Advertisment

ସଂଗୀତ ନା ସାଂଘାତିକ ମହାବିଦ୍ୟାଳୟ?

ପିଲାମାନଙ୍କଠାରୁ ଧାର୍ଯ୍ୟ ଫି’ଠାରୁ ଅଧିକ ଅର୍ଥ ଆଦାୟ କରାଯିବା, କଲେଜ ଭିତରେ ଅଧ୍ୟାପକମାନେ ମଦ୍ୟପାନ କରିବା ଓ ହଷ୍ଟେଲ ଛାତ୍ରୀଙ୍କୁ ଯୌନ ଶୋଷଣ କରାଯାଉଥିବାର ଅଭିଯୋଗ ଆସିଛି।

ଅଦ୍ୟତନ ହୋଇଛି
Sangeet Mahavidyalay

Sangeet Mahavidyalay

Advertisment

ଉତ୍କଳ ସଂଗୀତ ମହାବିଦ୍ୟାଳୟ ନା ଉତ୍କଟ ସାଂଘାତିକ ମହାବିଦ୍ୟାଳୟ? କ’ଣ ଚାଲିଛି କଲେଜରେ? ପିଲାମାନଙ୍କୁ ସଂଗୀତ, ନୃତ୍ୟ, ନାଟକ ଶିକ୍ଷା ଦେବା ଭିତରେ ହେଉଛି କି ଯୌନ ଶୋଷଣ? ଦେଖାଯାଉଛି, ଅନେକ ଛାତ୍ରଛାତ୍ରୀ ସାମ୍ନାକୁ ଆସି ପାଟି ଖୋଲିବାକୁ ଡରୁଛନ୍ତି। ପ୍ରାୟ ମାସେ ଭିତରେ ଦୁଇ ଜଣ ମହିଳା ଅତିଥି ଅଧ୍ୟାପକ ଦୁର୍ବ୍ୟବହାର ପାଇଁ କଲେଜ ଛାଡ଼ିବା ଦର୍ଶାଇବା ପରେ ଏଭଳି ପ୍ରଶ୍ନ ଉଠୁଛି। କଲେଜ ଅଧ୍ୟକ୍ଷ ଡ. ବିଜୟ କୁମାର ଜେନା ଓ ଅନ୍ୟକିଛି ଅଧ୍ୟାପକଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ। ସରକାରୀ କଲେଜରେ ଫି’ ନାଁରେ ଅଧିକ ଅର୍ଥ ଆଦାୟ ଓ ପିଲାମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ଆସିଛି। କେତେକ କ୍ଷେତ୍ରରେ ପିଲାଙ୍କ ମାର୍କ ପ୍ରକାଶ ନ କରି ହଇରାଣ କରାଯାଇଥିବାରୁ ଥାନାରେ ମାମଲା ଦାଏର ହେବା ପର୍ଯ୍ୟନ୍ତ କଥା ଯାଇଛି ଓ ପରେ ଏହାର ସମାଧାନ ହୋଇଥିବା ଦେଖାଯାଇଛି। ଏ ନେଇ ନିଜ ନାମ ଗୋପନ ରଖି କହିଛନ୍ତି ତିନି ଜଣ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ।

Advertisment

ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି, ଆମ କଲେଜର ଅଧ୍ୟକ୍ଷ ବିଜୟ ସାର୍‌ ଏସବୁ ଜିନିଷ କରନ୍ତି। ପିଲାଙ୍କୁ ମାନସିକ ନିର୍ଯାତନା ଦିଅନ୍ତି। ସେ ମୋତେ କ୍ୟାରିୟର ବରବାଦ କରିଦେବେ ବୋଲି କହିଥିଲେ। ସେ ଓଡ଼ିଶୀ ଭୋକାଲ ଡିପାର୍ଟମେଣ୍ଟର। ସେହି ଡିପାର୍ଟମେଣ୍ଟର ପିଲାଙ୍କୁ ସେକ୍ସ୍ୟୁଆଲ ହାରାସମେଣ୍ଟ କରନ୍ତି। କୌଣସି ପ୍ରୋଗ୍ରାମକୁ ଗଲେ ଏଇଟା କରିବ, ସେଇଟା କରିବ ବୋଲି କହନ୍ତି। ଆମ ବ୍ୟାଚ୍‌ର ଜଣେ ଛାତ୍ରୀ ବୃତ୍ତି ପାଇଥିଲେ। ସେ ତାଙ୍କୁ କହିଥିଲେ ଯେ ତୁମକୁ ବୃତ୍ତି ଦେଲେ ତାଙ୍କର କ’ଣ ଫାଇଦା ହେବ। ଝିଅମାନଙ୍କ ପିଠି ଓ ଜଙ୍ଘକୁ ଟଚ୍ କରନ୍ତି ବିଜୟ ସାର ଓ ପ୍ରଦୀପ ସାର।    

୨୦୧୮ରେ ଓଡ଼ିଶୀ କଣ୍ଠ ସଂଗୀତ ବିଭାଗର ଜଣେ ଅତିଥି ଅଧ୍ୟାପକ ଜଣେ ଦୃଷ୍ଟିବାଧିତ ଛାତ୍ରୀଙ୍କୁ ଦୃଷ୍ଟିହୀନତାର ସୁଯୋଗ ନେଇ କିଭଳି କଥା ସହ ଶାରୀରିକ ଭାବେ ଯୌନ ଶୋଷଣ କରିଥିଲେ ତାର ପ୍ରମାଣ ଓଡ଼ିଶା ରିପୋର୍ଟର ହାତରେ ଲାଗିଛି। ସଂପୃକ୍ତ ଅତିଥି ଅଧ୍ୟାପକ ତା’ ପର ଦିନ ବିଭାଗୀୟ ମୁଖ୍ୟଙ୍କ ନିକଟରେ ଲିଖିତ ଭୁଲ୍ ମାଗି ଏହାର ପୁନରାବୃତ୍ତି ହେବ ନାହିଁ କହିବା ପରେ ତାଙ୍କ ଉପରେ ଆଉ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ସେ ଏବେ ବି କଲେଜରେ ଅଧ୍ୟାପନା କରୁଛନ୍ତି।

Advertisment

ଜଣେ ଛାତ୍ର ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସଂଗୀତ ମହାବିଦ୍ୟାଳୟକୁ ଲୋକେ ବର୍ତ୍ତମାନ ସାଂଘାତିକ ମହାବିଦ୍ୟାଳୟ କହିଲେଣି। ଯେଉଁ ଝିଅ ପ୍ରିନ୍ସପାଲ କିମ୍ବା ଅନ୍ୟ ଶିକ୍ଷକଙ୍କୁ ଧରି ଶୋଇବ, ସେ ସୁନା ପିଲା। ତାକୁ ଭଲରେ ଭଲରେ ପାସ୍ କରାଯିବ। ତାକୁ ଭଲ ନମ୍ବର ଦିଆଯିବ। ତାକୁ ଭଲ ପ୍ରୋଗ୍ରାମ ଦିଆଯିବ। କିନ୍ତୁ ଯିଏ ତାଙ୍କ କଥା ନମାନିବ, ସେ ସସ୍‌ପେଣ୍ଡ ହେବ। ସଂଗୀତ ମହାବିଦ୍ୟାଳୟରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ଏପରିକି ଶାରୀରିକ ନିର୍ଯାତନା ମଧ୍ୟ ଦେଉଛନ୍ତି। ମୁଁ ନିଜେ ଶାରୀରିକ ନିର୍ଯାତନା ପାଇଛି। ଯାହା ସବୁ କହୁଛି, ସେ ସବୁର ପ୍ରମାଣ ମୋ ପାଖରେ ଅଛି। ଚାମ୍ବର ଭିତରକୁ ଡାକି ମୋତେ ମାଡ଼ ମରାଯାଇଥିଲା। 

ସେହିପରି ଆଉ ଜଣେ ଛାତ୍ର କହିଛନ୍ତି, ଝିଅମାନଙ୍କୁ ସେକ୍ସୁଆଲ ରିଲେସନ ରଖିବାକୁ କୁହାଯାଉଛି। ସେଥିପାଇଁ ସେମାନଙ୍କୁ ବାଧ୍ୟ କରାଯାଉଛି। କେହି ମନା କଲେ ହଇରାଣ କରାଯାଉଛି। ଶୋଷଣ କରି ପଇସା ମଧ୍ୟ ନେଉଛନ୍ତି। କେହି ଅଭିଯୋଗ କରିବାକୁ ଚାହିଁଲେ ପ୍ରାଟିକାଲ୍‌ରେ ମାର୍କ ସେମାନଙ୍କ ହାତରେ ଅଛି ବୋଲି କହୁଛନ୍ତି। ଫେଲ୍ କରି ଦେବାକୁ, ମାର୍କ କାଟି ଦେବାକୁ ଧମକ ଦେଉଛନ୍ତି।    

କେବଳ ସେତିକି ନୁହେଁ, ପିଲାମାନଙ୍କଠାରୁ ଧାର୍ଯ୍ୟ ଫି’ଠାରୁ ଅଧିକ ଅର୍ଥ ଆଦାୟ କରାଯିବା, କଲେଜ ଭିତରେ ଅଧ୍ୟାପକମାନେ ମଦ୍ୟପାନ କରିବା ଓ ହଷ୍ଟେଲ ଛାତ୍ରୀଙ୍କୁ ଯୌନ ଶୋଷଣ କରାଯାଉଥିବାର ଅଭିଯୋଗ ଆସିଛି। ଏ ନେଇ ପିଲାମାନେ ଅନେକ ସମୟରେ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଯୌନଶୋଷଣ କଥା ଠିକ୍ ନୁହେଁ, କେବଳ କଲେଜକୁ ବଦନାମ କରିବା ପାଇଁ କିଛି ପିଲା ଏଭଳି କରୁଛନ୍ତି ବୋଲି ସଫେଇ ଦେଇଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ କୁମାର ଜେନା।

ସେ କହିଛନ୍ତି, ଯେଉଁ ଅଭିଯୋଗ ଆସିଛି, ତାହା ସଂପୂର୍ଣ୍ଣ ମିଛ। କେବଳ କଲେଜକୁ ବଦନାମ କରିବା ପାଇଁ ଏମିତି ଅଭିଯୋଗ କରାଯାଉଛି। ଏ ପ୍ରକାର ଅଭିଯୋଗ ଆଗରୁ ମଧ୍ୟ ଆସିଛି। 

ସଂଗୀତ ଓ କଳା ଶିକ୍ଷାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ସୁନାମ ରହିଛି। ଏବେଠାରୁ ଉଚ୍ଚ କର୍ତୃପକ୍ଷ ଦୃଢ଼ ପଦକ୍ଷେପ ନନେଲେ ସମସ୍ୟା ଦୂର ହେବ ନାହିଁ।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

Utkal Sangeet Mahavidyalaya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe