Advertisment

ଚୋର ସନ୍ଦେହରେ ନିସ୍ତୁକ ପିଟିଲେ ଲୋକେ: ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ଲୋକମାନେ ଆଇନକୁ ନିଜ ହାତକୁ ନେବା କଥାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

author-image
Jitendra Garnayak
Dalit man beaten up

Beaten

ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ମାଡ଼ ଖାଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହୁଟିକ୍ରାରେ।

Advertisment

ମୃତ ଦୁଇ ଯୁବକ ହେଉଛନ୍ତି ବିଜୟ ବାଗ ଓ ବିକୁ ଜାଲ। ବିଜୟଙ୍କ ଘର ବରଗଡ଼ ସଦର ଥାନା ଅନ୍ତର୍ଗତ ପାଣ୍ଡରିପଥର ଗାଁରେ। ବିକୁଙ୍କ ଘର ସମ୍ବଲପୁରରେ। ସେହିପରି ଗୁରୁତର ଥିବା ଯୁବକ ଜଣଙ୍କ ହେଉଛନ୍ତି ପାଣ୍ଡରିପଥର ଗାଁର ସୁରତ କର୍ମୀ।

ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଘଟିଥିଲା। ବିଜୟ, ବିକୁ ଓ ସୁରତଙ୍କ ସମେତ ୪ ଜଣ ଯୁବକ ସାହୁଟିକ୍ରାକୁ ଯାଇଥିଲେ। ସେମାନଙ୍କୁ ହାବଭାବ ଦେଖି ସ୍ଥାନୀୟ ଲୋକେ ଚୋର ବୋଲି ସନ୍ଦେହ କରିଥିଲେ। ଲୋକେ ସେମାନଙ୍କୁ ଅଟକ ରଖିବା ବେଳେ ଜଣେ ଖସି ପଳାଇଥିଲେ। ହେଲେ ବିଜୟ, ବିକୁ ଓ ସୁରତଙ୍କୁ ଧରି ପକାଇଥିଲେ ଗ୍ରାମବାସୀ।

Advertisment

ଲୋକେ ସେମାନଙ୍କୁ ଚୋର ସନ୍ଦେହରେ ପଚରାଉଚରା କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଲୋକଙ୍କ ମାଡ଼ରେ ଘଟଣାସ୍ଥଳରେ ବିଜୟ ବାଗଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ବିକୁ ଓ ସୁରତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରଗଡ଼ ଟାଉନ୍ ହସ୍‌ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିକୁଙ୍କର ମୃତ୍ୟୁ ଘଟିଛି। ଗୁରୁତର ସୁରତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି। ପୁଲିସ୍‌ର ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ଚାରି ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ସେଠାକୁ ଯାଇଥିଲେ ବୋଲି ଜଣାପଡ଼ିଛି। ତେବେ ଲୋକମାନେ ଆଇନକୁ ନିଜ ହାତକୁ ନେବା କଥାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ସେମାନେ ଯୁବକମାନଙ୍କୁ ଧରି ପୁଲିସ୍‌ ହେପାଜତରେ ଦେଇଥିଲେ, ଏମିତି ଏକ ଅଘଟଣ ଟଳି ଯାଇପାରିଥା’ନ୍ତା।

ବରଗଡ଼ରୁ ଧର୍ମଦତ୍ତ ପାଢ଼ୀଙ୍କ ରିପୋର୍ଟ

Mob Lynching