Advertisment

ଭିସୁଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଗତକାଲି ରାତି ୮ଟା ୪୦ ଯାଏ ଅଞ୍ଜନେୟ ହଷ୍ଟେଲରେ ଥିଲେ। କିନ୍ତୁ ତା’ପରେ କ’ଣ ଘଟିଥିଲା, କେହି ଜାଣିନାହାନ୍ତି।

ଅଦ୍ୟତନ ହୋଇଛି
Anjaney Dash

Anjaney Dash

Advertisment

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ (VSSUT)ର ଶେଷ ବର୍ଷର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଅଞ୍ଜନେୟ ଦାଶଙ୍କର ଗତକାଲି ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ବୁର୍ଲାର ପାୱାର ଚ୍ୟାନେଲ ବା ପିସି ବ୍ରିଜ୍‌ ତଳୁ ତାଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମିଳିଥିବା ବେଳେ ଏହା ଦୁର୍ଘଟଣା ନା ଆତ୍ମହତ୍ୟା ନା ହତ୍ୟା, ତାହା ସ୍ପଷ୍ଟ ହୋଇପାରିନାହିଁ। ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୁଲିସ୍ ୩ଟି ଟିମ୍ ଗଠନ କରି ଘଟଣାର ତଦନ୍ତ କରୁଛି।

Advertisment

ମୃତ ଛାତ୍ର ଅଞ୍ଜନେୟ ଦାଶଙ୍କ ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଜାଫରପୁର ଗାଁରେ। ସେ ଥିଲେ ତାଙ୍କ ବାପାମା’ଙ୍କର ଏକମାତ୍ର ପୁଅ। ତାଙ୍କ ବଡ଼ ବାପାଙ୍କର ପୁଅ ନଥିବାରୁ ସେମାନେ ମଧ୍ୟ ତାଙ୍କୁ ପୁଅ କରିଥିଲେ। ଅଞ୍ଜନେୟଙ୍କ ବାପାମା’ ତୀର୍ଥ ଭ୍ରମଣରେ ଯାଇ ଅଯୋଧ୍ୟାରେ ଥିବା ବେଳେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଆଉ ଉଜୁଡ଼ି ଯାଇଛି ଦୁଇଟି ପରିବାରର ଆଶା ଓ ଭବିଷ୍ୟତ।

ସହପାଠୀମାନଙ୍କ କହିବା ଅନୁଯାୟୀ, ଗତକାଲି ରାତି ୮ଟା ୪୦ ଯାଏ ଅଞ୍ଜନେୟ ହଷ୍ଟେଲରେ ଥିଲେ। କିନ୍ତୁ ତା’ପରେ କ’ଣ ଘଟିଛି, ସେମାନେ ଜାଣିନାହାନ୍ତି। ଅଞ୍ଜନେୟଙ୍କୁ ଘଟଣାସ୍ଥଳରୁ ତାଙ୍କ କିଛି ସହପାଠୀ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଅଞ୍ଜନେୟଙ୍କର ମୃତ୍ୟୁ ଘଟିସାରିଥିଲା ବୋଲି ଡାକ୍ତରଖାନା ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା।

Advertisment

ବୁର୍ଲା ଏସ୍‌ଡିପିଓ କହିଛନ୍ତି ଯେ ଯେଉଁମାନେ ଅଞ୍ଜନେୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ, ସେମାନଙ୍କୁ ଜଣେ ଯୁବତୀ ଫୋନ୍ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ଉକ୍ତ ଯୁବତୀଙ୍କ ସହିତ ଅଞ୍ଜନେୟ ଫୋନ୍‌ରେ କଥା ହେଉଥିଲେ। ଫୋନ୍‌ରେ ସେମାନଙ୍କ ମଧ୍ୟରେ ବାର୍ତ୍ତାଳପ ଚାଲିଥିବା ବେଳେ ଟ୍ରେନ୍‌ ଅତିକ୍ରମ କରିଥିଲା ଓ ହଠାତ୍ ଅଞ୍ଜନେୟଙ୍କ ଫୋନ୍ କଟିଯାଇଥିଲା। ତେଣୁ ଦୁର୍ଘଟଣା ଆଶଙ୍କା କରି ଯୁବତୀ ଜଣଙ୍କ ହଷ୍ଟେଲରେ ଥିବା ଅଞ୍ଜନେୟଙ୍କ ଜଣେ ସହପାଠୀଙ୍କୁ ଫୋନ୍ କରିଥିଲେ ଓ ଘଟଣାସ୍ଥଳକୁ ଯାଇ ଦେଖିବା ପାଇଁ କହିଥିଲେ। ଏହା ପରେ ଅଞ୍ଜନେୟଙ୍କ ସେହି ସାଙ୍ଗଙ୍କ ସହିତ ଆଉ କିଛି ସହପାଠୀ ଘଟଣାସ୍ଥଳକୁ ଯାଇ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପାଇଥିଲେ ଓ ଡାକ୍ତରଖାନା ନେଇଥିଲେ।

Iron Platformଚିହ୍ନିତ ସ୍ଥାନରେ ପଡ଼ିଥିଲା ଅଞ୍ଜନେୟଙ୍କ ଗୋଟିଏ ଜୋତା

ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ଯୁବତୀଙ୍କ ସହିତ ଅଞ୍ଜନେୟ ଫୋନ୍‌ରେ କଥା ହେଉଥିଲେ, ସେ ଉତ୍ତର ପ୍ରଦେଶର। ତେବେ ସେହି ଯୁବତୀଙ୍କ ବିଷୟରେ ପରିବାର ଲୋକଙ୍କୁ କିଛି ଜଣାନାହିଁ ବୋଲି କହିଛନ୍ତି ଅଞ୍ଜନେୟଙ୍କ ମାମୁ। କେହି କେହି କହୁଛନ୍ତି, ସେହି ଯୁବତୀ ପୂର୍ବରୁ ଭିସୁଟରେ ପଢୁଥିଲେ। ତେଣୁ ପୁଲିସ୍ ତଦନ୍ତ ପରେ ଯୁବତୀଙ୍କ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିବ।

ତୀର୍ଥ ଭ୍ରମଣରେ ଯାଇ ଅଯୋଧ୍ୟାରେ ଥିବା ଅଞ୍ଜନେୟଙ୍କ ବାପାଙ୍କ ପାଖକୁ ଗତକାଲି ରାତି ପ୍ରାୟ ୧୧ଟା ବେଳେ ହଷ୍ଟେଲରୁ ଯାଇଥିଲା ଫୋନ୍‌ କଲ୍‌। ଦୁର୍ଘଟଣାରେ ଅଞ୍ଜନେୟ ଗୁରୁତର ଆହତ ଥିବା ସେମାନଙ୍କୁ ସୂଚନା ଦିଆଯାଇଥିଲା। ଏହି ଖବର ପାଇ କାନ୍ଦି କାନ୍ଦି ତାଙ୍କ ମା’ ତୁରନ୍ତ ବୁର୍ଲା ଯିବା ପାଇଁ କଟକରେ ରହୁଥିବା ତାଙ୍କ ଭାଇଙ୍କୁ କହିଥିଲେ। ଘଟଣା ସଂପର୍କରେ ଖବର ପାଇ ଅଞ୍ଜନେୟଙ୍କ ମାମୁ ଖୋଳତାଡ଼ କରିଥିଲେ। ତାଙ୍କର ଜଣେ ବନ୍ଧୁଙ୍କ ପୁଅ ମଧ୍ୟ ଭିସୁଟରେ ପଢ଼ନ୍ତି। ତାଙ୍କ ଜରିଆରେ ଅଞ୍ଜନେୟଙ୍କ ମାମୁ ଜାଣିବାକୁ ପାଇଥିଲେ ଯେ ତାଙ୍କର ମୃତ୍ୟୁ ହୋଇସାରିଛି।

ଘଟଣାସ୍ଥଳ ବୁଲି ଦେଖିବା ପରେ ଅଞ୍ଜନେୟଙ୍କ ଦୁଇ ମାମୁ କହିଛନ୍ତି ଯେ ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଲାଗୁନାହିଁ ଯେ ଏହା ଏକ ଦୁର୍ଘଟଣା। ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରିବା ପରେ ଉକ୍ତ ସ୍ଥାନରେ ଆଣି ମୃତଦେହକୁ ଫୋପାଡ଼ି ଦିଆଯାଇଛି। ସେହିଭଳି ପିସି ବ୍ରିଜ୍‌ର ଫୁଟ୍‌ପାଥ୍‌ରୁ ଅସାବଧାନତାବଶତଃ କେହି ପଡ଼ିଯିବା ଆଶଙ୍କ ମଧ୍ୟ ନାହିଁ। କାରଣ ସେଠାରେ ପ୍ରାୟ ଅଣ୍ଟାଏ ଉଚ୍ଚର ଲୁହାର ଗାର୍ଡ ୱାଲ୍ ରହିଛି।

PC Bridgeପିସି ବ୍ରିଜ୍ ଓ ଏହା ତଳେ ଥିବା ଲୁହାର ପ୍ଲାଟ୍‌ଫର୍ମ

ଉପରେ ଫଟୋରେ ଦିଆଯାଇଥିବା ଭଳି ଭିସୁଟ୍‌ଠାରୁ ପ୍ରାୟ ୧ କିଲୋମିଟର ଦୂର ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଥିବା ପିସି ବ୍ରିଜ୍‌ ତଳେ ଥିବା ଲୁହାର ପ୍ଲାଟଫର୍ମର ଦୁଇଟି ପାଣି ପାଇପ ମଝିରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ଅଞ୍ଜନେୟ। ଗୋଟିଏ ଚପଲ ସେଠାରେ ପଡ଼ିଥିବା ବେଳେ ଆଉ ଗୋଟିଏ ଚପଲ ଟିକେ ଦୂରରେ ପଡ଼ିଥିଲା। ତାଙ୍କ ମୋବାଇଲ ମିଳି ନଥିବା ଜଣାପଡ଼ିଛି। ଉକ୍ତ ଲୁହାର ପ୍ଲାଟଫର୍ମ ଉପରେ ରହିଛି ଲୁହାର ଫୁଟ୍‌ପାଥ୍, ଯାହା ପିସି ବ୍ରିଜ୍‌ର ଟ୍ରେନ୍‌ ଲାଇନ୍‌କୁ ଲାଗି ରହିଛି। ସେହି ଲୁହାର ଫୁଟ୍‌ ପାଥ୍‌ରେ ଲୁହାର ଗାର୍ଡ ୱାଲ୍ ରହିଛି। ସେହିଠାରୁ ସେ ପଡ଼ିଥାଇପାରନ୍ତି ବୋଲି କୁହାଯାଉଛି। ତେବେ କେମିତି ପଡ଼ିଲେ ବା ତାଙ୍କୁ କେହି ଠେଲି ଦେଲେ ବା ତାଙ୍କ ସହିତ ଆଉ କିଛି ଘଟିଛି, ତାହାକୁ ନେଇ ସସ୍‌ପେନ୍ସ ଜାରି ରହିଛି।

ବୁର୍ଲା ଏସ୍‌ଡିପିଓ କହିଛନ୍ତି ଯେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ କରାଯାଉଛି। ଆଖପାଖ ସମସ୍ତ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯାଉଛି। ଫୋନ୍‌ କଲ୍ ରେକର୍ଡ ଯାଞ୍ଚ କରାଯିବ। ଯେଉଁମାନେ ଘଟଣାସ୍ଥଳରୁ ଅଞ୍ଜନେୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ, ସେମାନଙ୍କୁ ପଚରାଉଚରା କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କେମିତି ମୃତ୍ୟୁ ଘଟିଛି, ତାହା ଜଣାପଡ଼ିବ।

VSSUT Engineering Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe