ଆଉ ମାତ୍ର ୧୨ ଦିନ ପରେ ରାଜ୍ୟର ତତ୍କାଳୀନ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୨ ବର୍ଷ ପୂରିବ। ହତ୍ୟାକାରୀ ଗିରଫ ହୋଇଛି ସତ, ହତ୍ୟା ପଛର କାରଣ ଏବେବି ରହସ୍ୟ ଘେରରେ ରହିଛି। ଏସବୁ ମଧ୍ୟରେ ମୃତ ନବ ଦାସଙ୍କ ପରିବାର ଘଟଣାର ସିବିଆଇ ତଦନ୍ତ ଦାବି କରିବା ଘଟଣା ପୁଣି ଥରେ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ନୂଆମୋଡ଼ ଦେଇଛି।
ସିବିଆଇ ତଦନ୍ତ ଦାବିକୁ ବିଜେପି, ବିଜେଡି ଓ କଂଗ୍ରେସ ସମର୍ଥନ କରିଛନ୍ତି ତଥା ସତ ପଦାକୁ ଆସୁ ବୋଲି ସମସ୍ତେ ଚାହୁଁଛନ୍ତି, କିନ୍ତୁ ସତ କିଭଳି ପଦାକୁ ଆସିବ ତା’ର ମାର୍ଗକୁ ପ୍ରଶସ୍ତ କରାଯାଉନି, ଓଲଟା ଜଣେ ମନ୍ତ୍ରୀଙ୍କ ହତ୍ୟା ମାମଲାକୁ ନେଇ ସବୁ ଦଳ ନିଜର ରାଜନୀତିକ ରୁଟି ସେକିବାରେ ବ୍ୟସ୍ତ ରହିଛନ୍ତି। ଯାହାକି ରାଜ୍ୟ ରାଜନୀତିକୁ ପୁଣି ଥରେ ସରଗରମ କରିଛି। ଏପଟେ ରାଜ୍ୟ ଆଇନ ମନ୍ତ୍ରୀଙ୍କ ବୟାନ ବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ପୂର୍ବ ସରକାରକୁ ସମାଲୋଚନା କରିବାକୁ ଯାଇ ଆଇନମନ୍ତ୍ରୀ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କୋର୍ଟକୁ ବଲ୍ ପକାଇଛନ୍ତି। ତେବେ ଏହି ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ମାର୍ଗ ମୋହନ ମାଝୀ ସରକାର ପାଇଁ ଏତେ ସହଜ ହେବନି ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଝାରସୁଗୁଡ଼ାରେ ରାଜନୀତିକ କାରଣ ପାଇଁ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହେବାର ସାଇଡ ଇଫେକ୍ଟ ଏବେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛି। ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଗଣମାଧ୍ୟମକୁ ଆସି ତାଙ୍କ ପିତା ନବ ଦାସଙ୍କୁ ପୁଲିସ ଜରିଆରେ ହତ୍ୟା କରାଯାଇଛି ବୋଲି କହିବାର ୪୮ ଘଣ୍ଟା ଭିତରେ ଦୀପାଳି ଓ ତାଙ୍କ ଭାଇ ବିଶାଳ ଉଭୟ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି। ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ନବଙ୍କ ପରିବାର ସଦସ୍ୟ ଏହି ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରି ପରୋକ୍ଷରେ ନିଜ ଦଳର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କ୍ରାଇମବ୍ରାଂଚ ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦିଓ ପୂର୍ବରୁ ବିଜେପି ଓ କଂଗ୍ରେସ ମଧ୍ୟ ଏହି କ୍ରାଇମବ୍ରାଂଚ ତଦନ୍ତ ଉପରେ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇ ସାରିଛନ୍ତି। ବିଜେପି ରାଜ୍ୟରେ ବିରୋଧୀ ଦଳରେ ଥିବାବେଳେ ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ବାରମ୍ବାର ଦାବି କରିଆସୁଥିଲା।
କିନ୍ତୁ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ପ୍ରାୟ ୭ ମାସ ପରେ ନବ ଦାସ ହତ୍ୟା ମାମଲା ପୁଣି ଥରେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ଦୀପାଳି-ବିଶାଳଙ୍କ ସିବିଆଇ ତଦନ୍ତ ଦାବି ମଧ୍ୟରେ ଆଜି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଦେଇଥିବା ବୟାନ ମଧ୍ୟ ବେଶ୍ ଗୁରୁତ୍ୱ ବହନ କରୁଛି। ନବ ଦାସ ହତ୍ୟା ମାମଲାରେ ଦୀପାଳିଙ୍କ ବୟାନ ଉପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, “ଖାଲି ଗଣମାଧ୍ୟମ ଆଗରେ କହିଦେଲେ ସିବିଆଇ ତଦନ୍ତ ହୋଇଯିବ ନାହିଁ। ଯଦି ପୂର୍ବ ସରକାରର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି, ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ। ସିବିଆଇ ତଦନ୍ତ ହେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ବିଚାର କରିବେ। କେସ୍ ରିଓପନ୍ କରାଯିବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ବିଳମ୍ବରେ ହେଲେ ବି କ୍ରାଇମବ୍ରାଂଚ ତଦନ୍ତ ନାଁରେ ପୂର୍ବ ସରକାର ଭୁଆଁ ବୁଲେଇଥିଲେ ଓ ଭୁଲ୍ ଭୁଲେୟା ସ୍ଥିତି କରିଥିଲେ ବୋଲି ଦୀପାଳି ଉପଲବ୍ଧି କରିଛନ୍ତି। ଆମେ ମଧ୍ୟ ପ୍ରଶ୍ନ ଉଠାଇଥିଲୁ। ଯିଏ ଗୁଳି କଲା ଧରାପଡ଼ିଲା, କିନ୍ତୁ କାହିଁକି ମାରିଲା ପଚାରିଲେ ପୂର୍ବ ସରକାରଙ୍କ ପାଖରେ ଉତ୍ତର ନଥିଲା। କ୍ରାଇମବ୍ରାଂଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି। ସତ୍ୟ ବାହାରିବ ନାହିଁ। ସେହିକଥା ଏବେ ହେଲା।”
ରାଜ୍ୟ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଏହି ବୟାନ ହିଁ କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା ନଥିବାକୁ ଇଙ୍ଗିତ କରୁଛି। ଆଉ ସିବିଆଇକୁ ହସ୍ତାନ୍ତର ଓ କେସ୍ ରିଓପନ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ କହି ପରୋକ୍ଷରେ ନିଜ ସରକାରର ମୁଖିଆଙ୍କ ଆଡ଼କୁ ବଲ୍ ଫିଙ୍ଗିଛନ୍ତି। ସେହିପରି ଆଜି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଚିରାଚରିତ ଢଙ୍ଗରେ ନବ ଦାସ ହତ୍ୟା ପଛରେ ଜଣେ ଆଇଏଏସ୍ ଓ ଜଣେ ଆଇପିଏସଙ୍କ ଅଫିସରଙ୍କ ସମେତ ୨ ଜଣ ରାଜନେତାଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଶ୍ରୀ ମିଶ୍ର ବିଧାନସଭାରେ ଏହି ଷଡ଼ଯନ୍ତ୍ରକାରୀଙ୍କ ନାଁ ମଧ୍ୟ ଉଲ୍ଲେଖ କରିସାରିଛନ୍ତି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ମଧ୍ୟ ସେ କ୍ରମାଗତ ଦାବି କରି ଆସୁଛନ୍ତି। ସିବିଆଇ ତଦନ୍ତ ଦାବିକୁ ସେ ସମର୍ଥନ କରି ଆବଶ୍ୟକ ପଡ଼ିଲେ ନବ ଦାସଙ୍କ ପରିବାରକୁ ସହଯୋଗ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ମଧ୍ୟ ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିବ ବୋଲି କହିଛନ୍ତି।
ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି, “ନବ ଦାସ ହତ୍ୟା ମାମଲାରେ ଯେହେତୁ ତାଙ୍କ ଝିଅ ସିବିଆଇ ତଦନ୍ତ ଦାବି କରୁଛନ୍ତି, ତେଣୁ ଏହା ହେବା ଆବଶ୍ୟକ। ଆଗରୁ ତଦନ୍ତ ତ ହୋଇଥିଲା, ଦୋଷୀ ଧରାପଡ଼ିଥିଲେ। ସରକାର ନିଷ୍ପତ୍ତି ନେବା ଦରକାର। ସିବିଆଇ ଗୋଟିଏ ଭଲ ତଦନ୍ତକାରୀ ସଂସ୍ଥା, ସେଥିପାଇଁ ଝିଅ ଦୀପାଳି ଭାବୁଥିବେ ଆଉ କିଏ ଦୋଷୀ ରହିଯାଇଥିବ ବୋଲି। ତେଣୁ ତଦନ୍ତ ହେଲେ ଭଲ ହେବ।”
ଏବେ ପ୍ରଶ୍ନ ଉଠୁଛି...
୧- ନବ ଦାସ ହତ୍ୟା ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ନିଷ୍ପତ୍ତି ମୋହନ ମାଝୀ ସରକାରଙ୍କ ପାଇଁ ଉଭୟ ରାଜନୀତିକ ଓ ପ୍ରଶାସନିକ ଦୃଷ୍ଟିରୁ ବୁମେରାଂ ହେବନାହିଁ ତ?
୨- ସିବିଆଇ ତଦନ୍ତ ଓ କେସ୍ ରିଓପନିଂ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ ବୋଲି ଆଇନ ମନ୍ତ୍ରୀ କହିବାର ପ୍ରାସଙ୍ଗିକତା ଓ ଆବଶ୍ୟକତା ଏବେ କ’ଣ ଥିଲା? ଏହା ପଛର ଟେକନିକାଲ ସମସ୍ୟା ପ୍ରତି କ’ଣ ଆଇନମନ୍ତ୍ରୀ ଅବଗତ ନାହାନ୍ତି କି?
୩- ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତଦାରଖରେ ରାଜ୍ୟ ପୁଲିସର କ୍ରାଇମବ୍ରାଂଚ ସଂସ୍ଥା କୌଣସି ମାମଲାର ତଦନ୍ତ କରୁଥିବାବେଳେ ତାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା କ’ଣ ରାଜ୍ୟ ପୁଲିସର ମନୋବଳକୁ ହ୍ରାସ କରିବ ନାହିଁ କି?
୪- ବିଜେପି ରାଜ୍ୟରେ ସରକାରକୁ ଆସିବା ପରେପରେ ନବଦାସ ହତ୍ୟା ମାମଲାର ଅଗ୍ରଗତିର ଉଚ୍ଚସ୍ତରୀୟ ସମୀକ୍ଷା ସହ ମାମଲାର ତ୍ୱରିତ୍ ଫଇସଲା ଉପରେ କାହିଁକି ପ୍ରାଥମିକତା ଦେଲାନି?
୫- ନବ ଦାସ ହତ୍ୟା ମାମଲାରେ ରାଜନୀତିକ ଷଡ଼ଯନ୍ତ୍ର ଓ ସମ୍ପୃକ୍ତିର ଦିଗକୁ ଏପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରାଯାଇନି? ବିଜେଡି ସରକାର ଅମଳରେ ତଦନ୍ତର ଏହି ଦିଗକୁ ଅଜଣା କାରଣରୁ ନଛୁଇଁବାକୁ ନେଇ ଯେଉଁ ତ୍ରୁଟି ହୋଇଥିଲା,ତାକୁ ସଂଶୋଧନ କରିବା ଦିଗରେ ବିଜେପି ସରକାର ଏପର୍ଯ୍ୟନ୍ତ କରିଛନ୍ତି କ’ଣ?
୬- ସିବିଆଇକୁ ଅସାଧାରଣ ପରିସ୍ଥିତିରେ ହିଁ ମାମଲା ହସ୍ତାନ୍ତର ପାଇଁ ସୁପ୍ରିମକୋର୍ଟ ନିକଟରେ ରୁଲିଂ ଦେଇସାରିଛନ୍ତି। ରାଜ୍ୟ ପୁଲିସଠୁ ତଦନ୍ତ ଛଡ଼ାଇ ଆଣି ସିବିଆଇକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଉପଯୁକ୍ତ କାରଣ ଦର୍ଶାଇବାକୁ ପଡ଼ିବ। ଏପରିକି ସମ୍ବିଧାନର ଧାରା-୨୨୬ରେ ହାଇକୋର୍ଟ କୌଣସି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିପାରିବେ କିନ୍ତୁ ଆବଶ୍ୟକ କାରଣ ଦେବାକୁ ମଧ୍ୟ ସୁପ୍ରିମକୋର୍ଟ ରୁଲିଂ ଦେଇଛନ୍ତି। ତେଣୁ ମାମଲା ହସ୍ତାନ୍ତର ଅବା ରିଓପନିଂ କରିବାକୁ ହେଲେ ମୋହନ ସରକାର କେଉଁସବୁ କାରଣରୁ ଏହା କରୁଛନ୍ତି ତା’ର ଯଥାର୍ଥ କାରଣ ଦେବାକୁ ବାଧ୍ୟ ହେବେ। ଯାହା ମୋହନ ସରକାର ପାଇଁ ନୂଆ ରାଜନୀତିକ ଓ ପ୍ରଶାସନିକ ଅଡ଼ୁଆ ସୃଷ୍ଟି କରିବାର ଆଶଙ୍କା ରହିଛି।
୭- ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସର୍ବସାଧାରଣରେ ହତ୍ୟା କରାଗଲା। ଆଉ ହତ୍ୟା ପଛର ରହସ୍ୟ ଉଜାଗର କରିବା ହେଉଛି ସରକାରଙ୍କ ଅଧୀନରେ ତଦନ୍ତକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ। କିନ୍ତୁ ତା’ ନକରି ମୃତ ମନ୍ତ୍ରୀଙ୍କ ପରିବାର ସଦସ୍ୟ କେବଳ କଥାରେ ନୁହେଁ ଲିଖିତ ଭାବେ ଦିଅନ୍ତୁ ବୋଲି ରାଜ୍ୟ ଆଇନମନ୍ତ୍ରୀ କାହିଁକି କହିବା କେତେ ଯଥାର୍ଥ? ପୂର୍ବ ସରକାର ଜଣେ ମନ୍ତ୍ରୀ(ନବ ଦାସ)ଙ୍କ ହତ୍ୟାର ତଦନ୍ତରେ ଅଗ୍ରଗତିକୁ ନେଇ କାହିଁକି ବର୍ତ୍ତମାନ ସରକାରଙ୍କ ଜଣେ ମନ୍ତ୍ରୀ(ବିଜେପି ତଦନ୍ତରେ ସନ୍ତୁଷ୍ଟ ନଥିଲା) ଅସନ୍ତୋଷ ବ୍ୟକ୍ତ କରି ସିବିଆଇ ତଦନ୍ତ ନିମନ୍ତେ ସୁପାରିଶ କରୁନାହାନ୍ତି, କିଏ ବାଧକ ସାଜିଛି? ସତକୁ ସାମ୍ନାକୁ ଆଣିବା କ’ଣ ବର୍ତ୍ତମାନ ସରକାରଙ୍କ କର୍ତ୍ତବ୍ୟ ଓ ଉଦ୍ଦେଶ୍ୟ ନୁହେଁ କି?
୮- ନବଙ୍କ ହତ୍ୟା ପଛରେ ବ୍ୟବସାୟିକ ଓ ରାଜନୀତିକ ଷଡ଼ଯନ୍ତ୍ର ରହିଛି ବୋଲି ପ୍ରାରମ୍ଭିକ ଭାବେ ଯେଉଁ ସଙ୍ଗୀନ ଅଭିଯୋଗ ତାଙ୍କ ସମ୍ପର୍କୀୟ ଆଣିଥିଲେ, ତାକୁ କିଏ କାହିଁକି ଚାପି ଦେଲେ। ବିଜେଡିର ଯେଉଁ ନେତାମାନଙ୍କ ସମେତ ସରକାରୀ ଅଫିସରଙ୍କ ନାଁକୁ ନେଇ ଚାପା ଗୁଞ୍ଜରଣ ହେଉଥିଲା ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ନିମନ୍ତେ ସରକାର କାହିଁକି ମାମଲାକୁ ପୁଣି ଥରେ ରିଓପନ କରୁନାହାନ୍ତି?
୯- ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
ସୂଚନାଯୋଗ୍ୟ, ୨୦୨୩ ଜାନୁୟାରୀ ୨୯ ତାରିଖରେ ରାଜ୍ୟର ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଏଏସଆଇ ନିଜ ସର୍ଭିସ ରିଭଲଭରୁ କ୍ଲୋଜ୍ ରେଞ୍ଜରୁ ଫାୟାରିଂ କରି ହତ୍ୟା କରିଥିଲେ। ଏହି ପ୍ରଭାବଶାଳୀ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତଭାର ତତକାଳୀନ ବିଜେଡି ସରକାର ଦ୍ୱାରା କ୍ରାଇମବ୍ରାଂଚକୁ ଦିଆଯାଇଥିଲା। ୨୦୨୩ ମେ’ ମାସରେ କ୍ରାଇମବ୍ରାଂଚ ୫୪୩ ପୃଷ୍ଠାର ଚାର୍ଜସିଟ୍ ମଧ୍ୟ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଦାଖଲ କଲା। କିନ୍ତୁ ନବ ଦାସଙ୍କୁ କେଉଁ କାରଣରୁ ହତ୍ୟା କରାଗଲା ତାହା ଏବେବି ରହସ୍ୟମୟ ହୋଇ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।