Advertisment

କୁବେର ସରକାରୀ ବାବୁ; ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ରହିଛି ୧୦୬ ଟି ପ୍ଲଟ୍

ଓଡ଼ିଶାରେ ଅଧିକ୍ଷଣ ଯନ୍ତ୍ରୀଙ୍କର ୮୮ଟି ପ୍ଲଟ ଠାବ ହୋଇଥିବା ବେଳେ  ପଶ୍ଚିମବଙ୍ଗରେ ରହିଛି ୧୮ ଟି ପ୍ଲଟ୍।

author-image
Tapaswini Nayak
ଅଦ୍ୟତନ ହୋଇଛି
Irrigation Dept Superintending Engineer

Irrigation Dept Superintending Engineer

ସରକାରୀ ଚାକିରି କରି ବାବୁ ପାଲଟି ଯାଇଛନ୍ତି କୁବେର। ଠୁଳ କରିଛନ୍ତି ଆଖି ଖୋସିଦେବା ପରି ସମ୍ପତ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ତାଙ୍କର ରହିଛି ୧୦୬ ଟି ପ୍ଲଟ୍। କେବଳ ପ୍ଲଟ ନୁହେଁ, ଏକାଧିକ ଫ୍ଲାଟ ଓ ଘର ବି କରିଛନ୍ତି ବାବୁ। ଆଜି ସକାଳୁ ସକାଳୁ ହୋଇଥିବା ଚଢ଼ାଉରେ ବାବୁଙ୍କ ଏପରି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। ଏସବୁ ଅମାପ ସମ୍ପତ୍ତିର ମାଲିକ ହେଉଛନ୍ତି ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ। 

Advertisment

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭୋର ପ୍ରାୟ ୫ଟା ସମୟରେ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭଦ୍ରକ ବାଲେଶ୍ୱର ଓ ମୟୂରଭଞ୍ଜ ଭିଜିଲାନ୍ସର ୮ ଜଣିଆ ଟିମ୍ ପ୍ରଭାସଙ୍କ ବାଲେଶ୍ୱରରେ ଥିବା ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି।

ଚଢ଼ାଉ ବେଳେ ପ୍ରଭାସଙ୍କର ଜଳେଶ୍ୱରରେ ଥିବା ୫ ମହଲା ଘର ଓ ଜଳେଶ୍ୱରର ଲୋକନାଥପୁରରେ ଥିବା ୧୭ ଏକର ଜାଗାରେ ଫାର୍ମ ହାଉସ ଥିବା ଜଣାପଡ଼ିଛି। ଏଥିସହ ଓଡ଼ିଶାରେ ଅଧିକ୍ଷଣ ଯନ୍ତ୍ରୀଙ୍କର ୮୮ଟି ପ୍ଲଟ ଠାବ ହୋଇଥିବା ବେଳେ  ପଶ୍ଚିମବଙ୍ଗରେ ରହିଛି ୧୮ ଟି ପ୍ଲଟ୍। ଚଢ଼ାଉ ବେଳେ ପ୍ରଭାସଙ୍କ ଘରୁ ନଗଦ ୧୦ରୁ ୧୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଚଢ଼ାଉ ଜାରି ରହିଥିବା ବେଳେ ବାବୁଙ୍କର ସମସ୍ତ ସମ୍ପତିର ଆକଳନ କରାଯାଇପାରି ନାହିଁ। ଏଥିସହ ଭିଜିଲାନ୍ସ ଟିମ୍ ବାଲେଶ୍ୱରର କିଛି ଠିକାଦାରଙ୍କ ଘରେ ଚଢ଼ାଉ କରିଥିବା ସୂଚନା ରହିଛି।

Advertisment

ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଜଳସେଚନ ବିଭାଗରେ ଦୀର୍ଘ ଦିନ ଧରି କାମ କରି ଆସୁଛନ୍ତି ପ୍ରଭାସ।ପ୍ରଭାସ ୨୦୦୭ ପର୍ଯ୍ୟନ୍ତ ବାଲେଶ୍ୱର ଜଳସେଚନ ବିଭାଗର ଏସଡିଓ ଥିଲେ। ପରେ ପ୍ରମୋଶନ ପାଇ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ହୋଇପାରିଥିଲେ। ୨୦୨୦-୨୧ ମସିହାରୁ ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା।

Vigilance Raid Balasore