Advertisment

ସାହୁ ବ୍ରଦର୍ସ ଆଣ୍ଡ କୋ’ ସହ ବିଜେଡି ମନ୍ତ୍ରୀ-ବିଧାୟକଙ୍କ କି ସମ୍ପର୍କ, ଜବତ ଟଙ୍କା ବିଜେଡିର ନୁହେଁ ତ: ବିଜେପି

ଝାଡ଼ଖଣ୍ଡର ମଦ ବ୍ୟବସାୟୀ ‘ସାହୁ ବ୍ରଦର୍ସ ଆଣ୍ଡ କୋ’ ସହ ବିଜେଡିର ମନ୍ତ୍ରୀ ଓ ବିଧାୟକମାନଙ୍କର କି ସମ୍ପର୍କ ରହିଛି? ଗତ ୩ଦିନ ଧରି ଓଡ଼ିଶାରେ ଆୟକର ଚଢ଼ଉବେଳେ ସମ୍ପୃକ୍ତ ମଦ ବ୍ୟବସାୟୀଙ୍କଠୁ ଜବତ ନଗଦ ୫୦୦କୋଟି ଟଙ୍କା ଶାସକ ବିଜେଡିର ନୁହେଁ ତ?

author-image
Ordigital Desk
ଅଦ୍ୟତନ ହୋଇଛି
Jharkhand

Jharkhand

ଝାଡ଼ଖଣ୍ଡର ମଦ ବ୍ୟବସାୟୀ ‘ସାହୁ ବ୍ରଦର୍ସ ଆଣ୍ଡ କୋ’ ସହ ବିଜେଡିର ମନ୍ତ୍ରୀ ଓ ବିଧାୟକମାନଙ୍କର କି ସମ୍ପର୍କ ରହିଛି? ଗତ ୩ଦିନ ଧରି ଓଡ଼ିଶାରେ ଆୟକର ଚଢ଼ଉବେଳେ ସମ୍ପୃକ୍ତ ମଦ ବ୍ୟବସାୟୀଙ୍କଠୁ ଜବତ ନଗଦ ୫୦୦କୋଟି ଟଙ୍କା ଶାସକ ବିଜେଡିର ନୁହେଁ ତ? ନିର୍ବାଚନ ପରିଚାଳନା ପାଇଁ ବିଜେଡି ଏହି ଟଙ୍କା ଗଚ୍ଛିତ ରଖିନଥିଲା ତ? ଆଜି ଏଭଳି କିଛି ପ୍ରଶ୍ନ ପଚାରି ଶାସକ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି । ଆଉ ରାଜ୍ୟ ସରକାର ଯଦି ସ୍ୱଚ୍ଛ ତା’ହେଲେ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ତୁରନ୍ତ ପ୍ରଦାନ କରନ୍ତୁ ବୋଲି ଦାବି କରିଛି ।

Advertisment

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ଅଣଓଡ଼ିଆ ବ୍ୟବସାୟୀମାନେ ଓଡ଼ିଶାର ଖଣି, ଚିଟଫଣ୍ଡକୁ ଲୁଟ୍ କରିଥିଲେ କିନ୍ତୁ ଏବେ ଅଣଓଡ଼ିଆ ମଦବେପାରୀମାନେ ଓଡ଼ିଶାକୁ ଲୁଟ୍ କରୁଛନ୍ତି । ଗତ ୩ ଦିନ ହେଲାଣି ଜଣେ ଅଣଓଡ଼ିଆ ମଦ ବେପାରୀଙ୍କଠାରୁ ୫୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ୍ କରାଯାଇଛି ଏବଂ ଏହା ଆଜି ମଧ୍ୟ ଜାରି ରହିଛି । ବାର୍ଷିକ ୧୨୦ କୋଟି ଟଙ୍କାର କାରବାର କରୁଥିବା "ସାହୁ ବଦର୍ସ ଆଣ୍ଡ କୋ’ଙ୍କ ନିକଟକୁ ନଗଦ ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଲା କେଉଁଠୁ ? ଏତେ ଟଙ୍କା କେଉଁଠୁ ଆସିଲା ଓ ଗୋଟିଏ ଜାଗାରେ କିପରି ଠୁଳ ହେଲା? ଏହି ଜବତ ଟଙ୍କା ‘ସାହୁ ବ୍ରଦର୍ସ ଆଣ୍ଡ କୋ’ଙ୍କର ନା ଏଥିରେ କାହାର କଳାଟଙ୍କା ସାମିଲ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ମହାପାତ୍ର ସିଧାସଳଖ ବିଜେଡି ମନ୍ତ୍ରୀମାନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି ଯେ, "ସାହୁ ବଦର୍ସ ଆଣ୍ଡ କୋ’ ସହ ବୌଦ୍ଧ, ସୋନପୁର, ଟିଟିଲାଗଡ଼, ରାୟଗଡ଼ାରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀମାନଙ୍କ ସମ୍ପର୍କ ରହିଛି । ବରଗଡ଼ର ଜଣେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ବିଧାୟକଙ୍କର ବି ସମ୍ପର୍କ ଅଛି।

Advertisment

ମଦ ବ୍ୟବସାୟୀଙ୍କ ସହ ମନ୍ତ୍ରୀ ତଥା ଟିଟଲାଗଡ଼ ବିଧାୟକ ଟୁକୁନି ସାହୁଙ୍କ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି । ବୌଦ୍ଧ ରାଇସ ମିଲ୍ ଓ  "ସାହୁ ବଦର୍ସ ଆଣ୍ଡ କୋ’ ସହ ତାଙ୍କର କ'ଣ ସମ୍ପର୍କ ରହିଛି? ଏପରିକି ଶାସକ ବିଜେଡିର ବହୁ ନେତା ଓ ମନ୍ତ୍ରୀଙ୍କ ସହ ମଧ୍ୟ ସଂପର୍କ ରହିଛି । ଆଗୁଆ ନିର୍ବାଚନ ପରିଚାଳନା ପାଇଁ "ସାହୁ ବଦର୍ସ ଆଣ୍ଡ କୋ’ ପାଖରେ ବିଜୁ ଜନତା ଦଳ ଟଙ୍କା ରଖିଥିଲା କି? "ସାହୁ ବଦର୍ସ ଆଣ୍ଡ କୋ’ ସହ ବିଜେଡିର କ’ଣ ସଂପର୍କ ରହିଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ନିଜର ସ୍ୱଚ୍ଛତା ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାର ତଦନ୍ତ ସିବିଆଇକୁ ତୁରନ୍ତ ହସ୍ତାନ୍ତର କରନ୍ତୁ ବୋଲି ବିଜେପି ଦାବି କରିଛି ।

ଗତ ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ତରବରିଆ ଭାବେ ସପ୍ଲିମେଂଟାରୀ ବଜେଟ୍ ଆଗତ କରିବା ସହ ତଥାକଥିତ ସିଏମଓ ସମସ୍ତ ଜିଲ୍ଲା ଭ୍ରମଣ କରି ବୈଠକ କରୁଥିଲେ । ଓଡ଼ିଶାରେ ବିଧାନସଭାକୁ ଭଙ୍ଗ କରି ଆଗୁଆ ବିଧାନସଭା ନିର୍ବାଚନ କରିବା ପାଇଁ ଶାସକ ଦଳ ଖସଡ଼ା ପ୍ରସ୍ତୁତ କରିଥିଲା । ଜବତ ଟଙ୍କା ମଧ୍ୟରେ ୫୦୦ଟଙ୍କା, ୨୦୦ଟଙ୍କା ଓ ୧୦୦ଟଙ୍କା ବାହାରୁଛି । ଯାହା ନିର୍ବାଚନ ସମୟରେ ବଂଟା ହେବା ପାଇଁ ରଖାଯାଇଥିଲା କି?

ସେ କହିଛନ୍ତି ଯେ, ଚିଟଫଣ୍ଡ୍ ଦୁର୍ନୀତି ଅତୀତରେ ସମଗ୍ର ରାଜ୍ୟରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ପୂର୍ବରୁ ଓଡ଼ିଶାରେ ବ୍ରାଉନସୁଗାର, କ୍ରୋକେନ, ଗଞ୍ଜେଇ, ସାପ ଗରଳ ବେପାରର ପେଣ୍ଠସ୍ଥଳୀ ନବୀନ ଓଡ଼ିଶା । ଏବେ ଦେଶୀ ମଦ ର‌୍ୟାକେଟ ସମଗ୍ର ଉପାନ୍ତ ଅଂଚଳର ଗରିବ ଲୋକଙ୍କୁ ଶୋଷଣ କରି ସାମାଜିକ ଓ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି । ନିର୍ବାଚନବେଳେ ଭୋଟ ହାତେଇବା ପାଇଁ ବିଜୁ ଜନତା ଦଳ ଅଜସ୍ର ଅର୍ଥ ଖର୍ଚ୍ଚ କରେ ଏବଂ ମଦର ବନ୍ୟା ସୃଷ୍ଟି କରେ । ତେଣୁ ‘ସାହୁ ବଦର୍ସ ଆଣ୍ଡ କୋ’ ପାଖରେ ଏତେ ଟଙ୍କା କୁଆଡୁ ଆସିଲା ସେ ନେଇ ତଦନ୍ତ କରାଯାଉ ଓ ମୁଖ୍ୟମନ୍ତ୍ରୀ ନିଜର ସ୍ୱଚ୍ଛତା ପ୍ରତିପାଦନ ପାଇଁ ତଦନ୍ତଭାର ସିବିଆଇ ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।

BjD Bjp