Advertisment

CHSE ପିଅନ ଚାକିରିରୁ ରେକର୍ଡ ସପ୍ଲାଏର: ପୁଳାପୁଳା ବେନାମୀ ସମ୍ପତ୍ତି ଠାବ

ସିଏଚଏସଇରେ ରେକର୍ଡ ସପ୍ଲାଏର ଥିବା ଶ୍ରୀ ସେଠୀଙ୍କର କାନନବିହାରଠାରେ ୧୦୮୮୦ ବର୍ଗଫୁଟ ଅଂଚଳ ଜମିରେ ୪ ମହଲା କୋଠା ରହିଛି ।

author-image
Ordigital Desk
CHSE

CHSE

ପିଅନରୁ ରେକର୍ଡ ସପ୍ଲାଏର। ଆଉ ୩ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। କିନ୍ତୁ ଆଜି ଅଚାନକ ମାଡ଼ି ବସିଲା ଭିଜିଲାନ୍ସ। ଆଉ ଯାହା ସମ୍ପତ୍ତି ପାଇଲା ତାକୁ ଦେଖି ଭିଜିଲାନ୍ସ ଅଫିସରମାନେ ବି ଜଳକା। ପୁଳାପୁଳା ବେନାମୀ ସମ୍ପତ୍ତି ସହ ଭୁବନେଶ୍ୱରର କାନନବିହାର ଭଳି ଅଂଚଳରେ ପ୍ରାୟ ୧୧ ହଜାର ବର୍ଗଫୁଟ ଜମିରେ ଗଢ଼ିଉଠିଛି ବାବୁଙ୍କର ୪ମହଲା କୋଠା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)ରେ ରେକର୍ଡ ସପ୍ଲାଏର ଥିବା ପୁରେନ୍ଦ୍ର କୁମାର ସେଠୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ପରେ ଏସବୁ ତଥ୍ୟ ପଦାକୁ ଆସିଛି।

Advertisment

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସିଏଚଏସଇରେ ରେକର୍ଡ ସପ୍ଲାଏର ଥିବା ଶ୍ରୀ ସେଠୀଙ୍କର କାନନବିହାରଠାରେ ୧୦୮୮୦ ବର୍ଗଫୁଟ ଅଂଚଳ ଜମିରେ ୪ ମହଲା କୋଠା ରହିଛି । ସେହିପରି ବିଭିନ୍ନ ଲୋକଙ୍କ ନାଁରେ ଶ୍ରୀ ସେଠୀ ୬ଡିସିମିଲରୁ ୧୧ଡିସିମିଲ ପରିମିତର ମୋଟ ୧୬ଟି ମୂଲ୍ୟବାନ ଜମି କ୍ରୟ କରିଛନ୍ତି । ଯାହାକି ତାଙ୍କର ବେନାମୀ ସମ୍ପତ୍ତି ବୋଲି ଜଣାପଡ଼ିଛି । ତାଙ୍କଠୁ ୧ଲକ୍ଷ ୭୦ହଜାର ଟଙ୍କା ନଗଦ ଅର୍ଥ ସହ ୧୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ସାମିଲ ଅଛି । ତାଙ୍କର ଟୟୋଟା ଅର୍ବାନ କ୍ରୁଜର ଓ ଟୟୋଟା ଇଟଅସ୍ ଲିଭା ଭଳି ଦୁଇଟି ଚାରିଚକିଆ ସହ ୫ଟି ଦୁଇଚକିଆ ଗାଡ଼ି ଥିବା ମଧ୍ୟ ଜଣାପଡ଼ିଛି । ଏବେବି ତାଙ୍କର ଅଧିକ ସମ୍ପତ୍ତି ଜାଣିବା ପାଇଁ ଭିଜିଲାନ୍ସ ଚଢ଼ଉ ଜାରି ରଖିଥିବା ସୂଚନା ଦେଇଛି । ଅନ୍ୟପକ୍ଷରେ ଭିଜିଲାନ୍ସ ସୂତ୍ର ଅନୁସାରେ , ନୂଆପଡ଼ା ଜିଲ୍ଲାରେ ଗୋଟିଏ ଯୁକ୍ତ ଦୁଇ ଆବାସିକ କଲେଜ ରହିଛି, ଯାହାକି ଶ୍ରୀସେଠୀଙ୍କର ବେନାମୀ ସମ୍ପତ୍ତି ବୋଲି ସନ୍ଦେହ କରାଯାଉଛି । ଏଦିଗରେ ଅଧିକ ଖୋଳତାଡ଼ ଜାରି ରହିଛି ବୋଲି ଜଣାପଡ଼ିଛି ।

ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ଜଣ ଏଏସଆଇ ଆଜି ସକାଳୁ ଶ୍ରୀ ସେଠୀଙ୍କ କାନନବିହାର ଘର, ଜଗତସିଂହପୁର ବାଲିକୁଦାର କେଉପଡ଼ାସ୍ଥିତ ପୈତୃକ ଘର ଓ ତାଙ୍କ ସାମନ୍ତରାପୁରସ୍ଥିତ ଅଫିସରେ ଚଢ଼ଉ କରିଛନ୍ତି ।

Advertisment

ତେବେ ପିଅନରୁ ଚାକିରି ଆରମ୍ଭ କରିଥିବା ଶ୍ରୀ ସେଠୀ କିଭଳି କୋଟିକୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବାରେ ସକ୍ଷମ ହେଲେ ତାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି ।

Bhubaneswar Vigilance Raid