ସିଏମଓରେ ଡିଏସ୍ କୁଟ୍ଟେଙ୍କ ଚ୍ୟାମ୍ବରରୁ ସିସିଟିଭି ଫୁଟେଜ୍ ନଷ୍ଟ କରୁଛି କିଏ ?

ନବୀନ ପଟ୍ଟନାୟକଙ୍କ ପଂଚମପାଳି ସରକାରରେ ସିଏମଓ ସମସ୍ତ ବିଭାଗର ନିଷ୍ପତ୍ତିର ଏକମାତ୍ର କେନ୍ଦ୍ରସ୍ଥଳୀ ଥିଲା ଓ ସେଠାରେ କାର୍ଯ୍ୟରତ ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଓ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଧିକାରୀମାନେ ସବୁ ବିଭାଗର ସୁପର ମିନିଷ୍ଟର ଭଳି ନିଷ୍ପତ୍ତି ନେଉଥିଲେ ।

ଡିଏସ୍ କୁଟ୍ଟେ

  • Published: Thursday, 06 June 2024
  • , Updated: 06 June 2024, 06:03 PM IST

ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ସରକାର ଆସନ୍ତା ୧୦ତାରିଖରେ ଶପଥ ନେବ । ୨୪ବର୍ଷର ବିଜେଡି ଶାସନକୁ ଧୂଳି ଚଟାଇ ବିଜେପି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ବହୁ ବିଭାଗର ସଚିବମାନଙ୍କ ଅଫିସରେ ଗତ ୨ଦିନ ଧରି ଅନେକ ଦସ୍ତାବିଜକୁ ନଷ୍ଟ ଓ ସଜାଡ଼ିବାର ମାରାଥନ୍ କସରତ ଚାଲିଥିବା ଜଣାପଡ଼ିଛି । ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦୁଇଜଣ ଉପଦେଷ୍ଟା ସୁରେଶ ଚନ୍ଦ୍ର ମହାପାତ୍ର ଓ ଆର.ବାଲକ୍ରିଷ୍ଣନ ନିଜ ନିଜର ଇସ୍ତଫା ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବହୁ ଦସ୍ତାବିଜ ନଷ୍ଟ କରାଯାଉଥିବା ଚର୍ଚ୍ଚା ହେଉଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡିଏସ୍ କୁଟ୍ଟେଙ୍କ ଅଫିସ୍ ଚାମ୍ବର ସମ୍ପୂର୍ଣ୍ଣ ଭାବେ ସିସିଟିଭି କ୍ୟାମେରାରେ ରହିଥିଲାବେଳେ ସେସବୁ କମ୍ପ୍ୟୁଟର ଦସ୍ତାବିଜକୁ କାହିଁକି ନଷ୍ଟ କରାଗଲା ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, ଆଇପିଏସ୍ ଡିଏସ୍ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ଥିବା ନିଜ ଅଫିସ୍ ପ୍ରକୋଷ୍ଠରେ ବସି ବିଜେଡି ପାଇଁ କର୍ପୋରେଟ ଚାନ୍ଦାଠୁ ଆରମ୍ଭ କରି ବିଭିନ୍ନ ଡିଲ୍ କରୁଥିଲେ । ଏପରିକି ବିଭିନ୍ନ ମନ୍ତ୍ରୀ, ବିଧାୟକମାନଙ୍କ ସମେତ ରାଜନେତାମାନଙ୍କୁ ଡାକି ତାଗିଦ୍ କରିବାକୁ ପଛାଉ ନଥିଲେ । ସେ ସମସ୍ତ ତଥ୍ୟକୁ କୁଟ୍ଟେ ନିଜ ପ୍ରକୋଷ୍ଠରେ ଲାଗିଥିବା ଗୁପ୍ତ କ୍ୟାମେରାରେ ରେକର୍ଡିଂ କରି ରଖୁଥିଲେ । ତେବେ ନିର୍ବାଚନ କାର୍ଯ୍ୟରେ ଅନଧିକୃତ ହସ୍ତକ୍ଷେପ ଯୋଗୁ ଗତମାସ ୨୮ତାରିଖରେ ନିର୍ବାଚନ କମିଶନ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ରିପୋର୍ଟିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିପାଇଁ ନିଜ ପ୍ରକୋଷ୍ଠରେ ଥିବା କ୍ୟାମେରାର ତଥ୍ୟକୁ ନେବା ଶ୍ରୀ କୁଟ୍ଟେଙ୍କ ପକ୍ଷେ ସମ୍ଭବପର ହୋଇନଥିଲା । ଏପରିକି ବିଜେଡି ପୁଣିଥରେ ସରକାର ଗଢ଼ିବାର ଅତ୍ୟଧିକ ଆତ୍ମବିଶ୍ୱାସ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ଯେଉଁ ସବୁ ଫାଇଲ୍ କାର୍ଯ୍ୟ ଅଧାପନ୍ତରିଆ ରହିଥିଲା ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇନଥିଲା । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ ହେଲେ ପୁରୁଣା ଫାଇଲଗୁଡ଼ିକୁ ନିୟମିତକରଣ କରାଯିବାକୁ ଯୋଜନା ହୋଇଥିଲା । ୱସାସରେ ମଧ୍ୟ ଫାଇଲଗୁଡ଼ିକ ସେଭଳି ପଡ଼ିରହିଥିଲା । ଯଦିଓ ୱସାସରେ ଫାଇଲଗୁଡ଼ିକ ଉପରେ ନିଷ୍ପତ୍ତି ନେବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇଥାଏ ।

ତେବେ ଅପ୍ରତ୍ୟାଶିତ ଭାବେ ବିଜେଡି ସରକାରର ପତନ ସହ ରାଜ୍ୟରେ ବିଜେପି ସରକାର ଗଠନ ହେଉଥିବାରୁ ସିଏମଓରେ ଥିବା ସବୁ ବିଭାଗର ଫାଇଲଗୁଡ଼ିକୁ ଏବେ ଦିନରାତି ସଜାଡ଼ିବାକୁ ପ୍ରୟାସ ହେଉଛି । ଏପରିକି ଅଧିକାଂଶ ଫାଇଲକୁ ନଷ୍ଟ କରାଯାଉଥିବା ମଧ୍ୟ ସୂଚନା ମିଳିଛି । ଯେହେତୁ ନବୀନ ପଟ୍ଟନାୟକଙ୍କ ପଂଚମପାଳି ସରକାରରେ ସିଏମଓ ସମସ୍ତ ବିଭାଗର ନିଷ୍ପତ୍ତିର ଏକମାତ୍ର କେନ୍ଦ୍ରସ୍ଥଳୀ ଥିଲା ଓ ସେଠାରେ କାର୍ଯ୍ୟରତ ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଓ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଧିକାରୀମାନେ ସବୁ ବିଭାଗର ସୁପର ମିନିଷ୍ଟର ଭଳି ନିଷ୍ପତ୍ତି ନେଉଥିଲେ । ତେଣୁ ସରକାରୀ ଦସ୍ତାବିଜରେ ବ୍ୟାପକ ଅନିୟମିତତା ଓ ମନମୁଖୀ ନିଷ୍ପତ୍ତିର ଗନ୍ଧ ବାରି ହୋଇପଡ଼ୁଛି । ଏହି ଅଫିସରମାନେ ନିଜ କରିଥିବା କାର୍ଯ୍ୟ ସେମାନଙ୍କ ପାଇଁ ଭବିଷ୍ୟତରେ କଂଟା ହେବାର ଆଶଙ୍କା କରି ଗତ ଦୁଇଦିନ ମଧ୍ୟରେ ସିଏମଓରୁ ଅନେକ ଦସ୍ତାବିଜକୁ ୨୦ଟି ହାର୍ଡ ଡିସ୍କ ଓ ପେନଡ୍ରାଇଭରେ ସ୍ଥାନାନ୍ତର କରିବା ସହ କିଛି ଫାଇଲକୁ ନଷ୍ଟ କରି ଦେଉଥିବା ଚର୍ଚ୍ଚା ହେଉଛି ।

ସିଏମଓରେ ସବୁଠୁ ପ୍ରଭାବଶାଳୀ ଥିବା ଶ୍ରୀ କୁଟ୍ଟେଙ୍କ ଅଫିସ୍ ଚାମ୍ବରର ଗୁପ୍ତ କ୍ୟାମେରାରେ ରେକର୍ଡ ହୋଇଥିବା ତଥ୍ୟକୁ ଖୋଳତାଡ଼ କଲେ ଏହି ଅଫିସରମାନେ ବିଜେଡି ନାଁରେ କେଉଁ ସବୁ ବେଆଇନ ଓ ବ୍ୟବସାୟିକ ସ୍ୱାର୍ଥ କାର୍ଯ୍ୟରେ ଲିପ୍ତ ଥିଲେ ତାହା ପଦାକୁ ଆସିପାରନ୍ତା । ଏପରିକି ବିଜେଡିର ରାଜନୀତିକ ନିଷ୍ପତ୍ତି ଓ ନିର୍ବାଚନୀ କାର୍ଯ୍ୟରେ ଶ୍ରୀ କୁଟ୍ଟେ ଓ ଅନ୍ୟ ଅଫିସରମାନଙ୍କ ସମ୍ପୃକ୍ତିର ତଥ୍ୟ ମଧ୍ୟ ସର୍ବସାଧାରଣ ଜାଣିବାର ସୁଯୋଗ ପାଇପାରନ୍ତେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାରବେଳେ ବିଜେପିର ଷ୍ଟାର ପ୍ରଚାରକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜ୍ୟରେ ବିଜେପି ସରକାରକୁ ଆସିଲେ ବିଗତ ବର୍ଷକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡିଜିଟାଲ ଦସ୍ତଖତରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିର ଯାଂଚ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Related story