Advertisment

ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି; ଭିତରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ

ସଂସଦର ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି । ସୁରକ୍ଷା ବଳୟ ଭେଦ କରି ଲୋକସଭାରେ ପଶିଗଲେ ଦୁଇ ଯୁବକ ।

ଅଦ୍ୟତନ ହୋଇଛି
Lok Sabha

Lok Sabha

Advertisment

ସଂସଦ ଆକ୍ରମଣ ବାର୍ଷିକୀରେ ହୋଇଛି ସୁରକ୍ଷା ଭଙ୍ଗ । ସଂସଦ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି । ଲୋକସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଆଜି ସାମ୍ନାକୁ ଆସିଛି। ସୁରକ୍ଷା ବଳୟ ଭେଦ କରି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ । ସେମାନଙ୍କ ପରିଚୟ ମିଳିପାରିନି । ଆଜି ପାର୍ଲାମେଣ୍ଟ ଆକ୍ରମଣକୁ ୨୨ ବର୍ଷ ପୂରିଥିବା ବେଳେ କିପରି ଏପରି ସାଂଘାତିକ ତ୍ରୁଟି ଘଟିଲା ତାହା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। 

Advertisment

ଏହି ଘଟଣାରେ ସମୁଦାୟ ୪ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟର ଦୁଇ ଜଣ ସଂସଦ ଭିତରେ ପଶିଥିବା ବେଳେ ଦୁଇ ଜଣ ପରିବହନ ଭବନ ସାମ୍ନାରେ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ବାହାରେ ଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିଲେ। ସମସ୍ତଙ୍କଠାରୁ ଧୂଆଁ ନିର୍ଗତ ସାମଗ୍ରୀ ଜବତ କରାଯାଇଛି। ଦିଲ୍ଲୀ ପୁଲିସ୍ ସେମାନଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି।  

ଆଜି ଲୋକସଭା ଚାଲିଥିବା ବେଳେ ହଠାତ୍‌ ଦର୍ଶକ ଗ୍ୟାଲେରିରୁ ୨ ଜଣ ଯୁବକ ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ଡେଇଁ ପଡ଼ିଥିଲେ।  ସେମାନେ ବେଞ୍ଚରୁ ବେଞ୍ଚକୁ ଡେଇଁବାକୁ ଲାଗିଥିଲେ। ଏଥିସହ କିଛି ଧୂଆଁ ନିର୍ଗତ ସାମଗ୍ରୀ ଫିଙ୍ଗବାକୁ ଉଦ୍ୟମ କରିଥିଲେ। ସାଂସଦମାନେ ସେମାନଙ୍କୁ କାବୁ କରିଥିଲେ। ପରେ ପରେ ସୁରକ୍ଷାକର୍ମୀମାନେ ପହଞ୍ଚି ସେମାନଙ୍କୁ ସେଠାରୁ ନେଇ ଯାଇଥିଲେ। ଏହି ଘଟଣା ପରେ ବାଚସ୍ପତି ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ। 

Advertisment

ଏହି ଘଟଣା ସଂସଦ ସୁରକ୍ଷାରେ ବଡ଼ ତ୍ରୁଟି ବୋଲି ଆଲୋଚନା ହେଉଛି। ଉକ୍ତ ସମୟରେ ଲୋକସଭାରେ ଉପସ୍ଥିତ ଥିବା କିଛି ସାଂସଦ ବାହାରକୁ ଆସିବା ପରେ ନିଜ ଅନୁଭୂତି ବଖାଣିଛନ୍ତି।

ବିଜେପି ସାଂସଦ ଖରଗେନ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଥମେ ଲୋକସଭା ଗ୍ୟାଲେରିରୁ ଜଣେ ଯୁବକ ହଲ୍ ଭିତରକୁ ଡେଇଁଥିଲେ। ଏହାପରେ ବେଞ୍ଚରୁ ବେଞ୍ଚକୁ ଭିତରେ ଡେଇଁବାକୁ ଲାଗିଲେ। ପରେ ପରେ ଅନ୍ୟ ଜଣେ ଯୁବକ ଦର୍ଶକ ଗ୍ୟାଲେରିରୁ ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଉଭୟ ଲୋକସଭା ଭିତରେ ଚାରିଆଡ଼େ ଡେଇଁବାକୁ ଲାଗିଲେ। କିଛି ସମୟ ପରେ ସେମାନେ ନିଜ ଜୋତାରୁ କିଛି ହଳଦିଆ ରଙ୍ଗର ଗ୍ୟାସ୍‌ ନିର୍ଗତ କରିବାରୁ ହଲ୍‌ର ଚାରିଆଡ଼ ଧୂଆଁମୟ ହୋଇଗଲା। ଏହାଦେଖି ସାଂସଦମାନେ ଚାରିଆଡ଼େ ଦୌଡ଼ିବାକୁ ଲାଗିଥିଲେ। କିଛି ସମୟର କସରତ ପରେ ଉପସ୍ଥିତ କିଛି ସାଂସଦ ସେମାନଙ୍କୁ କାବୁ କରି ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ତୁରନ୍ତ ଉକ୍ତ ଦୁଇ ଅଜ୍ଞାତ ଯୁବକଙ୍କୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ପୁଲିସ୍‌ ଷ୍ଟେଶନକୁ ନିଆଯାଇଥିଲା।

ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ମହୀଶୂର ସାଂସଦଙ୍କ ରେଫରେନ୍ସରେ ଉଭୟ ଆସିଥିବା ଜଣାପଡ଼ିଛି । ସାଂସଦଙ୍କ ରେଫରେନ୍ସରେ ପାସ୍‌ ପାଇ ସେମାନେ ଦର୍ଶକ ଗ୍ୟାଲେରୀରେ ବସିଥିଲେ। ସେମାନଙ୍କ କାରବାରରୁ ଏହା ଯୋଜନାପ୍ରସୂତ ଥିବା ଜଣାପଡୁଛି। ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ ସେମାନେ ଏଭଳି କରିଥିବା ଜଣାପଡୁଛି । ସୁରକ୍ଷାରେ ଖିଲାପ ହୋଇଥିବା କହିଲେ ଭର୍ତ୍ତୃହରି ମହତାବ।

ସଂସଦ ଭବନ ଆକ୍ରମଣକୁ ଆଜି ୨୨ ବର୍ଷ ପୂର୍ତ୍ତି ହୋଇଛି । ୨୨ ବର୍ଷ ତଳେ ସଂସଦ ଭବନ ଆକ୍ରମଣରେ ୧୪ ଜୀବନ ଯାଇଥିଲା । ଦିଲ୍ଲୀ ପୁଲିସର ୬ ଓ ସଂସଦ ଭବନର ୨ ସୁରକ୍ଷା କର୍ମୀ ସହିଦ ହୋଇଥିଲେ । ଆତଙ୍କୀ ହମଲାରେ ଜଣେ କର୍ମଚାରୀଙ୍କର ବି ମୃତ୍ୟୁ ଘଟିଥିଲା । ଆକ୍ରମଣକାରୀ ୫ ଆତଙ୍କୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ । ଠିକ୍‌ ୨୨ ବର୍ଷ ପରେ ଆଜି ପୁଣି ସଂସଦ ଭବନରେ ପଶି ଆତଙ୍କ ଖେଳାଇବାକୁ ଚେଷ୍ଟା କରିଥିଲେ ୨ ଯୁବକ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଖଲିସ୍ତାନୀ ଆତଙ୍କବାଦୀ ଧମକ ଦେଇଥିଲେ। ଭାରତର ସଂସଦ ଭବନ ଉଡ଼ାଇ ଦେବାକୁ ଆମେରିକୀୟ ନାଗରିକ ଖଲିସ୍ତାନୀ ଆତଙ୍କବାଦୀ ଗୁରପଟୱନ୍ତ ସିଂହ ପନ୍ନୁ ଧମକ ଦେଇଥିଲା। ଡିସେମ୍ବର ୧୩ କିମ୍ବା ତା’ ଆଗରୁ ଧମାକା ହେବ ବୋଲି କହିଥିଲା ।

ପନ୍ନୁର ଧମକ ପରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । କିଛି ଦିନ ତଳେ ଆମେରିକାରେ ପନ୍ନୁକୁ ହତ୍ୟା ଉଦ୍ୟମ ହୋଇଥିଲା ।  ତେବେ ଆଜିର ଅଘଟଣ ପଛରେ କାହାର ହାତ, ଅସ୍ପଷ୍ଟ ଅଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘଟଣା ସମ୍ପର୍କରେ କିଛି ସ୍ପଷ୍ଟୋକ୍ତି ଦିଆଯାଇ ନାହିଁ।

Delhi Parliament New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe