Advertisment

ଗର୍ଭବତୀ ପତ୍ନୀଙ୍କୁ ଉଲଗ୍ନ କରି ଗାଁ ବୁଲାଇଲେ ସ୍ୱାମୀ, ବାପଘର ପାଲଟିଲେ ଦେଖଣାହାରୀ

ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣା ଯୋଗୁ ସମଗ୍ର ଦେଶବାସୀଙ୍କୁ ମୁଣ୍ଡ ନଇଁ ଯାଇଥିବା ବେଳେ ଏବେ ସେପରି ଏକ ଅମାନୁଷିକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି।

author-image
Niharika Rout
Victim

Victim

ପୁଣି ଥରେ ଲଜ୍ଜିତ ହୋଇଛି ମାନବ ସମାଜ । ବିଚ୍‌ ରାସ୍ତାରେ ମହିଳାଙ୍କ ଉପରେ ହୋଇଛି ପାଶବିକ ଅତ୍ୟାଚାର । ଆଉ ଏହାର ମୁକସାକ୍ଷୀ ପାଲଟିଛନ୍ତି ଶହ ଶହ ଲୋକ । ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣା ଯୋଗୁ ସମଗ୍ର ଦେଶବାସୀଙ୍କୁ ମୁଣ୍ଡ ନଇଁ ଯାଇଥିବା ବେଳେ ଏବେ ସେପରି ଏକ ଅମାନୁଷିକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି। ଜଣେ ୨୧ ବର୍ଷୀୟା ଆଦିବାସୀ ଗର୍ଭବତୀ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ଚଲାଇଲେ ସ୍ୱାମୀ ସମେତ ପରିବାର ଲୋକେ। ଏହାକୁ ନେଇ ରାଜସ୍ଥାନର ରାଜନୀତି ସରଗରମ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ।

Advertisment

ଏପରି ଲଜ୍ଜାଜନକ ଘଟଣା ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାର ଧରିୟାବଦର ପହାଡ଼ା ଗାଁରେ ଘଟିଛି। ଭିଡିଓଟି ଚାରି ଦିନ ପୂର୍ବର ହୋଇଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି। ଅଭିଯୁକ୍ତ ସ୍ୱାମୀ କାନା ମିନାଙ୍କୁ ପୁଲିସ୍‌ ଗିରଫ କରିଛି। ପୀଡ଼ିତାଙ୍କ ବାପଘର ଲୋକେ ଝିଅ ଉପରେ ହେଉଥିବା ଏପରି ନିର୍ଯାତନାର ମୁକସାକ୍ଷୀ ପାଲଟିଥିଲେ ବି ପାଟି ଫିଟାଇ ନ ଥିଲେ।

ପୀଡ଼ିତାଜଣକ ବର୍ଷେ ପୂର୍ବେ ବିବାହ କରିଥିବା ବେଳେ ଏବେ ସେ ଗର୍ଭବତୀ ଅଛନ୍ତି। ମାତ୍ର ଇତି ମଧ୍ୟରେ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ୪ ଦିନ ତଳେ ମହିଳାଜଣକ ନିଜ ପ୍ରେମିକଙ୍କ ସହ ଫେରାର ହେବାକୁ ଘରୁ ପଳାଇଥିଲେ। ହେଲେ ତାଙ୍କ ଶାଶୁ ଘର ଲୋକେ ଏହାର ସୂଚନା ପାଇ ତୁରନ୍ତ ତାଙ୍କର ପିଛା କରି କାବୁ କରି ନେଇଥିଲେ।

Advertisment

ଏହାପରେ ଉକ୍ତ ଗର୍ଭବତୀ ମହିଳାଙ୍କୁ ଶାଶୁ ଘର ଲୋକେ ଗାଁକୁ ଆଣିଥିଲେ। ଏହାପରେ ମହିଳାଙ୍କ ଉପରେ ଆରମ୍ଭ ହୋଇଥିଲା ପାଶବିକ ଅତ୍ୟାଚାର । ସର୍ବସମ୍ମୁଖରେ ମହିଳାଙ୍କ ସ୍ୱାମୀ ତାଙ୍କୁ ନିବସ୍ତ୍ର କଲେ। ଏହାପରେ ତାଙ୍କୁ ମାରପିଟ କରାଯିବା ସହ ପୂରା ଗାଁରେ ବୁଲା ଯାଇଥିଲା। ମହିଳାଜଣକ କାନ୍ଦି କାନ୍ଦି ଛାଡ଼ିଦେବାକୁ ଗୁହାରୀ କରୁଥିବା ବେଳେ ସମସ୍ତେ ପଥର ପାଲଟି ଯାଇଥିଲେ। ମହିଳାଙ୍କ ଶାଶୁ ଘର ଲୋକଙ୍କ ସହ ତାଙ୍କ ପିତାମାତା ବି ଏପରି କୁତ୍ସିତ କାଣ୍ଡର ଦେଖଣାହାରୀ ପାଲଟିଥିଲେ। ଆଉ ନିଜ ଝିଅ ଉପରେ ହେଉଥିବା ଏପରି ଅମାନବୀୟ କାଣ୍ଡର ପ୍ରତିବାଦ କରୁ ନ ଥିଲେ।

ଏପରିକି ସେଠାରେ ରୁଣ୍ଡ ହୋଇଥିବା ଲୋକେ ଏହାର ମୁକସାକ୍ଷୀ ପାଲଟି ଭିଡିଓ କରିବାରେ ବ୍ୟସ୍ତ ଥିଲେ। କିନ୍ତୁ ମହିଳାଙ୍କ ଚିତ୍କାର ସେମାନଙ୍କ କାନରେ ବାଜୁ ନ ଥିଲା। ଭିଡିଓ କରିବାର ନିଶା ଘାରିଥିବାରୁ ପୀଡ଼ିତାଙ୍କ ଅସହାୟତାକୁ ସେମାନେ ଅଣଦେଖା କରି ଚାଲିଥିଲେ।

ଏହି ଭିଡିଓ ଶୁକ୍ରବାର ସନ୍ଧ୍ୟାରେ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ଏହି ମାମଲାର ଯାଞ୍ଚ ପାଇଁ ୪ଟି ଥାନାର ଅଧିକାରୀଙ୍କୁ ନେଇ ୬ଟି ଟିମ୍‌ ଗଠିତ ହୋଇଛି। ସେଥିରେ ୨ ଜଣ ଡିଏସ୍‌ପି ରାଙ୍କର ଅଧିକାରୀ ବି ଅଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ଏହି ଘଟଣାକୁ ନେଇ ବିଜେପି ଗେହଲଟ ସରକାରଙ୍କୁ ଘେରିଛି। ବିଜେପି ନେତା ସତୀଶ ପୁନିଆ ଏନେଇ ସୋଶାଲ ମିଡିଆରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି।

ଏହି ଘଟଣାରେ ଟ୍ୱିଟ କରି ସତୀଶ ପୁନିଆ ଲେଖିଛନ୍ତି, ପ୍ରତାପଗଡ଼ରେ ଆଦିବାସୀ ମହିଳାଙ୍କ ଉପରେ ଏପରି ପାଶବିକ ଅତ୍ୟାଚାର ଘଟଣା ଦେଖି ଅନ୍ତର ଆତ୍ମା କାନ୍ଦୁଛି। ଅପରାଧୀଙ୍କ ସାହସ ଏପରି ବଢ଼ି ଯାଉଛି ଯେ, ସେମାନେ ଖୁଲମଖୁଲା ଅପରାଧ ଘଟାଇବା ପରେ ତାହାର ଭିଡିଓ ବି ପୋଷ୍ଟ କରୁଛନ୍ତି। ଏହା ଲୋକତାନ୍ତ୍ରୀକ ସମାଜର ହାର ।ତେଣୁ ଦୋଷୀଙ୍କୁ ଏପରି ଶକ୍ତ ଦଣ୍ଡ ଦିଅନ୍ତୁ, ଯେପରି ପୁଣି ଥରେ ଏପରି ଘଟଣା ଘଟାଇବା ପୂର୍ବରୁ ସେମାନଙ୍କ ଲୋମ ଟାଙ୍କୁରି ଉଠିବ ।

ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଘେରି କହିଛନ୍ତି, ରାଜସ୍ଥାନରେ ମହିଳାଙ୍କ ଉପରେ ଏପରି ନିର୍ଯାତନା ଘଟଣା ବଢ଼ିବାରେ ଲାଗିଛି। ମାତ୍ର ଆପଣ ଏଥିପ୍ରତି ଧ୍ୟାନ ନ ଦେଇ ନିଜ କୁର୍ସି ବଞ୍ଚାଇବାରେ ବ୍ୟସ୍ତ ରହୁଛନ୍ତି। ଆପଣଙ୍କ ଏପରି ଲାଲସାକୁ ତୁଚ୍ଛ ମନେ କରୁଛି। ଭଗବାନ ବି ଆପଣଙ୍କୁ କ୍ଷମା ଦେବେନି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ କରି ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକଟ କରିଛନ୍ତି। ଏଥିସହ ସେ ଟ୍ୱିଟ କରିଛନ୍ତି, ପ୍ରତାପଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କ ବାପ ଘର ଓ ଶାଶୁ ଘର ପକ୍ଷର ଆପୋଷ ବିବାଦ ଯୋଗୁ ମହିଳାଙ୍କୁ ନିବସ୍ତ୍ର କରି ଗାଁ ରାସ୍ତାରେ ବୁଲାଯାଇଛି। ଏହାଏକ ଲଜ୍ଜାଜନକ ଘଟଣା ହୋଇଥିବା ବେଳେ ପୁଲିସ୍‌ ମହାନିର୍ଦ୍ଦେଶକ ଓ ଏଡିଜି କ୍ରାଇମଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଏହି ମାମଲାରେ ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସଭ୍ୟ ସମାଜରେ ଏପରି ଅପରାଧର କୌଣସି ସ୍ଥାନ ନାହିଁ। ଖୁବ୍‌ ଶୀଘ୍ର ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ଶୁଣାଣି କରାଯାଇ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ।

Rajasthan