Advertisment

ଅଧା ରହିଲା ମତଦାନ! ଜନତା-ପୁଲିସ୍‌ ମୁହାଁମୁହିଁ

ସନ୍ଧ୍ୟା ବେଳେ ପୁଲିଂ କର୍ମଚାରୀଙ୍କୁ ଏକ ଗାଡ଼ିରେ ଧରି ପୁଲିସ୍‌ ପଳାଇବାକୁ ଉଦ୍ୟମ କରୁଥିଲା। ଠିକ୍‌ ସେହି ସମୟରେ ଗାଁ ଲୋକେ ଓ ବିଜେପି କର୍ମକର୍ତ୍ତା ସେମାନଙ୍କୁ ଅଟକାଇଥିଲେ। ପୁଲିସ୍‌ ସେମାନଙ୍କୁ ଘଉଡାଇବା ପାଇଁ ବ୍ଳାଙ୍କ ଫାୟାରିଂ କରିଥିଲା।

author-image
Manoranjan Sial
Election

Election

ଅଧାରେ ରହିଲା ମତଦାନ! ଏହାକୁ ନେଇ ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି। ଜନତା ଓ ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ଭିତରେ ହୋଇଥିବା ଖଣ୍ଡ ଯୁଦ୍ଧ ଯୋଗୁଁ ୫୭ ନମ୍ୱର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ଏପରି ଘଟଣା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି।

Advertisment

ଆଜି ସକାଳେ କଣ୍ଟାମାଳ ମହେଶ୍ୱରପିଣ୍ଡା ଗାଁର ୨୮ ନମ୍ବର ବୁଥ୍‌ରେ ମତଦାନ ଆରମ୍ଭ ହୋଇଥିଲା। ମତଦାନ ପାଇଁ ଆସୁଥିବା ଭୋଟରଙ୍କୁ ପ୍ରିଜାଇଡିଂ ଅଫିସର ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ କହୁଥିବା ଅଭିଯୋଗ ହୋଇଥିଲା। ଏପରିକି ବୟସ୍କ ଭୋଟରଙ୍କ ପାଇଁ ପ୍ରିଜାଇଡିଂ ଅଫିସର ନିଜେ ଶଙ୍ଖ ଚିହ୍ନ ଦବାଇ ଦେଉଥିବା କିଛି ମହିଳା ଅଭିଯୋଗ କରିଥିଲେ। ଏହାକୁ ନେଇ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରିଜାଇଡିଂ ଅଫିସରଙ୍କ ଏପରି କାର୍ଯ୍ୟକୁ ବିରୋଧ କରି ଗାଁ ଲୋକେ ଧାରଣାରେ ବସିଥିଲେ। ଯେଉଁଥିପାଇଁ ଅପରାହ୍ନ ୧ଟାରୁ ମତଦାନ ବନ୍ଦ ରହିଥିଲା।

ପରବର୍ତ୍ତୀ ସମୟରେ ଗାଁ ଲୋକ ୫୭ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ଗାଁ ଲୋକଙ୍କ ସହିତ ବିଜେପି ପ୍ରାର୍ଥୀ ଓ କର୍ମୀମାନେ ଧାରଣାରେ ବସିଥିଲେ। ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ବିଜେପି ପ୍ରାର୍ଥୀ। ଅପରାହ୍ନ ୩ଟାରେ ପ୍ରଶାସନ ଓ ଗାଁ ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ସେହି ଆଲୋଚନା ବିଫଳ ହୋଇଥିଲା। ଯାହାଫଳରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇପାରିନଥିଲା।

Advertisment

ସନ୍ଧ୍ୟା ବେଳେ ପୁଲିଂ କର୍ମଚାରୀଙ୍କୁ ଏକ ଗାଡ଼ିରେ ଧରି ପୁଲିସ୍‌ ପଳାଇବାକୁ ଉଦ୍ୟମ କରୁଥିଲା। ଠିକ୍‌ ସେହି ସମୟରେ ଗାଁ ଲୋକେ ଓ ବିଜେପି କର୍ମକର୍ତ୍ତା ସେମାନଙ୍କୁ ଅଟକାଇଥିଲେ। ପୁଲିସ୍‌ ସେମାନଙ୍କୁ ଘଉଡାଇବା ପାଇଁ ବ୍ଳାଙ୍କ ଫାୟାରିଂ କରିଥିଲା। ଏହା ପରେ ଲୋକମାନେ ତାତି ଯାଇ ପୁଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ। ଏହାର ଜବାବର ପୁଲିସ୍‌ ଲାଠି ଚାର୍ଜ କରିଥିଲା। ଗୋଡାଇ ଗୋଡ଼ାଇ ଗାଁ ଲୋକଙ୍କୁ ପିଟିଥିଲା। ଜୀବନ ବିକଳରେ ଗାଁ ଲୋକ ଓ ବିଜେପି କର୍ମୀମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ବର୍ତ୍ତମାନ ଜାତୀୟ ରାଜପଥ ଓ ଗାଁ ଶୂନ୍‌ଶାନ୍‌ ହୋଇଯାଇଛି। ରାସ୍ତାରେ କେବଳ ପଥର ପଡ଼ିଛି। ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଛି।

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

BjD Bjp General Election Boudh 2024 General Election