Advertisment

ଧନୁତୀର ଓ ବାଟୁଳି ଧରି ସ୍କୁଲ ଛାତ ଉପରେ ବସିଛି ଯୁବକ; ଓହ୍ଲାଇବାକୁ କହିବାରୁ ମାରୁଛି ତୀର

ଯୁବକଙ୍କ ଧନୁତୀର ମାଡ଼ରେ ଆଇଆଇସି ଆହତ ହୋଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Tension situation

Tension situation

ସ୍କୁଲ ଛାତ ଉପରେ ବସି ଉତ୍ପାତ ମଚାଉଛି ଜଣେ ଯୁବକ। ତଳକୁ ଓହ୍ଲାଇବାକୁ ଡାକିବାରୁ ଧନୁତୀର ଓ ବାଟୁଳି ମାରୁଛି। ଗତକାଲିଠାରୁ ପୁଲିସକୁ ନାକେଦମ୍ କରି ରଖିଛି ଏହି ଉଦ୍ଧତ ଯୁବକ। ସୁନ୍ଦରଗଡ଼ ଜିଲ୍ଲା ମହୁଲପଡ଼ା ଥାନା ଅନ୍ତର୍ଗତ ବଡ଼ଜଲ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ସଂପୃକ୍ତ ଯୁବକ କିଏ ଓ କାହିଁକି ଏପରି କରୁଛି ସ୍ପଷ୍ଟ ହୋଇପାରିନି। 

Advertisment

ଯୁବକ ଜଣଙ୍କ ବଡ଼ଜଲ ଗ୍ରାମର ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଚଢ଼ି ଯାଇଛି। ଗତକାଲି ସ୍କୁଲ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ସଂପୃକ୍ତ ଯୁବକଙ୍କୁ ଛାତ ଉପରେ ବସିଥିବା ଦେଖି ତଳକୁ ଓହ୍ଲାଇବା ପାଇଁ କହିଥିଲେ। ହେଲେ ଯୁବକ ଜଣଙ୍କ ତଳକୁ ନ ଓହ୍ଲାଇ ବାଟୁଳି ଓ ଧନୁତୀର ଦେଖାଇ ଭୟବୀତ କରିଥିଲା। ପରେ ଘଟଣାସଂପର୍କରେ ମହୁଲପଦା ଥାନାକୁ ଖବର ଦିଆଯାଇଥିଲା।

ମହୁଲପଦା ଆଇଆଇସି ସୁରେଶ ପ୍ରଧାନ ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତଳକୁ ଓହ୍ଳାଇବାକୁ କହିଥିଲେ। ହେଲେ ସଂପୃକ୍ତ ଯୁବକ ଜଣଙ୍କ ପୁଲିସ ଉପରକୁ ଧନୁତୀର ମାଡ଼ କରିଥିଲା। ଏହି ତୀରଟି ଆଇଆଇସିଙ୍କ ହାତରେ ବାଜିଥିଲା। ଅଧିକ ରାତି ହେବାରୁ ଯୁବକଙ୍କୁ କାବୁ କରିବା ସମ୍ଭବ ହୋଇନଥିଲା। ରାତିସାରା ପୁଲିସ ସ୍କୁଲ ଛାତ ଚାରିପାଖେ ଘେରି ରହିଥିଲା। ଆଜି ସକାଳେ ମଧ୍ୟ ପୁଲିସ ଟିମ୍ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରୁଛି। ୨ ପ୍ଲାଟୁନ ଫୋର୍ସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Advertisment

ଆହତ ଆଇଆଇସି କହିଛନ୍ତି, ଯୁବକଙ୍କୁ ଛାତରୁ ତଳକୁ ଓହ୍ଲାବାକୁ ଡାକିବାରୁ ଧନୁତୀର ମାଡ଼ କରିଥିଲା। ତୀରଟି ମୋ ହାତରେ ବାଜିଥିଲା। ଯୁବକଙ୍କୁ କାବୁ କରିବା ପାଇଁ ଚେଷ୍ଟା  କରାଯାଉଛି।

Odisha Police Sudargarh