Arrested Accused
ସୁବର୍ଣ୍ଣପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ୩୪ ଲକ୍ଷ ଟଙ୍କା ଆତ୍ମସାତ୍ ଘଟଣାରେ ଆଜି ୨ ଜଣ ଇଞ୍ଜିନିୟରଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେମାନେ ହେଉଛନ୍ତି ସୌରଭ ଦେ ଓ ସପ୍ତର୍ଷୀ ଗୋସ୍ୱାମୀ। ଦୁହେଁ ଏହି ହଷ୍ଟେଲ ନିର୍ମାଣ କରିଥିବା ହିନ୍ଦୁସ୍ତାନ ଷ୍ଟିଲ୍ ୱାର୍କ କନ୍ଷ୍ଟ୍ରକ୍ସନ ଲିମିଟେଡ୍ (HSCL)ରେ ଯଥାକ୍ରମେ ସିନିୟର ସାଇଟ୍ ଇଞ୍ଜିନିୟର ଓ ସାଇଟ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। ଏହା ପୂର୍ବରୁ ଏହି ମାମଲାରେ ଭିଜିଲାନ୍ସ ଠିକାଦାର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ପୁଅ ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କରିଥିଲା।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, କେବିକେ ଜିଲ୍ଲାଗୁଡ଼ିକରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ନିମନ୍ତେ ହଷ୍ଟେଲ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ଏସ୍ଟି ଓ ଏସ୍ସି ଉନ୍ନୟନ ବିଭାଗ ହିନ୍ଦୁସ୍ତାନ ଷ୍ଟିଲ୍ ୱାର୍କ କନ୍ଷ୍ଟ୍ରକ୍ସନ ଲିମିଟେଡ୍ (HSCL) ସହିତ ଏମ୍ଓୟୁ କରିଥିଲା। ରାୟଗଡ଼ାରେ ଏସ୍ଟି ଛାତ୍ରଛାତ୍ରୀଙ୍କ ପାଇଁ ୧୨୦ଟି ଲେଖାଏଁ ବେଡ୍ ବିଶିଷ୍ଟ ୨୬ଟି ହଷ୍ଟେଲ, ଏସ୍ସି ଛାତ୍ରଛାତ୍ରୀଙ୍କ ପାଇଁ ବଲାଙ୍ଗିରରେ ୧୦୦ଟି ଲେଖାଏଁ ବେଡ୍ ବିଶିଷ୍ଟ ୮ଟି ହଷ୍ଟେଲ ଓ ଏସ୍ସି ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ୧୦୦ଟି ଲେଖାଏଁ ବେଡ୍ ବିଶିଷ୍ଟ ୪ଟି ହଷ୍ଟେଲ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା। ଏହା ସହିତ ଗୌରମୁଣ୍ଡା, ରସ୍କା ଓ ବିଜାଦୋରରେ ୩ଟି ଅପ୍ଗ୍ରେଡେଡ୍ ହାଇସ୍କୁଲ୍ କୋଠାର ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା। ଏସବୁ ପ୍ରକଳ୍ପର ମୂଲ୍ୟ ୪୩.୯୪ କୋଟି ଟଙ୍କା ରହିଥିଲା।
କାମ ପାଇବା ପରେ HSCL ଏହି ସବୁ ପ୍ରକଳ୍ପ ପାଇଁ ଏକାଧିକ ଟେଣ୍ଡର ଡାକିଥିଲା। ସେଥିମଧ୍ୟରୁ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୨ଟି ହଷ୍ଟେଲ ନିର୍ମାଣ ପାଇଁ ଠିକାଦାର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ପାଇଥିବା ତାଙ୍କ ପୁଅ ଦୀପକ କୁମାର ଅଗ୍ରୱାଲଙ୍କ ସହିତ HSCL ଚୁକ୍ତି କରିଥିଲା। ୮ କୋଟି ୧୨ ଲକ୍ଷ ୩୦ ହଜାର ୮୭୭ ଟଙ୍କାରେ ୧୨ଟି ହଷ୍ଟେଲ ନିର୍ମାଣ କରିବା ପାଇଁ ସେମାନଙ୍କ ସହିତ ଚୁକ୍ତି କରିଥିଲା ଏଚ୍ଏସ୍ସିଏଲ୍। ସେଥିରୁ ସୁବର୍ଣ୍ଣପୁରରେ ୪ଟି ହଷ୍ଟେଲ ନିର୍ମାଣ ପାଇଁ ୨ କୋଟି ୭୧ ଲକ୍ଷ ୨୪ ହଜାର ୨୦୭ ଟଙ୍କାରେ ଚୁକ୍ତି ହୋଇଥିଲା।
କଣ୍ଟ୍ରାକ୍ଟରମାନେ କରୁଥିବା କାମ ଯାଞ୍ଚ କରିବା ଦାୟିତ୍ୱରେ ଥିଲେ ଆଜି ଗିରଫ ହୋଇଥିବା ଇଞ୍ଜିନିୟର ଦ୍ୱୟ। ତେବେ ସେମାନେ ଠିକ୍ ଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରି ନଥିଲେ। ନିମ୍ନମାନର କାମ ହୋଇଛି ବୋଲି ଜାଣିଥିବା ସତ୍ତ୍ୱେ ସେମାନେ ବିଲ୍ ପାସ୍ କରି ଅର୍ଥ ରିଲିଜ୍ କରିଥିଲେ। ଫଳରେ ସରକାରଙ୍କ ରାଜକୋଷକୁ କ୍ଷତି ପହଞ୍ଚିଛି ବୋଲି ଭିଜିଲାନ୍ସ କହିଛି।
ଭିଜିଲାନ୍ସ ପକ୍ଷରୁ ଆହୁରି କୁହାଯାଇଛି, ଏସ୍ଟି ଓ ଏସ୍ସି ଉନ୍ନୟନ ବିଭାଗଠାରୁ ହଷ୍ଟେଲ ଗୁଡ଼ିକର ଡିଜାଇନ ସଂପର୍କରେ ଅନୁମତି ନିଆଯାଇ ନଥିଲା। ଏମିତିକି ମାଟି ପରୀକ୍ଷା ମଧ୍ୟ କରାଯାଇ ନଥିଲା। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ସୁବର୍ଣ୍ଣପୁରରେ ନିର୍ମାଣ ହୋଇଥିବା ୪ଟି ହଷ୍ଟେଲ ଅତି ନିମ୍ନମାନର ହୋଇଛି। ଯେଉଁମାନର ସମାଗ୍ରୀ ବ୍ୟବହାର କରିବା ପାଇଁ କୁହାଯାଇଥିଲା, ଠିକାଦାର ତାହା କରି ନାହାନ୍ତି। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସର ବୈଷୟିକ ଟିମ୍ ଉକ୍ତ ହଷ୍ଟେଲଗୁଡ଼ିକରେ ପହଞ୍ଚି ଯାଞ୍ଚ କରିଥିଲା। ଆଉ ଅଭିଯୋଗରେ ସତ୍ୟତା ଥିବା ଜାଣିବାକୁ ପାଇଥିଲା। ୩୪ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଛି ବୋଲି କୁହାଯାଉଥିବା ବେଳେ ଏହି ଅର୍ଥ ଆହୁରି ଅଧିକ ହେବ ବୋଲି ସନ୍ଦେହ କରୁଛି ଭିଜିଲାନ୍ସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1693837670.jpg)