Advertisment

ପାଗଳାମୀ ନା ପବ୍‌ଜୀ ପ୍ରେମ: କାହିଁକି ବାପା, ମା’ ଓ ଭଉଣୀଙ୍କୁ ମାରିଦେଲେ ଯୁବକ?

ସୂର୍ଯ୍ୟକାନ୍ତଙ୍କର ମୁଣ୍ଡ ଦୋଷ ଅଛି। ସେଥିପାଇଁ ସେ ଟିକେ ଟିକେ କଥାରେ ରାଗି ଯାଆନ୍ତି। ବେଳେ ବେଳେ କାହାକୁ କିଛି ନ କହି ଘରୁ ବାହାରି ପଳାନ୍ତି ଓ ଦୀର୍ଘ ସମୟ ପରେ ଘରକୁ ଫେରନ୍ତି।

ଅଦ୍ୟତନ ହୋଇଛି
Victim

Victim

Advertisment

ଜଗତସିଂହପୁର ଜିଲ୍ଲା ସଦର ଥାନା ଜୟବଡ଼ ଗାଁରେ ଜଣେ ଯୁବକ ତାଙ୍କ ବାପା, ମା’ ଓ ଭଉଣୀଙ୍କୁ ପଥର ଓ ହେମଦସ୍ତା ବାଡ଼ିରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

Advertisment

ମୃତକମାନେ ହେଉଛନ୍ତି- ପ୍ରଶାନ୍ତ ସେଠୀ ଓରଫ କାଳିଆ (୬୫), କନକଲତା ସେଠୀ (୬୦) ଓ ରୋଜାଲିନୀ ସେଠୀ (୨୫)। ଅଭିଯୁକ୍ତଙ୍କ ନାଁ ସୂର୍ଯ୍ୟକାନ୍ତ ସେଠୀ ଓରଫ ବଣ୍ଟି (୨୨)। ସେ ହେଉଛନ୍ତି ପ୍ରଶାନ୍ତ ଓ କନକଲତାଙ୍କ ସାନ ପୁଅ।

ପ୍ରଶାନ୍ତଙ୍କର ଗୋଟିଏ ଲଣ୍ଡ୍ରୀ ଅଛି। ସେ ସେଠାରେ କାମ କରୁଥିଲେ। ତାଙ୍କର ୪ ସନ୍ତାନ। ୩ ପୁଅ ଓ ଗୋଟିଏ ଝିଅ ମଧ୍ୟରେ ସୂର୍ଯ୍ୟକାନ୍ତ ହେଉଛନ୍ତି ସମସ୍ତଙ୍କଠାରୁ ସାନ। ସେ ଜଣେ ଗ୍ରାଜୁଏଟ। ତେବେ କିଛି କାମଧନ୍ଦା କରନ୍ତି ନାହିଁ। ଘରେ ରହନ୍ତି। ସୂର୍ଯ୍ୟକାନ୍ତଙ୍କର ଟିକେ ମୁଣ୍ଡ ଦୋଷ ଅଛି ବୋଲି ତାଙ୍କ ମଝିଆଁ ଭାଇ ଉମାକାନ୍ତ ସେଠୀ କହିଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ଏହି ଘଟଣାଟି ଘଟିଛି। ବାପା, ମା’ ଓ ଭଉଣୀଙ୍କୁ ହତ୍ୟା କରିବା ପରେ ପଡ଼ୋଶୀଙ୍କ ଘରର କବାଟ ବାଡ଼େଇ ଥିଲେ ସୂର୍ଯ୍ୟକାନ୍ତ। ସେ ତାଙ୍କ ବାପା, ମା’ ଓ ଭଉଣୀଙ୍କୁ ମାରି ଦେଇଥିବା ପଡ଼ୋଶୀମାନଙ୍କୁ କହିଥିଲେ। ଏହା ପରେ ସେ ଘର ଭିତରକୁ ଯାଇ ପୋଷାକ ବଦଳାଇଥିଲେ ଓ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଘଟଣା ସଂପର୍କରେ ଖବର ପାଇ ଆଜି ପୁଲିସ ପହଞ୍ଚି ତଦନ୍ତ କରିଛି। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଅଭିଯୁକ୍ତ ସୂର୍ଯ୍ୟକାନ୍ତଙ୍କୁ ନିକଟସ୍ଥ ବାଳିକା ଉଚ୍ଚ ବିଦ୍ୟାଳୟ ପାଖରୁ ଗିରଫ କରିଥିଲା। ସେ କାହିଁକି ତାଙ୍କ ବାପା, ମା’ ଓ ଭଉଣୀଙ୍କୁ ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ। ସେହିପରି ପଚରାଉଚରା ବେଳେ ସୂର୍ଯ୍ୟକାନ୍ତ କ’ଣ କହିଛନ୍ତି, ସେ ନେଇ ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ କିଛି ସୂଚନା ଦେଇ ନାହିଁ।

Victim's Familyପ୍ରଶାନ୍ତ ସେଠୀଙ୍କ ପରିବାର (ଫାଇଲ ଫଟୋ)।

ସୂର୍ଯ୍ୟକାନ୍ତଙ୍କର ମୁଣ୍ଡ ଦୋଷ ଅଛି। ସେଥିପାଇଁ ସେ ଟିକେ ଟିକେ କଥାରେ ରାଗି ଯାଆନ୍ତି। ବେଳେ ବେଳେ କାହାକୁ କିଛି ନ କହି ଘରୁ ବାହାରି ପଳାନ୍ତି ଓ ଦୀର୍ଘ ସମୟ ପରେ ଘରକୁ ଫେରନ୍ତି। ତେଣୁ କିଛି ଛୋଟ ଘଟଣାକୁ ନେଇ ବା ବାପାମା’ଙ୍କ କୌଣସି ପ୍ରକାର ଆକଟକୁ ନେଇ ସେ ଏହି ହତ୍ୟାକାଣ୍ଡ ଘଟାଇ ଥିବେ ବୋଲି କୁହାଯାଉଛି। କାରଣ ପୂର୍ବରୁ ବିଭିନ୍ନ ସମୟରେ ବାପାମା’ଙ୍କ ସହିତ ତାଙ୍କର କଳିଝଗଡ଼ା ହୋଇଛି। ଅନ୍ୟପକ୍ଷରେ ଏହା ମଧ୍ୟ ଜଣାପଡ଼ିଛି ଯେ ସେ ବେଶ୍ କିଛି ଦିନ ହେବ ମୋବାଇଲ୍‌ରେ ଗେମ୍‌ ଖେଳିବା ନିଶାରେ ପଡ଼ିଯାଇଥିଲେ। ସେଥିପାଇଁ ତାଙ୍କ ବାପାମା’ କାଳେ ତାଙ୍କ ଉପରେ ମଝିରେ ମଝିରେ ବିରକ୍ତ ହେଉଥିଲେ। ତାଙ୍କୁ ମୋବାଇଲେ ଗେମ୍ ନ ଖେଳିବାକୁ କହୁଥିଲେ। ଏମିତିକି ମୋବାଇଲ ଦେଉ ନଥିଲେ। ଏହି କଥାକୁ ନେଇ ମଧ୍ୟ ସେ ତାଙ୍କ ବାପା, ମା’ ଓ ଭଉଣୀଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି।

ସୂର୍ଯ୍ୟକାନ୍ତଙ୍କ ଭାଇ ଉମାକାନ୍ତ ସେଠୀ କହିଛନ୍ତି, ସେ (ସୂର୍ଯ୍ୟକାନ୍ତ) ପାଗଳାମୀରେ ଏହି କାଣ୍ଡ ଘଟାଇଛି। ତା’ର ଆଗରୁ ଟିକେ ଟିକେ ପାଗଳାମୀ ଥିଲା। ଏଇ ଚାରି ପାଞ୍ଚ ଦିନ ହେବ ଟିକେ ବଢ଼ିଥିଲା। ଆମେ ଭାବିଥିଲୁ ଗେମ୍ ଖେଳିବାକୁ ମୋବାଇଲ ଦିଆଯାଉ ନଥିବାରୁ ସେମିତି ହେଉଛି। କିନ୍ତୁ ଗତକାଳି ଏତେ ବଡ଼ କାଣ୍ଡ କରି ଦେଇଛି। ବାପା, ମା’ ଓ ଭଉଣୀଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଛି। ଏମିତି କିଛି ଘଟାଇବ ବୋଲି ଆମେ କେବେ ଭାବି ନଥିଲୁ। ଆମେ କେବେ ତାକୁ ଡାକ୍ତରଙ୍କ ପାଖକୁ ନେଇ ନଥିଲୁ। ୟା ମଧ୍ୟରେ କେବେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେବୁ ବୋଲି ଭାବିଥିଲୁ। ଦିନେ ଦିନେ ସକାଳୁ ସାଇକେଲ ନେଇ କେଉଁଆଡ଼େ ପଳାଏ। କାହାକୁ କିଛି କହେ ନାହିଁ। ଖରାବେଳେ ଘରକୁ ଫେରିବ। ଗାଧୁଆପାଧୁଆ କରିବନି କି ଖାଇବନି। କାହା କଥା ଶୁଣେ ନାହିଁ। କାହା ସହିତ ଉଠାବସା କରିବନି। ସେ ଗୋଟିଏ ଜାଗାରେ ଗୁମ୍‌ ମାରି ବସିରହେ ଓ ଏଣୁତେଣୁ କଥା ଗପୁଥାଏ। ଘରେ କେହି କିଛି କହିଲେ ରାଗିଯାଏ। ମୋବାଇଲ୍‌ରେ ପବଜୀ ଆଦି କିଛି ଖେଳୁଥିଲା ବୋଲି ମୁଁ ଶୁଣିଛି। ମୁଁ ବାହାରେ ରହେ। ତେଣୁ କେବଳ ଏନେଇ ଶୁଣିଛି। ବାପାମା’ ବି କହୁଥିଲେ ଯେ ସେ ମୋବାଇଲରେ ଗେମ୍ ଖେଳୁଛି। ଆମେ ତାଙ୍କୁ ପଇସା ଦେଉନା। କେତେବେଳେ କେମିତି ୧୦/୨୦ ଟଙ୍କା ଦିଆଯାଏ।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe