Advertisment

ସହକର୍ମୀଙ୍କ ଘରେ ଭିଜିଲାନ୍ସ ରେଡ୍ ଦେଖି ସହକାରୀ ଯନ୍ତ୍ରୀ ଛାନିଆ; ଫ୍ଲାଟ୍ ବାହାରେ ତାଲା ପକାଇ ଦିନସାରା ସପରିବାରେ ଭିତରେ ରହିଲେ, ତା’ପରେ...

ରେଡ୍ ବେଳେ ସାମ୍ନାକୁ ଆସିଲା ସହକାରୀ ଯନ୍ତ୍ରୀଙ୍କର ଏକାଧିକ ଘର ଓ ଦୋକାନ ଘର ସହିତ ଅନ୍ୟାନ୍ୟ ସଂପତ୍ତି।

ଅଦ୍ୟତନ ହୋଇଛି
Building

Building

Advertisment

ସହକର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ଡରିଯାଇଥିଲେ ଜଣେ ସହକାରୀ ଯନ୍ତ୍ରୀ। ଭିଜିଲାନ୍ସ ଚଢ଼ାଉରୁ ବର୍ତ୍ତିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ବାହାରପଟୁ ତାଲା ପକାଇ ଦେଇଥିଲେ। ଆଉ ଦିନ ସାରା ପୂରା ପରିବାର ସହିତ ଘର ଭିତରେ ରହିଥିଲେ। ହେଲେ ବିଳମ୍ବିତ ରାତିରେ ଭିଜିଲାନ୍ସ ଘରଟିକୁ ସିଲ୍‌ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେ ଦ୍ୱାର ଖୋଲିଥିଲେ। ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ୱରର ଆର ଆଣ୍ଡ ବି ଡିଭିଜନ-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହା ଦେଖି ଡରି ଯାଇଥିଲେ ତାଙ୍କ ବନ୍ଧୁ ତଥା ସହକର୍ମୀ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା। କାରଣ ରାଜକିଶୋରଙ୍କ ସହିତ ମିଶି ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ କସମୋପୋଲିସ୍‌ରେ ସେ କିଣିଥିଲେ ଗୋଟିଏ ଫ୍ଲାଟ୍। ସେମାନଙ୍କ ମଧ୍ୟରେ ଟଙ୍କା ନେଣଦେଣ ହେଉଥିଲା ଓ କିଛି ସଂପତ୍ତି ସେମାନଙ୍କ ମିଳିତ ମାଲିକାନାରେ ରହିଛି। ତାଙ୍କ ଆଶଙ୍କା ଠିକ୍‌ ଥିଲା। ଭିଜିଲାନ୍ସ ଟିମ୍‌ କସମୋପୋଲିସ୍‌ ସ୍ଥିତ ତାଙ୍କ ଘର (ଫ୍ଲାଟ୍‌ ନମ୍ବର ଏଚ୍‌-୧୬୪)କୁ ଆସିଥିଲା। ତେବେ ସେତେବେଳକୁ ଅଶୋକ କୁମାର ପଣ୍ଡା ଭିଜିଲାନ୍ସ ରେଡ୍‌ରୁ ବର୍ତ୍ତିବାକୁ ଘରର ମୁଖ୍ୟଦ୍ୱାରରେ ଲାଗିଥିବା ଗ୍ରୀଲରେ ବାହାର ପଟୁ ତାଲା ପକାଇ ଦେଇଥିଲେ। ସେ ଓ ତାଙ୍କ ପରିବାର ଲୋକେ (ପତ୍ନୀ, ପୁଅ ଓ ଝିଅ) ଘର ଭିତରେ ରହିଥିଲେ। ତା’ ସହିତ ଭିଜିଲାନ୍ସ ଯେପରି ତାଙ୍କ ସହିତ ଯୋଗାଯୋଗ କରି ନପାରିବ, ସେଥିପାଇଁ ମୋବାଇଲ ଫୋନକୁ ସୁଇଚ ଅଫ କରି ଦେଇଥିଲେ।

ଘର ବାହାରେ ତାଲା ପଡ଼ିଥିବା ଦେଖି ଭିଜିଲାନ୍ସ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଫୋନ୍‌ କରିଥିଲା। କିନ୍ତୁ ତାଙ୍କ ଫୋନ୍ ସୁଇଚ୍ ଅଫ ଦେଖାଇଥିଲା। ଫଳରେ ଭିଜିଲାନ୍ସ ଅଧିକାରୀମାନେ ସେଠାରୁ ଚାଲିଯାଇଥିଲେ। ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିସାରିବା ପରେ ବିଳମ୍ବିତ ରାତିରେ ଭିଜିଲାନ୍ସ ପୁଣି ତାଙ୍କ ବନ୍ଧୁ ତଥା ସହକର୍ମୀ ଅଶୋକ କୁମାର ପଣ୍ଡାଙ୍କ କସମୋପୋଲିସ୍‌ ସ୍ଥିତ ଘରକୁ ଫେରିଥିଲା। ଶ୍ରୀ ପଣ୍ଡାଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ସମ୍ଭବ ନହେବାରୁ ଭିଜିଲାନ୍ସ ଘରଟିକୁ ସିଲ୍‌ କରିବାକୁ ନିଷ୍ପତ୍ତି ନେଇଥିଲା। ଘର ସିଲ୍ ହେବାକୁ ଯାଉଥିବା ଜାଣିପାରି ଶ୍ରୀ ପଣ୍ଡା ଭିତରପଟୁ ଦ୍ୱାର ଖୋଲିଥିଲେ।

Advertisment

ଆଜି ସକାଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ପଣ୍ଡାଙ୍କ ଘରର ଝରକାରେ ବାହାର ପଟକୁ ଏକ ବ୍ୟାଗ୍ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ସାକ୍ଷୀଙ୍କ ଉପସ୍ଥିତିରେ ବ୍ୟାଗ୍‌ଟିକୁ ଉଦ୍ଧାର କରାଯାଇଥିଲା। ଯାଞ୍ଚ ବେଳେ ସେଥିରୁ ନଗଦ ୧ ଲକ୍ଷ ଟଙ୍କା, ୧୦ ଗ୍ରାମ ରୁପା କଏନ, ୬୦ ଗ୍ରାମର ସୁନା ଅଳଙ୍କାର, ଅରିଜିନାଲ ଆରଓଆର, ଶ୍ରୀ ପଣ୍ଡାଙ୍କର ଆଇଫୋନ୍‌, ଗାଡ଼ି ଚାବି ଓ ଅନ୍ୟାନ୍ୟ କାଗଜପତ୍ର ମିଳିଥିଲା।

ପଚରାଉଚରା ବେଳେ ସହକାରୀ ଯନ୍ତ୍ରୀ ଶ୍ରୀ ପଣ୍ଡା ମାନିଥିଲେ ଯେ ପ୍ରମାଣ ନଷ୍ଟ କରିବା ପାଇଁ ସେ ବ୍ୟାଗଟିକୁ ଫୋପାଡ଼ିବାକୁ ପ୍ରୟାସ କରିଥିଲେ।

Lockଶ୍ରୀ ପଣ୍ଡାଙ୍କ ଘର ବାହାରେ ତାଲା

ଭିଜିଲାନ୍ସ ପକ୍ଷରୁ ଆଜି ଶ୍ରୀ ପଣ୍ଡାଙ୍କର ଅନ୍ୟାନ୍ୟ ଠିକଣାରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ତାଙ୍କର ପୁଳା ପୁଳା ସମ୍ପତ୍ତି ଠାବ କରାଯାଇଛି।

ଭୁବନେଶ୍ୱରର କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆରେ ତାଙ୍କର ଦୁଇଟି ଦୋକାନ (୨୩ଏ ଓ ୧୦୬) ଅଛି। ପାହାଳର ରୁଦ୍ରପୁର ସ୍ଥିତ ସିମ୍ଫୋନୀ ମଲ୍‌ରେ ତାଙ୍କର ଗୋଟିଏ ଦୋକାନ ଅଛି। ଭୁବନେଶ୍ୱରର ସୋମନାଥ ନଗରରେ ତାଙ୍କର ଗୋଟିଏ ଚାରି ମହଲା କୋଠା ଅଛି। ସେହିଭଳି ଭୁବନେଶ୍ୱରର ଡୁମଡୁମା ସ୍ଥିତ ହାଉସିଂ ବୋର୍ଡ କଲୋନୀରେ ତାଙ୍କର ଏକ ତିନି ମହଲା କୋଠା ରହିଛି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି (Volks Wagen Polo) ଅଛି। ବ୍ୟାଙ୍କରେ ତିନିଟି ଏକାଉଣ୍ଟରେ ସେ ୧୭ ଲକ୍ଷ ଟଙ୍କା ଜମା କରିଛନ୍ତି।

ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରଗୁଡ଼ିକର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ମାପଚୁପ ଓ ହିସାବକିତାବ ଜାରି ରଖିଛି।

ସୂଚନାଯୋଗ୍ୟ, ଗତକାଲି ରେଡ୍ ବେଳେ ଶ୍ରୀ ପଣ୍ଡାଙ୍କ ସହକର୍ମୀ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କର କୋଟି କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଥିଲା। ତା’ ମଧ୍ୟରେ ରହିଛି ନୀଳାଦ୍ରୀ ବିହାର ସ୍ଥିତ ତାଙ୍କର ଏକ ବହୁତଳ କୋଠା, କସମୋପୋଲିସ୍ ସ୍ଥିତ ୨ଟି ଫ୍ଲାଟ, ଗ୍ୟାଲେରିଆ ଓ ସିମ୍ପୋନୀ ମଲ୍‌ରେ ଗୋଟିଏ ଲେଖାଏଁ ଦୋକାନ ଘର, ୧୩ଟି ଦାମୀ ପ୍ଲଟ, ୭୫ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା। ତା’ ସହିତ ସେ ତାଙ୍କର ଦୁଇ ଛୁଆଙ୍କ ପାଠପଢ଼ା ପାଇଁ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା।

Vigilance Raid Odisha Vigilance Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe