Advertisment

ବାଘ ମାରି ଖାଇଥିଲେ, ବାସନ୍ଦ ହେଲେ ୪ ପରିବାର

ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ଜଗବନ୍ଧୁଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଛି। ଗିରଫ ବେଳେ ୩ ଅଭିଯୁକ୍ତ ବାଘ ଶିକାର କରି ଖାଇଥିବା ସ୍ୱୀକାର କରିଥିଲେ।

ଅଦ୍ୟତନ ହୋଇଛି
Tiger

Tiger

Advertisment

ବାଘ ମାରି ଖାଇଥିଲେ। ବନ ବିଭାଗ ହାତରେ ଧରାପଡ଼ି ଜେଲ୍‌ ଗଲେ। ହେଲେ ତାଙ୍କ ପରିବାର ଲୋକଙ୍କୁ ଛାଡ଼ିଲେନି ନିଜର ସମାଜର ଲୋକେ। ସେମାନଙ୍କୁ ବାସନ୍ଦ କରିଦେଲେ। ବାଘ ମାରି ଖାଇବା ଅଭିଯୋଗରେ ନୂଆପଡା ଜିଲ୍ଲା କୋମନା ବ୍ଲକ୍‌ ଦେଓଦରା ଗାଁରେ ୪ ପରିବାର ୧୩ ଜଣଙ୍କୁ ବାସନ୍ଦ କରିଛି ଚିନ୍ଦା ଭୁଞ୍ଜିଆ ଆଦିବାସୀ ସମାଜ।

Advertisment

୨୦୨୪ ନଭେମ୍ବର ୧୬ ତାରିଖରେ କୋମନା ରେଞ୍ଜ ଦେଓଦରା ଗାଁର ଦେବେନ୍ଦ୍ର ଚିନ୍ଦା, ଟିଙ୍କୁ ଚିନ୍ଦା, ପୁସ୍ତମ ଚିନ୍ଦା ଓ ଜଗବନ୍ଧୁ ଚିନ୍ଦା ଜଙ୍ଗଲରେ ଫାସ ବସାଇଥିଲେ। ଦୁର୍ଭାଗ୍ୟକୁ ସେହି ଫାସରେ ଗୋଟିଏ କଲରାପତରିଆ ବାଘ ପଡ଼ି ମରିଯାଇଥିଲା। ଏହି ୪ ଜଣ ବାଘର ମୃତଦେହକୁ ନଦୀ କୂଳକୁ ନେଇଯାଇଥିଲେ। ସେହି ସମୟରେ ସେମାନେ ଶୁଣିବାକୁ ପାଇଥିଲେ ବାଘ ମାଂସ ଖାଇଲେ କୌଣସି ରୋଗ ହେବନାହିଁ। ତେଣୁ ସେହି ୪ ଜଣ ମିଶି ବାଘକୁ କାଟି ଭୋଜି କରି ଖାଇ ଦେଇଥିଲେ।

ବାଘ ଶିକାର ନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଥିଲା ବନ ବିଭାଗ। ଉକ୍ତ ଗାଁରେ ଚଢ଼ଉ କରି ଦେବେନ୍ଦ୍ର, ଟିଙ୍କୁ ଓ ପୁସ୍ତମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଜଗବନ୍ଧୁ ବନ ବିଭାଗ ହାତରୁ ଖସିଯାଇ ଜଙ୍ଗଲକୁ ପଳାଇ ଯାଇଥିଲା। ସେଠାରେ ଏକ ଗୁମ୍ଫାରେ ରହିଥିଲେ। ସେହି ସମୟରେ ଗୋଟିଏ ଭାଲୁ ତାଙ୍କ ଗୋଡ଼କୁ କାମୁଡି ଦେଇଥିଲା। ଯେଉଁଥିପାଇଁ ସେ ଗୁମ୍ଫାରୁ ବାହାରି ପାରୁନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କୁ ଗୁମ୍ଫାରୁ ଉଦ୍ଧାର କରିଥିଲେ।

Advertisment

ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ଜଗବନ୍ଧୁଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଛି। ଗିରଫ ବେଳେ ୩ ଅଭିଯୁକ୍ତ ବାଘ ଶିକାର କରି ଖାଇଥିବା ସ୍ୱୀକାର କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଚିନ୍ଦା ଭୁଞ୍ଜିଆ ଆଦିବାସୀ ସମାଜ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏପରି କାର୍ଯ୍ୟ କରିଥିବା ପରିବାରକୁ ଦଣ୍ଡ ଦେବା ପାଇଁ ଦେଓଦରା ମଣ୍ଡଳର ଏକ ସ୍ୱତନ୍ତ୍ର ବୈଠକ ହୋଇଥିଲା।

ବୈଠକର ନିଷ୍ପତ୍ତି ଅନୁସାରେ ୪ ପରିବାରର ୧୩ ଜଣ ସଦସ୍ୟଙ୍କୁ ସାମାଜିକ ବାସନ୍ଦ କରାଯାଇଛି। ଚିନ୍ଦା ଭୁଞ୍ଜିଆ ଆଦିବାସୀ ସମାଜ ବାଘକୁ ମାମୁ ବୋଲି ବିଶ୍ୱାସ କରେ। ଗାଈ, କୁକୁର ଆଦି ପଶୁଙ୍କୁ ଖାଇଥାଏ ବାଘ। ତେଣୁ ବାଘ ମାଂସ ଖାଇବା ଏକ ଅପରାଧ ବୋଲି ବିବେଚନା କରିଥିଲେ। ତେଣୁ ସେହି ପରିବାରକୁ ବାସନ୍ଦ କରାଯାଇଛି। ନିଜ ସମାଜକୁ ଫେରିବାକୁ ହେଲେ ଅଭିଯୁକ୍ତମାନେ ବୋଦା ଦେବାକୁ ପଡ଼ିବ। ଏଥିସହ ୧୦ ମାଣ ଚାଉଳ ଓ ନଦୀ କୂଳରେ ଲଣ୍ଡା ହେବାକୁ ପଡ଼ିବ ବୋଲି ଚିନ୍ଦା ଭୁଞ୍ଜିଆ ଆଦିବାସୀ ସମାଜ କହିଛି।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ

Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe