/odisha-reporter/media/post_attachments/uploadimage/library/16_9/16_9_0/IMAGE_1753958696.jpg)
Sarthak Sourabh and Archana
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା OSDMAରେ ଡିଜିଏମ୍ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ତାଙ୍କ ପତ୍ନୀ ଅର୍ଚ୍ଚନା ଦାଶ ବୁଧବାର ଭୁବନେଶ୍ୱର ମହିଳା ଥାନାରେ ଏଫଆଇଆର ଦେଇଛନ୍ତି।
ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର ତାଙ୍କ ପ୍ରତି କ୍ରୁର ବ୍ୟବହାର କରିଥିବା, ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ତଥା ଜାଣିଶୁଣି ତାଙ୍କର ତଥା ତାଙ୍କ ନବଜାତ ପୁଅର ଦାୟିତ୍ୱ ନେଉ ନଥିବା ଓ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଏବଂ ତାଙ୍କ ପୁଅକୁ ଅବହେଳା କରୁଥିବା ଭଳି ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା ଦାଶ।
ସ୍ୱାମୀ ସାର୍ଥକ ସୌରଭ ମହାପାତ୍ରଙ୍କ ସହିତ ଅର୍ଚ୍ଚନା ତାଙ୍କ ଶାଶୂ କବିତା ମଞ୍ଜରୀ ରଥ ଓ ନଣଦ ସାଇନା ସୋନାଲି ମହାପାତ୍ରଙ୍କ ବିରୋଧରେ ମଧ୍ୟ ଏଫଆଇଆର ଦେଇଛନ୍ତି। ସେମାନେ ମଧ୍ୟ ତାଙ୍କୁ ମାନସିକ ନିର୍ଯାତନା ଦେବା ସହିତ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି।
ଶ୍ରୀ ମହାପାତ୍ର ଜଣେ ଓଏଏସ୍ ହୋଇଥିବା ବେଳେ ତାଙ୍କ ପତ୍ନୀ ଅର୍ଚ୍ଚନା ଦାଶ ଜଣେ ଇଞ୍ଜିନିୟର। ସେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ୨୦୨୪ ଫେବ୍ରୁଆରୀ ମାସ ୨୧ ତାରିଖରେ ସେମାନଙ୍କ ବାହାଘର ହୋଇଥିଲା। ଅର୍ଚ୍ଚନା ଦାଶଙ୍କ ଓକିଲଙ୍କ ସୂଚନା ଅନୁଯାୟୀ, ବାହାଘର ପରଠାରୁ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର ତାଙ୍କୁ ବହୁ ମାନସିକ ନିର୍ଯାତନା ଦେଇଛନ୍ତି। ତେବେ ଛୁଆପିଲା ହେବା ପରେ ସବୁ ଠିକ୍ ହୋଇଯିବ ବୋଲି ସେ ଭାବିଥିଲେ। କିନ୍ତୁ ଫଳ ଓଲଟା ହେଲା। ଛୁଆ ହେବାର ଦୁଇ ଦିନ ପରେ ତାଙ୍କୁ ହସ୍ପିଟାଲରେ ଛାଡ଼ି ପଳାଇଗଲେ ଓଏଏସ୍ ଅଫିସର ଶ୍ରୀ ମହାପାତ୍ର। ଏମିତିକି ସେ ପୁଅର ମୁହଁ ବି ଦେଖିବାକୁ ଚାହୁଁ ନାହାନ୍ତି।
ଅର୍ଚ୍ଚନା ଦାଶ କହିଛନ୍ତି, ଗତ ମେ’ ୭ ତାରିଖରେ ମୋ ପୁଅ ଜନ୍ମ ହୋଇଥିଲା। ମେ’ ୧୦ ତାରିଖ ଯାଏ ମୋ ସ୍ୱାମୀ ହସ୍ପିଟାଲରେ ଥିଲେ। ମେ’ ୧୦ ତାରିଖ ସକାଳୁ ସେ ମୋତେ ଓ ମୋ ପୁଅକୁ ହସ୍ପିଟାଲରେ ଛାଡ଼ି ପଳାଇଥିଲେ। ଔଷଧ ପ୍ରଭାବରେ ମୁଁ ଶୋଇଥିବା ବେଳେ ସେ ମୋତେ କିଛି ନଜଣାଇ ପଳାଇଥିଲେ। ପରେ ମୁଁ ତାଙ୍କୁ ଯୋଗାଯୋଗ କରିବାକୁ ବହୁତ ଚେଷ୍ଟା କରିଥିଲି। ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କ ପଟରୁ କିଛି ପ୍ରତିକ୍ରିୟା ଆସି ନଥିଲା। ସେ କାହିଁକି ଆମକୁ ଛାଡ଼ିକି ଗଲେ, ତା’ର ନା କିଛି କାରଣ ଅଛି ନା ସେ ଭେଟି ଏ ବିଷୟରେ ଆଲୋଚନା କରିବାକୁ ଚାହୁଁଛନ୍ତି। ଏମିତିକି କେଉଁଭଳି ପରିସ୍ଥିତିରେ ମୁଁ ହସ୍ପିଟାଲରୁ ଡିସ୍ଚାର୍ଜ ହେଲି ତାହା ସେ ଜାଣିବାକୁ ଚାହିଁ ନାହାନ୍ତି କି ଛୁଆ କେମିତି ଅଛି, ତାହା ଜାଣିବାକୁ ଚାହିଁ ନାହାନ୍ତି। ଯେହେତୁ ମୋତେ ମାନସିକ ସ୍ତରରେ ନିର୍ଯାତନା ଦିଆଯାଇଛି ଓ ମୋ ଛୁଆ ପ୍ରତି ଅମାନବିକତା ପ୍ରଦର୍ଶନ ହୋଇଛି, ସେଥିପାଇଁ ମୁଁ ଥାନାରେ ଅଭିଯୋଗ କରିଛି।
ସହକାରୀ ନିର୍ବାହୀ ଯନ୍ତ୍ରୀ ଅର୍ଚ୍ଚନା ଦାଶଙ୍କ ଓକିଲ କହିଛନ୍ତି, ସିଜରିଆନ ହୋଇଥିବା ପତ୍ନୀ (ଅର୍ଚ୍ଚନା ଦାଶ) ଓ ନବଜାତ ଛୁଆକୁ ହସ୍ପିଟାଲ ବେଡ୍ରେ ଛାଡ଼ି ସେ (ଓଏଏସ୍ ଅଫିସର ଶ୍ରୀ ମହାପାତ୍ର) ପଳାଇଥିଲେ। ସେତେବେଳେ ତାଙ୍କ ପତ୍ନୀ ଓ ଛୁଆଙ୍କ ସହିତ ଆଉ କେହି ଉପସ୍ଥିତ ନଥିଲେ। ରାସ୍ତାରେ ଛୋଟ ଦୁର୍ଘଟଣାଟିଏ ହେଲେ ମଧ୍ୟ ଲୋକେ ଆହତଙ୍କୁ ହସ୍ପିଟାଲ ନେଇ ତାଙ୍କର କେହି ସଂପର୍କୀୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ସେତିକି ମାନବିକତା ଆମ ସମସ୍ତଙ୍କ ମଧ୍ୟରେ ଅଛି। କିନ୍ତୁ ସେ ଦୁଇ ଦିନର ନବଜାତ ପୁଅକୁ ହସ୍ପିଟାଲ ବେଡ୍ରେ ଛାଡ଼ି ପଳାଇଥିଲେ। କୌଣସି କାରଣ ନଥାଇ ସେ ଏଭଳି କରିଥିଲେ। ତାଙ୍କ ପତ୍ନୀ ତାଙ୍କୁ ଯୋଗାଯୋଗ କରିବାକୁ ବହୁ ପ୍ରୟାସ କରି ବିଫଳ ହୋଇଥିଲେ। ୧୫/୨୦ ଦିନ ପର୍ଯ୍ୟନ୍ତ ତାଙ୍କ ସହିତ ଆଦୌ ଯୋଗାଯୋଗ ହୋଇପାରି ନଥିଲା। ଅର୍ଚ୍ଚନା ଦାଶ ଡାକ୍ତରଖାନାରୁ ଡିସ୍ଚାର୍ଜ ବି ହୋଇପାରୁ ନଥିଲେ। ତାଙ୍କ ବାପାମା’ ଆସି ତାଙ୍କୁ ଡିସ୍ଚାର୍ଜ କରି ନେଇଥିଲେ। ତା’ପରେ ବି ଅର୍ଚ୍ଚନା ଦାଶ ତାଙ୍କ ସ୍ୱାମୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କାଳେ ଶାଶୁଙ୍କ ଦେହ ଖରାପ ହୋଇଥିବ, ଏମିତି ସବୁ ଭାବି ସେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ଲାଭ ମିଳି ନଥିଲା। ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ ସେ ତାଙ୍କ ପତ୍ନୀ ଅର୍ଚ୍ଚନା ଦାଶଙ୍କ ସହିତ ରହିବାକୁ ଚାହୁଁ ନାହାନ୍ତି କି ଆଲୋଚନା କରିବାକୁ ବି ଚାହୁଁ ନାହାନ୍ତି। ବାହାଘର ପରଠୁ ଅର୍ଚ୍ଚନା ଦାଶଙ୍କୁ ବହୁ ମାନସିକ ନିର୍ଯାତନା ଦିଆଯାଉଥିଲା। କିନ୍ତୁ ଅର୍ଚ୍ଚନା ଭାବିଥିଲେ ଛୁଆପିଲା ହେଲା ପରେ ସବୁ ଠିକ୍ ହୋଇଯିବ। କିନ୍ତୁ ଛୁଆ ହେବାର ୨ ଦିନ ପରେ ତାଙ୍କୁ ହସ୍ପିଟାଲରେ ଛାଡ଼ି ପଳାଇଥିଲେ ତାଙ୍କ ଓଏଏସ୍ ସ୍ୱାମୀ। ସେ ବହୁତ ଘୃଣ୍ୟ କାମ କରିଛନ୍ତି।
ଅର୍ଚ୍ଚନାଙ୍କ ଓକିଲଙ୍କ ସୂଚନା ଅନୁଯାୟୀ, ଆପୋଷ ଆଲୋଚନା ପାଇଁ ଗତ ଅଢ଼େଇ ମାସରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ଥରେ ଆସିଥିଲେ ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ର। କିନ୍ତୁ ସେତେବେଳେ ମଧ୍ୟ ସେ ତାଙ୍କ ପତ୍ନୀ ଅର୍ଚ୍ଚନା ଦାଶଙ୍କୁ ଦୁର୍ବ୍ୟବହାର କରିଥିଲେ। ଯେତେବେଳେ ସ୍ୱାମୀ-ସ୍ତ୍ରୀଙ୍କୁ ଏକୁଟିଆ ଛଡ଼ା ହୋଇଥିଲା କଥାବାର୍ତ୍ତା ହେବାକୁ, ସେତେବେଳେ ସେ ଅର୍ଚ୍ଚନାଙ୍କୁ ଖରାପ ବ୍ୟବହାର କରିଥିଲେ। ସେ ସବୁ କଥାରେ ଛାଡ଼ପତ୍ର ଦେବାକୁ ଧମକ ଦେଇଥିଲେ।
ଅର୍ଚ୍ଚନାଙ୍କ ଓକିଲ ଆହୁରି କହିଛନ୍ତି ଯେ ଶ୍ରୀ ମହାପାତ୍ର ଜଣେ ପବ୍ଲିକ୍ ସର୍ଭେଣ୍ଟ। ଜନସାଧାରଣଙ୍କ ପ୍ରତି ତାଙ୍କର ବିଶେଷ ଦାୟିତ୍ୱ ରହିଛି। ବ୍ୟକ୍ତିଗତ ଜୀବନରେ ତାଙ୍କ ବ୍ୟବହାର ଅତି ଅମାନବୀୟ। ସେ ତାଙ୍କ ପୁଅର ମୁହଁ ବି ଦେଖିବାକୁ ଚାହୁଁ ନାହାନ୍ତି। ଯଦି ଏହା ପଛରେ କାରଣ ସେ ନକହିବେ, ତା’ହେଲେ ଏହାର ସମାଧାନ କେମିତି ହୋଇପାରିବ। ସେଥିପାଇଁ ଆମେ ଏଫଆଇଆର ଦେଇଛୁ। ଆମେ ଚାହୁଁଛୁ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ହେଉ। ଅର୍ଚ୍ଚନା ଦାଶଙ୍କୁ ନ୍ୟାୟ ମିଳୁ। ଯଦିଓ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କିଛି ଘଟିଛି, କିନ୍ତୁ ସେ ଛୁଆଟା କ’ଣ ଭୁଲ କରିଥିଲା? ଶ୍ରୀ ମହାପାତ୍ରଙ୍କ ମା’ ଓ ଭଉଣୀଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି। ଏହି ଘଟଣା ପଛରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବୋଲି ଅର୍ଚ୍ଚନା ଦାଶଙ୍କ ଓକିଲ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
