Advertisment

'ମାଆ ଓ ଭଉଣୀଙ୍କ ସମ୍ମାନ ବଞ୍ଚାଇଲି'; ଲକ୍ଷ୍ନୌ ହତ୍ୟାକାଣ୍ଡ ଅଭିଯୁକ୍ତର ଭିଡିଓ ଭାଇରାଲ

ନିଜ ମାଆ ଓ ୪ ଭଉଣୀଙ୍କୁ ମାରିବା ପରେ ଭିଡିଓ କରି ଅଭିଯୁକ୍ତ କହିଲା ସେମାନଙ୍କୁ ଦଲାଲମାନେ ବିକ୍ରି କରିଦେଇଥାନ୍ତେ। ତାଙ୍କ ସମ୍ମାନ ବଞ୍ଚାଇବାକୁ ଯାଇ ମାରିଦେଲି।

author-image
Debadatta Aryashrestha
Arshad Arrested after murdered his Mother and Sisters

Arshad Arrested after murdered his Mother and Sisters

ପ୍ରଥମେ ନିଜ ମାଆ ଓ ୪ ଭଉଣୀଙ୍କୁ ମଦ ଓ ଅନ୍ୟ ନିଶାଦ୍ରବ୍ୟ ଦେଲା। ସେମାନେ ଅଚେତ ହୋଇଯିବା ପରେ ଜଣ ଜଣ କରି ସମସ୍ତଙ୍କୁ ମାରିଦେଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟାଇବା ପରେ ନିଜେ ଭିଡିଓ ଜାରି କରି କହିଲା ମୋ ମାଆ ଓ ଭଉଣୀଙ୍କ ସମ୍ମାନ ବଞ୍ଚାଇବାକୁ ଯାଇ ମାରିଦେଲି! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ। ଘଟଣାରେ ୨୪ ବର୍ଷୀୟ ଅଭିଯୁକ୍ତ ଅର୍ଶଦକୁ ପୁଲିସ ଗିରଫ କରିଥିବାବେଳେ ତା'ର ବାପା ବଦର ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସନ୍ଦେହ କରୁଛି ପୁଲିସ। ହେଲେ ବଦରର କୌଣସି ପତ୍ତା ମିଳୁନି।

Advertisment

ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ଯେ ପାରିବାରିକ କଳହକୁ ନେଇ ଏହି ଘଟଣା ଘଟିଥାଇପାରେ। ହେଲେ ହତ୍ୟାକାଣ୍ଡ ଘଟାଇବା ପରେ ନିଜେ ଅଭିଯୁକ୍ତ ଅର୍ଶଦ ରେକର୍ଡ କରିଥିବା ଏକ ଭିଡିଓ ପୁଲିସ ହାତରେ ଲାଗିଛି। ଯେଉଁଥିରେ ସେ ମାଆ ଓ ଭଉଣୀଙ୍କ ସମ୍ମାନ ବଞ୍ଚାଇବାକୁ ଯାଇ ସେମାନଙ୍କୁ ହତ୍ୟା କରିଥିବା ଦାବି କରିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭିଡିଓରେ ଅର୍ଶଦ ନିଜ ମାଆ ଓ ୪ ଭଉଣୀଙ୍କ ମୃତଦେହ ମଧ୍ୟ ଦେଖାଇଛି। ଏଥିରେ ତା'ର ବାପା ବଦର ତାକୁ ସାହାଯ୍ୟ କରିଥିବା ସେ କହୁଥିବାବେଳେ କିଛି ସମୟ ପରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ବି କହିଛି। ହେଲେ ଏଭଳି କିଛି ଘଟିବା ପୂର୍ବରୁ ପୁଲିସ ଅର୍ଶଦକୁ ଗିରଫ କରିଛି।

Advertisment

ନିଜେ ରେକର୍ଡ କରିଥିବା ଭିଡିଓରେ ଅର୍ଶଦ କହିଛି, 'ମୁଁ ନିଜେ ମୋ ମାଆ ଓ ଭଉଣୀଙ୍କୁ ମାରିଛି। କିଛି ସମୟ ପରେ ମୁଁ ବି ମରିଯିବି। ଯେତେବେଳେ ପୁଲିସ ଏହି ଭିଡିଓ ପାଇବ, ସେମାନେ ଜାଣି ରଖିବେ ଯେ ଏଥିପାଇଁ ଆମର କିଛି ପଡ଼ୋଶୀ ଓ ସ୍ଥାନୀୟ ଲୋକ ଦାୟୀ। ସେମାନେ ଆମର ପ୍ରାୟ ସବୁ ଜାଗା ନେଇଯାଇଛନ୍ତି। ଆଉ ଏବେ ଆମ ଘର ବି ନେବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ଆମେ ଘର ଛାଡ଼ି ୧୫ ଦିନ ହେଲା ଆସି ଥଣ୍ଡାରେ ଫୁଟପାଥରେ ପଡ଼ିଛୁ। ମୋ ଛୋଟ ଭଉଣୀମାନେ ଏତେ କଷ୍ଟ ପାଆନ୍ତୁ ବୋଲି ଆମେ ଚାହୁଁନୁ। ସେମାନେ ଆମ ଘର ମାଡ଼ି ବସିଛନ୍ତି, ହେଲେ ଘରର କାଗଜପତ୍ର ସବୁ ଆମ ପାଖରେ ଅଛି।' ଅନେକଙ୍କୁ ଗୁହାରୀ କରିଥିଲେ ମଧ୍ୟ କେହି ଆମ ଦୁଃଖ ଶୁଣିଲେନି ବୋଲି ଭିଡିଓରେ କହିଛି ଅର୍ଶଦ।

ଏପରିକି ଅର୍ଶଦ ଏହି ଭିଡିଓରେ କିଛି ସନ୍ଦିଗ୍ଧଙ୍କ ନାଁ ନେଇ ସେମାନଙ୍କୁ ଏ ସବୁ ପାଇଁ ଦାୟୀ କରିଛି। ରାନୁ, ଅଫତାବ, ଅଲୀମ ଖାନ, ସଲିମ, ଅରିଫ, ଅହମଦ ଓ ଆଝାରଙ୍କ ନାଁ ନେଇ ସେମାନେ ଲ୍ୟାଣ୍ଡ ମାଫିଆ ଓ ଯୁବତୀ ମଧ୍ୟ ବିକ୍ରି କରନ୍ତି ବୋଲି କହିଛି ଅର୍ଶଦ। ସେ କହିଛି ଯେ ସେମାନଙ୍କର ନେତା ଓ ପୁଲିସଙ୍କ ସହ ଭଲ ସମ୍ପର୍କ ରହିଛି। ସେମାନେ ମୋତେ ଓ ବାପାଙ୍କୁ ମିଛ କେସରେ ଫସାଇ ମୋ ଭଉଣୀମାନଙ୍କୁ ହାଇଦ୍ରାବାଦରେ ବିକ୍ରି କରିଦେଇଥାଆନ୍ତେ। ସେଥିପାଇଁ ସେମାନଙ୍କୁ ମାରି ଆମେ ସେମାନଙ୍କ ସମ୍ମାନ ରଖିଛୁ ବୋଲି କହିଛି ଅର୍ଶଦ। 

ଏପରିକି ଅର୍ଶଦର ପରିବାର ଧର୍ମ ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ବୋଲି ସେ ଭିଡିଓରେ କହିଛି। ସେ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହାତ ଯୋଡ଼ି ଅନୁରୋଧ କରିଛି ଯେ ତାଙ୍କ ଘର ଆଉ କାହା ହାତକୁ ନଯାଉ। ସେଠାରେ ଏକ ମନ୍ଦିର ବନାଯାଉ। ଯେଉଁ ଘରକୁ ମୋ ଭଉଣୀମାନେ ସଜାଇଥିଲେ, ସେ ସବୁ ମନ୍ଦିରରେ ଲାଗିଲେ ଆମ ସମସ୍ତଙ୍କ ଆତ୍ମା ଶାନ୍ତି ପାଇବ। ବଞ୍ଚିଥିଲାବେଳେ ନହେଲା ନାହିଁ, ମରିଯିବା ପରେ ନ୍ୟାୟ ଦେବେ ବୋଲି ସେ ଅନୁରୋଧ କରିଛି। ଏହି ଭିଡିଓଟି ସୋଶାଲ ମିଡିଆରେ ଏବେ ଖୁବ ଭାଇରାଲ ହେଉଛି। ସେପଟେ ଖବର ପାଇ ଘଟଣାସ୍ଥଳରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ହେଲେ ତା'ର ବାପା ବଦର ଏବେ ବି ଫେରାର ଅଛି।

Crime Uttar Pradesh News Man Killed His Mother Lucknow Murder Case Man Killed Mother And Sisters