Crime Representational Image
ରାକ୍ଷସୀ ସାଜିଲା ସାବତ ମାଆ। ୬ ବର୍ଷର ଝିଅକୁ କଲା ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେରଳର ଏର୍ନାକୁଲମ ଜିଲ୍ଲାରେ। ଗୁରୁବାର ସକାଳେ ୬ ବର୍ଷର ଝିଅ ମୁସ୍କାନର ମୃତଦେହ ଘର ଭିତରୁ ଜବତ କରିଥିଲା ପୁଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମୃତ ଶିଶୁର ସାବତ ମାଆ ଅନୀଶାକୁ ଶୁକ୍ରବାର ବାନ୍ଧିଛି ପୁଲିସ। ଉତ୍ତର ପ୍ରଦେଶର ଅନୀଶା ହେଉଛି ମୃତ ଶିଶୁ ମୁସ୍କାନର ବାପା ଅଜାଜ୍ ଖାନଙ୍କର ଦ୍ୱିତୀୟ ପତ୍ନୀ।
ତେବେ ପଚରାଉଚରା ବେଳେ ସାବତ ଝିଅକୁ ମାରିଥିବା ସ୍ୱୀକାର କରିଛି ଅନୀଶା। ବୁଧବାର ରାତି ପ୍ରାୟ ସାଢେ ୮ଟା ସମୟରେ ସାବତ ଝିଅର ତଣ୍ଟି ଚିପି ହତ୍ୟା କରିଥିବା ସେ ପୁଲିସ ଆଗରେ ପ୍ରକାଶ କରିଛି। ସୂଚନା ଅନୁସାରେ କେରଳର ଏର୍ନାକୁଲମ ଜିଲ୍ଲା ନେଲ୍ଲିକୁଝି ଅଞ୍ଚଳରେ କାଠ ମିସ୍ତ୍ରୀ ଭାବେ କାମ କରୁଛନ୍ତି ଅଜାଜ ଖାନ। ସେ ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ ଦ୍ୱିତୀୟ ପତ୍ନୀ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। ଏହି ଘଟଣାରେ ନୌଶଦ ନାମକ ଅନ୍ୟଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ମଧ୍ୟ ହେପାଜତକୁ ନେଇଛି ପୁଲିସ। ସେ ଏଭଳି କରିବାକୁ ଅନୀଶାକୁ ପ୍ରବର୍ତ୍ତାଇଥିବା ସନ୍ଦେହ କରାଯାଉଛି ବୋଲି ପୁଲିସ କହିଛି।
ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟି ଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରୁଛି। ଏହି ଘଟଣାରେ ମଧ୍ୟ କଳାଯାଦୁ କିମ୍ବା ଅନ୍ଧବିଶ୍ୱାସର ସମ୍ଭାବ୍ୟ ସଂପୃକ୍ତି ନେଇ ପୁଲିସ ତଦନ୍ତ କରୁଛି। ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ରହିଛି ଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us