Advertisment

ଦୁର୍ଘଟଣାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼; ଆସିଲା ହତ୍ୟା ଅଭିଯୋଗ, ଥରେ ନୁହେଁ କାରକୁ ୩ ଥର ପିଟିଥିଲା ହାଇୱା

ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Dead Leaders

Dead Leaders

ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଣ୍ଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାରକୁ ହାଇୱା ଧକ୍କା ଦେବାରୁ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା ନେଇଛି ନୂଆମୋଡ଼। ଏହା ଦୁର୍ଘଟଣା ନୁହେଁ, ହତ୍ୟା ବୋଲି ହୋଇଛି ଅଭିଯୋଗ। ନିଜେ ଆହତମାନେ କରିଛନ୍ତି ଏହି ଅଭିଯୋଗ।

Advertisment
Carଦୁର୍ଘଟଣାଗ୍ରସ୍ତ କାର

ଏହି ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୁରେଶ ଛନ୍ଦ କହିଛନ୍ତି ଯେ ହାଇୱା ପ୍ରଥମେ ସେମାନଙ୍କ କାରର ଗୋଟିଏ ପାର୍ଶ୍ୱରେ ଧକ୍କା ଦେଇଥିଲା। ତା’ପରେ ୧୦୦/୧୫୦ ମିଟର ପରେ ପୁଣି ଥରେ ଧକ୍କା ଦେଇଥିଲା। ଏଥର କାର ପଛରେ ଧକ୍କା ଦେଇଥିଲା। ଏହା ପରେ ଆମର ଅନୁଭବ ହେଲା ଯେ କେହି ଆମକୁ ମାରିବାକୁ ଚାହୁଁଛନ୍ତି। ଏଣୁ ଆମେ କାରକୁ ଜାତୀୟ ରାଜପଥରୁ ଓହ୍ଲାଇ ଏକ କଚ୍ଚା ରାସ୍ତାକୁ ପଳାଇ ଯାଇଥିଲୁ। ସେହି ରାସ୍ତାରେ ଆମେ ପ୍ରାୟ ୩୦୦ ମିଟର ଯାଇଥିବା ବେଳେ ଉକ୍ତ ହାଇୱା ପୁଣି ଥରେ ଆସି ପଛ ପଟୁ ଧକ୍କା ଦେଇଥିଲା ଓ କାର ଓଲଟି ପଡ଼ିଥିଲା। ଦୁର୍ଘଟଣା ହୋଇଥିଲେ ଜଣେ ଥରେ ପିଟିଥା’ନ୍ତା। ଗୋଡ଼େଇ ଗୋଡ଼େଇ ତିନି ଥର କାହିଁକି ଧକ୍କା ଦେବ?

ସେହିପରି ଆହତ ରାମ ନାରାୟଣ ପଣ୍ଡା କହିଛନ୍ତି, ମୁଁ ପଛ ସିଟ୍‌ରେ ବାମ ପାର୍ଶ୍ୱରେ ବସିଥିଲି। ଯେତେବେଳେ ହାଇୱା ପ୍ରଥମ ଥର ଧକ୍କା ଦେଲା, କାରକୁ ଟିକେ ସ୍ପୀଡ୍‌ରେ ନେବାକୁ ଆମେ ଡ୍ରାଇଭରଙ୍କୁ କହିଥିଲୁ। ଆମେ ଟିକେ ଆଗକୁ ଯିବା ପରେ ହାଇୱାଟି ଆମକୁ ପୁଣି ଧକ୍କା ଦେଇଥିଲା। ତିନି ଥର ସେ ଆମକୁ ଧକ୍କା ଦେଇଥିଲା।

Advertisment
Truckଜବତ ହାଇୱା।

ଏହି ଘଟଣାରେ ୨ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଉଛନ୍ତି ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ। ଏହି ଦୁଇ ଜଣଙ୍କ ସହିତ ଆହତ ସୁରେଶ ଛନ୍ଦ ଓ ରାମ ନାରାୟଣ ପଣ୍ଡା କାରର ପଛ ସିଟ୍‌ରେ ବସିଥିଲେ। ସେମାନେ ଭୁବନେଶ୍ୱରରୁ ଟ୍ରେନ୍‌ରେ ସମ୍ବଲପୁର ଫେରିଥିଲେ। ସେଠାରୁ କାରରେ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା।

ପୁଲିସ୍ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରିଛି। ପୁଲିସ ହାଇୱାକୁ ଜବତ କରିଛି। ତା’ ସହିତ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।