Subhamitra and Deepak
କମିଶନରେଟ୍ ପୁଲିସର ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇଛି। ତାଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ନାଁ ଦୀପକ ରାଉତ। ସେ ବି ଜଣେ କନଷ୍ଟେବଲ। କିନ୍ତୁ ସେ ଭୁବନେଶ୍ୱରରେ ପୁଲିସ କମିଶନରଙ୍କ ଅଫିସରେ କିରାଣି ଭାବେ କାର୍ଯ୍ୟ କରନ୍ତି। କମିଶନରେଟ୍ ପୁଲିସ ଦୀପକଙ୍କୁ ଗିରଫ କରିଛି।
ଶୁଭମିତ୍ରା ଓ ଦୀପକ କୋର୍ଟରେ ବାହା ହୋଇଥିଲେ। ୨୦୨୪ ଜୁଲାଇ ୭ ତାରିଖରେ ସେମାନେ କୋର୍ଟରେ ବାହା ହୋଇଥିଲେ। ଦୀପକଙ୍କୁ ପୁଲିସ୍ ଜେରା କରିବା ବେଳେ ଏହି କଥା ସାମ୍ନାକୁ ଆସିଛି। ଉଭୟଙ୍କ ମ୍ୟାରେଜ୍ ସାର୍ଟିଫିକେଟ୍ ମଧ୍ୟ ପାଇଛି ପୁଲିସ। ଶୁଭମିତ୍ରାଙ୍କୁ ନେଇ ଏହି ତଥ୍ୟ ପୂର୍ବରୁ ସାମ୍ନାକୁ ଆସିନଥିଲା। ସମ୍ଭବତଃ ତାଙ୍କ ବାପାମା’ ବି ଜାଣି ନଥିଲେ। କାରଣ ଝିଅ ନିଖୋଜ ହେବା ପରଠାରୁ ସେମାନେ ବି ଏ ବିଷୟରେ କିଛି କହି ନଥିଲେ। ତେବେ ଶୁଭମିତ୍ରାଙ୍କୁ ଦୀପକ ହଇରାଣ କରୁଥିଲେ ବୋଲି ତାଙ୍କ ବାପା କହିଥିଲେ। ତାଙ୍କୁ ଧରି ପଚରାଉଚରା କଲେ ଝିଅ ବିଷୟରେ ଜଣାପଡ଼ିବ ବୋଲି ସେ କହିଥିଲେ। ଆଉ ତାଙ୍କ ଆଶଙ୍କା ସତ ପ୍ରମାଣିତ ହୋଇଛି।
ଗତ ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ୟୁନିଟ-୬ର ରୋଡ୍ ନମ୍ବର ୮ରେ ଏକ ସରକାରୀ ଘର ସାମ୍ନାରେ ଥିବା ଜାମୁଗଛ ତଳେ ନିଜ କାରରେ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ ଦୀପକ। ତା’ପରେ ସେହି କାରରେ ମୃତଦେହକୁ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କୁସୁନପୁର ଗାଁକୁ ନେଇଯାଇଥିଲେ। ସେହି ଗାଁରେ ରହନ୍ତି ଦୀପକଙ୍କ ମାଉସୀ ପୁଅ ଭାଇ ବିନୋଦ ଭୂୟାଁ। ସେଠାରେ ଉଭୟେ ମିଶି ନିକଟସ୍ଥ ଜଙ୍ଗଲରେ ଏକ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ। ଏଥିରେ ସେମାନଙ୍କୁ ଜଟିଆ ନାମକ ଆଉ ଜଣେ ବ୍ୟକ୍ତି ମଧ୍ୟ ସହଯୋଗ କରିଥିଲେ। ପୁଲିସ ବିନୋଦ ଭୂୟାଁ ଓ ଜଟିଆଙ୍କୁ ମଧ୍ୟ ଗିରଫ କରିଛି।
୭ ତାରିଖ ସକାଳେ ମା’ ତାରିଣୀଙ୍କୁ ଦର୍ଶନ କରି ଭୁବନେଶ୍ୱର ଫେରିଥିଲେ ଦୀପକ। କିନ୍ତୁ ତାରିଣୀ ମନ୍ଦିର ପାଖରେ ଦୀପକର କାର୍ ଥିବା ଏକ ଫଟୋ ଧରାପକାଇଦେଲା ସବୁକିଛି। ସେହିପରି ଶୁଭମିତ୍ରାଙ୍କ ମୋବାଇଲର ଲାଷ୍ଟ ଲୋକେସନ୍ ୟୁନିଟ୍-୬ ସ୍ଥିତ ୮ ନମ୍ବର ରୋଡର ଜାମୁକୋଳି ଗଛ ଦେଖାଇଥିଲା ପୁଲିସକୁ। ତେଣେ ଦୀପକ ସେଦିନ ହିଁ କେନ୍ଦୁଝର ଯାଇଥିବା ଜଣାପଡ଼ିଥିଲା ମୋବାଇଲ୍ ଟ୍ରାକିଂରୁ। ଏସବୁ ତଥ୍ୟ ସହ ପ୍ରାୟ ୬୦ଟି ସିସିଟିଭି ଯାଞ୍ଚ କରି ପ୍ରମାଣ ପାଇବା ପରେ ପ୍ରତିଦିନ ଡ୍ୟୁଟିକୁ ଆସୁଥିବା ଦୀପକ ରାଉତକୁ ଧରି ସତ ଉଗାରିଥିଲା ପୁଲିସ।
୧୦ ଲକ୍ଷ ଟଙ୍କା ପାଇଁ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ଦୀପକ ରାଉତ ହତ୍ୟା କରିଥିବା କଟକ-ଭୁବନେଶ୍ୱର ପୁଲିସ କମିଶନର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୦ ଲକ୍ଷ ଟଙ୍କା ପାଇଁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ସେହି ଟଙ୍କା ମାଗିବାରୁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ପ୍ରମାଣ ମିଳିଛି।
ଦୀପକ ପୂର୍ବରୁ ବାହା ହୋଇଥିଲେ। ଏକ ଦୁର୍ଘଟଣାରେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଦୀପକ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁରେ କୋଟିଏ ଟଙ୍କାର ବୀମା କରିଥିଲେ। ତେଣୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ମାମଲା ଏବେ ସନ୍ଦେହ ଘେରକୁ ଚାଲି ଆସିଛି। କମିଶନରେଟ୍ ପୁଲିସ ଶୁଭମିତ୍ରା ହତ୍ୟା ଘଟଣା ସହିତ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟଣାର ମଧ୍ୟ ତଦନ୍ତ କରୁଛି।
କମିଶନରେଟ୍ ପୁଲିସର ଏକ ଟିମ୍ ଅଭିଯୁକ୍ତ ଦୀପକଙ୍କୁ ସାଙ୍ଗରେ ଧରି ଆଜି ଘଟଗାଁ ଯାଇଥିଲେ। ସେଠାରେ ସିନ୍ ରିକ୍ରିଏସନ୍ ସହିତ ଶୁଭମିତ୍ରାଙ୍କ ମୃତଦେହକୁ ମାଟିତଳୁ ବାହାର କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବିରେ ମାଟିଖୋଳି ତାଙ୍କ ମୃତଦେହକୁ ବାହାର କରାଯାଇଥିଲା। ଶୁଭମିତ୍ରାଙ୍କ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ମାଟି ଖୋଳି ପୋତି ଦିଆଯାଇଥିଲା।
୨୭ ବର୍ଷୀୟା ଶୁଭମିତ୍ରା ଭୁବନେଶ୍ୱରର ସୂର୍ଯ୍ୟନଗରରେ ଘର ଭଡ଼ା ନେଇ ରହୁଥିଲେ। ଗତ ୬ ତାରିଖ ଦିନ ସେ ଡ୍ୟୁଟିକୁ ଯାଇଥିଲେ ଓ ସନ୍ଧ୍ୟା ୭ଟାରେ ସେଠାରୁ ଭଡ଼ାଘର ଅଭିମୁଖେ ବାହାରିଥିଲେ। କିନ୍ତୁ ତା’ପରଠାରୁ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଥିଲା। ଶୁଭମିତ୍ରାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇନପାରିବାରୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପିଚୁକୁଳିରେ ରହୁଥିବା ତାଙ୍କ ବାପା ୭ ତାରିଖ ଦିନ ଭୁବନେଶ୍ୱର ଡିସିପି ଅଫିସ୍ ଯାଇ ପଚରାଉଚରା କରିଥିଲେ। ତେବେ ଝିଅର ପତ୍ତା ନମିଳିବାରୁ ସେ କ୍ୟାପିଟାଲ୍ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। କମିଶନରେଟ୍ ପୁଲିସ ଘଟଣାକୁ ଗୁରୁତ୍ୱର ସହିତ ନେଇଥିଲେ ଓ ଶୁଭମିତ୍ରାଙ୍କୁ ଖୋଜିବା ପାଇଁ ସ୍ପେଶାଲ ସ୍କ୍ୱାଡ୍କୁ ଦାୟିତ୍ୱ ଦିଆଯାଇଥିଲା। ସ୍ପେଶାଲ ସ୍କ୍ୱାଡ୍ ଶୁଭମିତ୍ରାଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରିବା ପରେ କମିଶନରେଟ୍ ପୁଲିସରେ କାର୍ଯ୍ୟ କରୁଥିବା ଦୀପକ ରାଉତଙ୍କ ଉପରେ ସନ୍ଦେହ କରିଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ଦୋଷ ସ୍ୱୀକାର କରିଥିଲେ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1758100927.jpg)