Advertisment

ଲୁଟେରାଙ୍କ ଗୁଳିରେ ୨ ମୃତ; ଗୋଡ଼ାଇ ଗୋଡ଼ାଇ ଗାଡ଼ିଆରେ ମାଡ଼ି ବସିଲେ ଲୋକେ

ଲୁଟ୍‌ କରିବା ପରେ ଦୋକାନକୁ ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍‌ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ଆଉ ସେମାନଙ୍କୁ କାର୍‌ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍‌ ରାୟ ଓ ତାଙ୍କ ସାଥୀ।

ଅଦ୍ୟତନ ହୋଇଛି
Loot

Loot

Advertisment

ଅଳଙ୍କାର ଦୋକାନରୁ ଲୁଟ୍‌ କରି ଚମ୍ପଟ ମାରୁଥିଲେ ୩ ଲୁଟେରା। ପିଛା କଲା ବେଳେ ଲୁଟେରାଙ୍କ ଗୁଳି ମାଡ଼ରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଗୁଳି ମାଡ଼ ପରେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଯିବା ଭୟରେ ଗାଡ଼ିଆ ଭିତରେ ପଶି ଯାଇଥିଲେ ଲୁଟେରା। ସ୍ଥାନୀୟ ଲୋକେ ଗାଡ଼ିଆ ଭିତରେ ସେମାନଙ୍କୁ ମାଡ଼ିବସିଲେ। ଆଜି ଏପରି ହୃଦୟବିଦାରକ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।

Advertisment

ପାଣିକୋଇଲି ଛକରେ ରହିଛି ପଣ୍ଡା ଅଳଙ୍କାର। ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ୩ ଦୁର୍ବୃତ୍ତ ସାଧାରଣ ଗ୍ରାହକଙ୍କ ପରି ଦୋକାନ ଭିତରେ ପଶିଥିଲେ। ଆଉ ଗହଣା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ନିଜ ପାଖରେ ରଖିଥିବା ପିସ୍ତଲ ବାହାର କରି ଗହଣା ଦୋକାନୀ କର୍ମଚାରୀଙ୍କୁ ଭୟଭୀତ କରାଯାଇଥିଲେ। ଏପରିକି ଫାଙ୍କା ଗୁଳି ଚାଳନା କରିଥିଲେ। ଯେଉଁଥିପାଇଁ ଗହଣା ଦୋକାନୀ କର୍ମଚାରୀମାନେ ଡ଼ରି ଯାଇଥିଲେ। ତା’ପରେ ସବୁ ଗହଣାକୁ ଗୋଟିଏ ବ୍ୟାଗରେ ପୁରାଇ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ।

ଲୁଟ୍‌ କରିବା ପରେ ଦୋକାନକୁ ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍‌ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ଆଉ ସେମାନଙ୍କୁ କାର୍‌ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍‌ ରାୟ ଓ ତାଙ୍କ ସାଥୀ। ପାଣିକୋଇଲି ଛକଠାରୁ ଅଳ୍ପ ଦୂରରେ ଥିବା ବିଦ୍ୟୁତ ଅଫିସ୍‌ ଆଗରେ ଲୁଟେରାଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ ସୁନୀଲଙ୍କ କାର୍‌। ତା’ପରେ ୩ ଦୁର୍ବୃତ୍ତ ସେଠାରେ ପଡ଼ି ଯାଇଥିଲେ।

Advertisment

ତଳୁ ଉଠିବା ପରେ ଲୁଟେରାମାନେ ଅନ୍ଧାଧୂନ୍‌ ଗୁଳି ଚଳାଇ ଥିଲେ। ଯେଉଁଥିରେ ଗୁରୁତର ଆହତ ହୋଇଥିଲେ ଅଫିସ୍‌ ଆଗରେ ଛିଡ଼ା ହୋଇଥିବା ବିଦ୍ୟୁତ କର୍ମଚାରୀ ନୀଳମାଧବ ପଣ୍ଡା, କାର୍‌ ଭିତରେ ଥିବା ସୁନା ଦୋକାନୀ କର୍ମଚାରୀ ସୁନୀଲ ରାୟ ଓ ତାଙ୍କ ସାଥୀ। ସମସ୍ତଙ୍କୁ ଉଦ୍ଧାର କରାଯାଇ ପାଣିକୋଇଲି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ନୀଳମାଧବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁନୀଲ୍‌ ଓ ତାଙ୍କ ସାଥୀଙ୍କୁ କଟକ ରେଫର କରାଯାଇଥିଲା। ତେବେ ରାସ୍ତାରେ ସୁନୀଲ୍‌ଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଗୁଳି ମାଡ଼ ପରେ ୩ ଦୁର୍ବୃତ୍ତ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ। ସ୍ଥାନୀୟ ଲୋକେ ୩ ଜଣଙ୍କୁ ପିଛା କରିଥିଲେ। ଜଣେ ଦୁର୍ବୃତ୍ତ ଜୀବନ ବିକଳରେ ବନ୍ଧୁକ ଧରି ଗାଡିଆ ଭିତରେ ପଶି ଯାଇଥିଲେ। ଉତ୍ତ୍ୟକ୍ତ ଲୋକେ ଗାଡିଆ ଭିତରେ ତାକୁ ମାଡ଼ି ବସି ଥିଲେ। ତା’ପରେ ତାକୁ ବହେ ନାଦିଥିଲେ। ତାକୁ ମାଡ଼ ମାରି ରକ୍ତ କରିଦେଥିଲେ। ଅନ୍ୟ ଜଣେ ଭୟରେ ଏକ ଦୋକାନ ଘର ଭିତରେ ପଶି ଯାଇଥିବା ବେଳେ ତୃତୀୟ ଦୁର୍ବୃତ୍ତ ଚମ୍ପଟ ମାରିବାରେ ସଫଳ ହୋଇଥିଲା।

ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚି ଦୀର୍ଘ ସମୟର କସରତ ପରେ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଦୁଇ ଲୁଟେରାଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ଯାଜପୁର ଟାଉନ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ସୁରକ୍ଷା ସୃଷ୍ଟିରୁ ପୁଲିସ୍‌ ଜଣକୁ କଟକ ବଡ଼ ମେଡ଼ିକାଲ୍‌ ସ୍ଥାନାନ୍ତରିତ କରିଛି। ଏହାଛଡ଼ା ଗୁଳିକାଣ୍ଡ ସ୍ଥାନରୁ ପୁଲିସ୍‌ ବିପୁଳ ପରିମାଣର ସୁନା ଜବତ କରିଛି। ଜବତ ହୋଇଥିବା ସୁନା ଲୁଟେରା ନେଇ ପଳାଉଥିବା ଜଣାପଡ଼ିଛି।

ସେପଟେ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଲୁଟେରାମାନେ ଖଣ୍ଡି ହିନ୍ଦୀ ଭାଷାରେ କଥା ହେଉଛନ୍ତି। ସେମାନେ ଝାଡ଼ଖଣ୍ଡୀ ବା ଛତିଶଗଡ଼ୀ ହୋଇଥିବେ। ଅନ୍ୟପକ୍ଷରେ ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏବେ ମଧ୍ୟ ପାଣିକୋଇଲି ଛକରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Crime Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe