଫ। ସେମାନଙ୍କ ମଧ୍ୟରୁ ଜଣେ ଏସିଏମ୍ ରାଙ୍କର। ସେହିପରି ଏହି ୩ ଜଣଙ୍କ ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି।
ଗୁଇନ୍ଦା ରିପୋର୍ଟ ଆଧାରରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଗୁଣ୍ଠାବେଡ଼ା ଜଙ୍ଗଲରୁ ଏହି ୩ ନକ୍ସଲଙ୍କୁ ଗିରଫ କରିଛି ପୁଲିସ। ଗିରଫ ନକ୍ସଲମାନେ ହେଉଛନ୍ତି ସ୍ୱପ୍ନା ଓରଫ ଚନ୍ଦ୍ରମା ଖିଲୋ, ବବିତା ଓରଫ କମଳା ଖିଲୋ ଓ ସୁନୀତା ଖିଲୋ। ସେମାନଙ୍କ ଘର ମାଲକାନଗିରି ଜିଲ୍ଲା ଯୋଡ଼ାମ୍ବ ଥାନା ଧାକଡ଼ପଦର ଗାଁରେ।
ସ୍ୱପ୍ନା ୨୦୧୮ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ମାଲକାନଗିରିର ଗୁମ୍ମା ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ତାଙ୍କ ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ୨୦୨୧ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ ବବିତା। ତାଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସୁନୀତା ଖିଲୋ ୨୦୨୧ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ତାଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ନକ୍ସଲ ଓ ପୁଲିସ ମଧ୍ୟରେ ବିଭିନ୍ନ ସମୟରେ ହୋଇଥିବା ଗୁଳିବିନିମୟରୁ ୬ଟିରେ ସ୍ୱପ୍ନା ସାମିଲ ଥିଲେ। ସେହିପରି ଛତିଶଗଡ଼ର ସୁକମାରେ ଘଟିଥିବା ଏକ ଗୁଳି ବିନିମୟ ଘଟଣାରେ ଥିଲା ତାଙ୍କର ସଂପୃକ୍ତି।
ବବିତା ଓ ସୁନୀତା ପୁଲିସ ସହିତ ହୋଇଥିବା ୩ଟି ଗୁଳିବିନିମୟ ଘଟଣାରେ ସାମିଲ ହୋଇଥିଲେ। ସେଥିରୁ ଦୁଇଟି ମାଲକାନଗିରିରେ ଘଟିଥିବା ବେଳେ ଗୋଟିଏ ଛତିଶଗଡ଼ର ସୁକମା ଜିଲ୍ଲାରେ ଘଟିଥିଲା। ପଚରାଉଚରା ବେଳେ ସେମାନେ ସୁରକ୍ଷାକର୍ମଚାରୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
