Advertisment

ଦନ୍ତା ଉପଦ୍ରବରେ ଲୋକେ ଅତିଷ୍ଠ, ବନ କର୍ମଚାରୀଙ୍କୁ ନିର୍ଧୂମ ଛେଚିଲେ

ହାତୀ ସେମାନଙ୍କ ସମ୍ପତ୍ତି ଛାରଖାର କରି ଦେଉଥିବା ବେଳେ ସେମାନେ ଅଣ୍ଟା ସଳଖି ପାରୁ ନ ଥିବା ଅଭିଯୋଗ କରିଛନ୍ତି।

author-image
Niharika Rout
Tension Situation

Tension Situation

ଦୁଇ ଦନ୍ତା ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ । ପ୍ରତି ବର୍ଷ ଏହି ୨ ହାତୀ ପଶି ଘର ଭାଙ୍ଗିବା ସହ ଫସଲ ଖାଉଛନ୍ତି। ଫଳରେ ଏଥିରେ ଅତିଷ୍ଠ ହୋଇ ପଡ଼ୁଛନ୍ତି ଲୋକେ । ଏହା ଅସହ୍ୟ ହେବାରୁ ଶେଷରେ ଉଗ୍ର ରୂପ ନେଲା ଗ୍ରାମବାସୀଙ୍କ ଆକ୍ରୋଶ । ଆଉ ଏହାର ଶିକାର ହେଲେ ଫରେଷ୍ଟ ଗାର୍ଡ। ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ ଜଣେ ଫରେଷ୍ଟ ଗାର୍ଡଙ୍କୁ ପିଟି ପିଟି ଲହୁଲୁହାଣ କରିଛନ୍ତି। ଏପରି ଏକ ଘଟଣା ଘଟଣା ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ସମରଡରି ନିକଟ ତାଳବହାଳି ଗ୍ରାମରେ ଘଟିଛି।

Advertisment

ସମରଡରି ଅଞ୍ଚଳରେ ପ୍ରତି ବର୍ଷ ୨ଟି ଦନ୍ତା ପଶି ଉତ୍ପାତ କରିଥାନ୍ତି। ସେମାନେ ଗାଁରେ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ମୁଖ୍ୟତଃ ଧାନ, ହାଣ୍ଡିଆ, ମହୁଲ ଥିବା ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଥାନ୍ତି ହାତୀ। ଗତ ପ୍ରାୟ ୩,୪ ଦିନ ହେବ ଏହି ଦୁଇ ହାତୀ ସମରଡରି ଅଞ୍ଚଳରେ ପଶିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରିକି ହାତୀ ସେମାନଙ୍କ ସମ୍ପତ୍ତି ଛାରଖାର କରି ଦେଉଥିବା ବେଳେ ସେମାନେ ଅଣ୍ଟା ସଳଖି ପାରୁ ନ ଥିବା ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ, ହାତୀ ଚଳପ୍ରଚଳ କରୁଥିବାରୁ ସନ୍ଧ୍ୟା ହେଲେ ଲାଇନ୍‌ କଟୁଛି। ଫଳରେ ପିଲାଙ୍କ ପାଠପଢ଼ା ବ୍ୟାହତ ହେଉଛି। ସନ୍ଧ୍ୟା ହେଲେ ଘରେ ତାଟି କବାଟ ପକାଇ ରହୁଛନ୍ତି ଲୋକେ। ବନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏହାର କୌଣସି ସ୍ଥାୟୀ ସମାଧାନ କରୁ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ରହିଛନ୍ତି।

Advertisment

ଏହାପରେ ଆଜି କିଛି ଗ୍ରାମବାସୀ ମିଳିତ ଭାବେ ପ୍ରବୀର ଆଚାର୍ଯ୍ୟ ନାମକ ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଥିବା ବନ କର୍ମଚାରୀ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାଯାଇଛି।

ଏନେଇ ବନ ବିଭାଗ ପକ୍ଷରୁ ଲହୁଣୀପଡା ଥାନାରେ ଏତଲା ଦିଆଯାଇଥିବା ବେଳେ ପୁଲିସ୍ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ମାତ୍ର ସେମାନେ ଗାଁରୁ ଫେରାର ହୋଇ ଯାଇଥିବା ଜଣାଯାଇଛି। ପୁଲିସ୍‌ ଘଟଣା ଉପରେ ନଜର ରଖିଛି।

Sundargarh Tension Situation