Advertisment

ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର, ୨୦୧୯ରେ ହୋଇଥିଲେ ଓଏଏସ୍‌ ଟପ୍ପର

ଲାଞ୍ଚ ନେଇ ନୟାଗଡ଼ ଶ୍ରମ ଅଧିକାରୀ ଧରାପଡ଼ିଥିବା ବେଳେ ସରକାରୀ ଅର୍ଥ ହେରଫେର୍ ମାମଲାରେ ଜଣେ ପୂର୍ବତନ ପିଇଓଙ୍କୁ ଗିରଫ କରିଛି ଭିଜିଲାନ୍ସ।

OAS

OAS

Advertisment

ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦୁଇ ଜଣ ସରକାରୀ ଅଧିକାରୀ। ଜଣେ ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ନୟାଗଡ଼ ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ। ତହସିଲଦାର ଶ୍ରୀ ପଣ୍ଡା ୨୦୧୯ରେ ଓଏଏସ୍‌ ଟପ୍ପର ହୋଇଥିଲେ। 

Advertisment

ବାମରା ବ୍ଲକ ଗୋବିନ୍ଦପୁର ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କର ଏକ ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ତେବେ ଏହି କାମ କରିବା ପାଇଁ ଲାଞ୍ଚ ମାଗିଥିଲେ ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା। ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ସମ୍ବଲପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଯୋଜନା ପ୍ରକାରେ ଆଜି ଦିନ ପ୍ରାୟ ୧୧ଟା ବେଳେ ଅଭିଯୋଗକାରୀ ଦାବି ମୁତାବକ ୧୫ ହଜାର ଟଙ୍କା ନେଇ ତହସିଲଦାର ଅଶ୍ୱିନୀ କୁମାର ପଣ୍ଡାଙ୍କୁ ଦେଇଥିଲେ। ତହସିଲଦାର ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ତହସିଲଦାର ଶ୍ରୀ ପଣ୍ଡାଙ୍କ ସହିତ ତାଙ୍କ ଡ୍ରାଇଭର ପ୍ରବୀଣ କୁମାରଙ୍କୁ ଭିଜିଲାନ୍ସ ସମ୍ବଲପୁର ନେଇ ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି। ଡ୍ରାଇଭର ପ୍ରବୀଣ କୁମାରଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ମାଧ୍ୟମରେ ଲାଞ୍ଚ ନେଇଥିଲେ ତହସିଲଦାର। 

Advertisment

ଲାଞ୍ଚ ନେଇ ଧରାପଡ଼ିବା ପରେ ଅଶ୍ୱିନୀ କୁମାର ପଣ୍ଡାଙ୍କ ଭୁବନେଶ୍ୱରର ମେ’ ଫେୟାର ରୋଡ୍‌ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା। ସେଠାରୁ ଭିଜିଲାନ୍ସ ୪.୭୩ ଲକ୍ଷ ଟଙ୍କା ଜବତ କରିଛି। ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି। 

୧୯୯୨ ମସିହାରେ ଜନ୍ମ ହୋଇଥିବା ଶ୍ରୀ ପଣ୍ଡା ୨୦୧୯ରେ ଓଡ଼ିଶା ସିଭିଲ ସର୍ଭିସେସ୍‌ରେ ଟପ୍ପର ହୋଇଥିଲେ। ଜଣେ ଟ୍ରେନିଂ ରିଜର୍ଭ ଅଫିସର (TRO) ୨୦୨୧ ଡିସେମ୍ବର ୩୦ ତାରିଖରୁ ସରକାରୀ ଚାକିରି ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ କର୍ମକ୍ଷେତ୍ର ଥିଲା ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। 

୨୦୨୩ ଜୁନ୍‌ ମାସରେ ଶ୍ରୀ ପଣ୍ଡା ମୟୂରଭଞ୍ଜ ଜିଲ୍ଲା ଶାମଖୁଣ୍ଟାରେ ତହସିଲଦାର ଭାବେ ଯୋଗ ଦେଇଥିଲେ। ପରେ ୨୦୨୫ ଜୁଲାଇ ୧ ତାରିଖରେ ସେ ସମ୍ବଲପୁର ଜିଲ୍ଲା ବାମରାରେ ତହସିଲଦାର ଭାବେ ଯୋଗ ଦେଇଥିଲେ।  

ଯାଜପୁର ଧର୍ମଶାଳାର ଅଶ୍ୱିନୀ ପଣ୍ଡା ଇଞ୍ଜିନିୟର୍ ଡିଗ୍ରୀ ହାସଲ କରିବା ପରେ ASO ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ୨୦୧୮ ମସିହା ASO ପରୀକ୍ଷାରେ ବିଫଳ ହେବା ପରେ ଏହା ପର ବର୍ଷ ୨୦୧୯ରେ ସେ OPSC ଟପ୍ପର କରିଥିଲେ, ଯାହା ସାରା ରାଜ୍ୟରେ ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।                                           

ଭିଜିଲାନ୍ସ ଜାଲରେ ଶ୍ରମ ଅଧିକାରୀ 

ସେହିପରି ଶ୍ରମ କାର୍ଡ କରାଇଦେବା ପାଇଁ ନୟାଗଡ଼ ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ବିରୁଡ଼ା ଗାଁର ଶ୍ରମିକ ନେତା ତଥା କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀଙ୍କ ଠାରୁ ସେ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ। ଶ୍ରମ ଅଧିକାରୀ ଶ୍ରୀ ରାଉତ ଗୋଟିଏ ଶ୍ରମ କାର୍ଡ ପିଛା ୩୦୦ ଟଙ୍କା ଲେଖାଏ ଲାଞ୍ଚ ମାଗିଥିଲେ। ଏହିପରି ୨୨ଟି ଶ୍ରମ କାର୍ଡ କରିବା ପାଇଁ ସେ ୬ ହଜାର ୬୦୦ ଟଙ୍କା ଦାବି କରିଥିଲେ। ସେ ଆଜି ୨୧ଟି କାର୍ଡ କରାଇଦେବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ନୟାଗଡ଼ ଭିଜିଲାନ୍ସ ଟିମ୍।

ପୂର୍ବତନ ପିଇଓ ଗିରଫ

ଅନ୍ୟପକ୍ଷରେ ସରକାରୀ ଅର୍ଥ ହେରଫେର୍ ମାମଲାରେ ଜଣେ ପୂର୍ବତନ ପିଇଓଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ନାଁ ପୁଷ୍ପିତା ମହାକୁଡ଼। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବିଜାତୋଳା ବ୍ଲକ ଲୁହାଶିଳା ପଞ୍ଜାୟତରେ। ବାର୍ଦ୍ଧକ୍ୟ ଭତ୍ତା ବାବଦରେ ସେ ପ୍ରାୟ ୬ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି।

Bribe Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe