Advertisment

ଟଙ୍କଧର ଓ ତାଙ୍କ ଦୁଇ ପତ୍ନୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ; ସମ୍ପର୍କୀୟ ଭଣଜା ସମେତ ୨ ଗିରଫ

ଟଙ୍କଧର ସଂପର୍କୀୟ ଭଣଜା ଅନାମ ସାହୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଘରେ ଆଣି ରଖିଥିଲେ।

Police

Police

Advertisment

ବରଗଡ଼ ଜିଲା ଭେଡେନ ଥାନା ଆଖିଫୁଟା ଗାଁରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ପୁଲିସ। ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୃତ ଟଙ୍କଧର ସାହୁଙ୍କ ସଂପର୍କୀୟ ଭଣଜା, ଯିଏ କି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ତାଙ୍କ ନାଁ ଅନାମ ସାହୁ ଓରଫ ବାସୁଦେବ। ତାଙ୍କ ଘର ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଟୁନିଆମୁଣ୍ଡା ଗାଁରେ। ସେହିପରି ଅନ୍ୟ ଜଣେ ହେଉଛନ୍ତି ଛତିଶଗଡ଼ର ମହାସମୁନ୍ଦ ଜିଲା ଵଲୋଦା ଗାଁର ଶ୍ରବଣ ରଣା।

Advertisment

ପ୍ରଥମ ପତ୍ନୀଙ୍କର ଛୁଆପିଲା ନ ହେବାରୁ ଟଙ୍କଧର ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ବି ଛୁଆପିଲା ହୋଇ ନଥିଲେ। ତେଣୁ ଟଙ୍କଧର ସଂପର୍କୀୟ ଭଣଜା ଅନାମ ସାହୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଘରେ ଆଣି ରଖିଥିଲେ। ମାତ୍ର ଅନାମ ସବୁ ବେଳେ ନିଶାରେ ରହୁଥିଲେ। ବିଭିନ୍ନ ସମୟରେ ଘରୁ ଚୋରି କରୁଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ସେ ଟଙ୍କଧରଙ୍କ ସ୍କୁଟି ଓ ୩୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଛତିଶଗଡ଼ ପୁଲିସ୍ ତାଙ୍କୁ ଧରିଥିଲା। ଏହି ଘଟଣାକୁ ନେଇ ଟଙ୍କଧର ଓ ଅନାମଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ଦିନ ଠାରୁ ସେମାନଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହୁଥିଲା। ପରବର୍ତ୍ତୀ ସମୟରେ ଅନାମଙ୍କୁ ଆଉ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ ନ କରିବାକୁ ଟଙ୍କଧର ନିଷ୍ପତ୍ତି ନେଇଥିଲେ। ଅନାମ ଏହା ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ।

ଗତ ଏପ୍ରିଲ ୧୭ ତାରିଖରେ ଅନାମ ତାମିଲନାଡୁରୁ ଟ୍ରେନରେ ଆସି ବରଗଡ଼ରେ ପହଞ୍ଚିଥିଲେ। ରାତି ପ୍ରାୟ ୪ଟା ବେଳେ ସେ ଆଖିଫୁଟା ଗାଁକୁ ଯାଇ ଟଙ୍କଧରଙ୍କ ଘର ପଛପଟ ଦ୍ୱାର ଦେଇ ଭିତରେ ପଶିଥିଲେ। ସେ ପ୍ରଥମେ ଟଙ୍କଧରଙ୍କୁ ଶୋଇଥିବା ଅବସ୍ଥାରେ ଏକ କାଠ ପିଢ଼ାରେ ଆକ୍ରମଣ କରିଥିଲେ। ତା’ପରେ ଏକ କୋଦାଳରେ ଟଙ୍କଧରଙ୍କ ଦୁଇ ପତ୍ନୀଙ୍କୁ ସେ ଆକ୍ରମଣ କରିଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଏକ ବାକ୍ସ ଭାଙ୍ଗି ସବୁ ସୁନାଗହଣା ନେଇ ଫେରାର ହୋଇଯାଇଥିଲେ ଅନାମ। ଗତକାଲି ଭେଡ଼େନ ଥାନା ପୁଲିସ୍ ଛତିଶଗଡ଼ରୁ ଅନାମଙ୍କୁ ଗିରଫ କରିଥିଲା। ସେହିଭଳି ତାଙ୍କ ଠାରୁ ଚୋରି ସୁନାଗହଣା କିଣିବା ଅଭିଯୋଗରେ ପୁଲିସ୍ ଶ୍ରବଣ ରଣାଙ୍କୁ ଗିରଫ କରିଛି। ତାଙ୍କ ଠାରୁ ସମସ୍ତ ଚୋରି ସୁନାଗହଣ ଜବତ କରାଯାଇଛି।

Advertisment

ଗତ ଏପ୍ରିଲ ୧୮ ତାରିଖ ଦିନ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ଟଙ୍କଧରଙ୍କ ଘରର ଦ୍ୱାର ଭିତର ପଟୁ ବନ୍ଦ ରହିଥିଲା। ସେ ପର୍ଯ୍ୟନ୍ତ ତାଙ୍କ ଘରର କୌଣସି ସଦସ୍ୟଙ୍କୁ ପାଖ ପଡ଼ୋଶୀ ବାହାରେ ଦେଖି ନଥିଲେ। ତେଣୁ ସେମାନଙ୍କର ସନ୍ଦେହ ହେଲା। ସେମାନେ ଯାଇ କବାଟ ବାଡ଼େଇ ଥିଲେ। କିନ୍ତୁ ଭିତରୁ କିଛି ଉତ୍ତର ମିଳି ନଥିଲା। ତେଣୁ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଆସିବା ପରେ ଘରର ପଛ ଦ୍ୱାର ଦେଇ ଭିତରେ ପଶିଥିଲା ଓ ଟଙ୍କଧର ଏବଂ ତାଙ୍କ ଦୁଇ ପତ୍ନୀ ମାଧବୀ ସାହୁ ଓ ଦ୍ରୌପଦୀ ସାହୁଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ତିନି ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ପୁଲିସ ଘଟଣାସ୍ଥଳ ଯାଞ୍ଚ କରିଥିଲା। ସନ୍ଧାନୀ କୁକୁର ଦ୍ୱାରା ଘର ପଛ ପଟ କେନାଲରୁ ହତ୍ୟାରେ ବ୍ୟବହୃତ କୋଦାଳ ଜବତ କରାଯାଇଥିଲା। ସେହିପରି ହତ୍ୟାରେ ବ୍ୟବହୃତ କାଠ ପିଢ଼ାକୁ ଜବତ କରିଥିଲା। ଏହା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା।

Murder Crime Bargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe