Rani
ମହିଳାଙ୍କ ବୟସ ୫୨। ହେଲେ ସେ ତାଙ୍କ ଠାରୁ ଅଧା ସାନ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ପ୍ରେମ କରୁଥିଲେ। ଦୁଇ ଜଣଙ୍କ ମଧ୍ୟରେ ବୟସର ବ୍ୟବଧାନ ଯଥେଷ୍ଟ ଅଧିକ ଥିଲେ ହେଁ ସେମାନେ ପରସ୍ପରର ପ୍ରେମ ପଡ଼ିଥିଲେ। ଏପରି କି ଶାରିରୀକ ସମ୍ପର୍କ ରଖିବାକୁ ମଧ୍ୟ ପଛାଉ ନଥିଲେ। ହେଲେ ନିଜ ଠାରୁ ଅଧା ସାନ ବୟସର ପୁଅକୁ ପ୍ରେମ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଛି। ସେ ବାହା ହେବାକୁ ଜିଦ କରିବାରୁ ୨୬ ବର୍ଷୀୟ ପ୍ରେମିକ ଜଣଙ୍କ ଶେଷରେ ତାଙ୍କ ଜୀବନ ନେଇ ଯାଇଛି।
ଅଗଷ୍ଟ ୧୧ରେ ଉତ୍ତର ପ୍ରଦେଶ ପୁଲିସ୍ ଜଣେ ମହିଳାଙ୍କ ମୃତଦେହ ଠାବ କରିଥିଲା। ଏବେ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ପରିଚୟ ପୁଲିସ୍ ହାସଲ କରିବା ସହ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଅଗଷ୍ଟ ୧୧ରେ ପୁଲିସ୍କୁ ମିଳିଥିବା ମୃତଦେହଟି ଉତ୍ତର ପ୍ରଦେଶର ଫାରୁକାବାଦ ଜିଲ୍ଲାରେ ରହୁଥିବା ୫୨ ବର୍ଷୀୟ ରାଣୀଙ୍କର ଥିଲା।
ପୁଲିସ୍ର କହିବା କଥା ଯେ ରାଣୀଙ୍କୁ ଗୋଟିଏ ସ୍କ୍ରାର୍ଫ ଦ୍ୱାରା ତଣ୍ଟି ଚିପି ତାଙ୍କ ୨୬ ବର୍ଷୀୟ ପ୍ରେମିକ ଅରୁଣ ରାଜପୁତ ହତ୍ୟା କରିଥିଲେ। ଅରୁଣ ଘର ହେଉଛି ମୈନପୁରୀରେ। ପୁଲିସ୍ କଲ ରେକର୍ଡ ଓ ସୋଶାଲ ମିଡିଆରେ ହୋଇଥିବା ଚ୍ୟାଟକୁ ଆଧାର କରି ଅରୁଣଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୨ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।
ପୁଲିସ୍ର କହିବା କଥା ଯେ ଅରୁଣ ଓ ରାଣୀ ପ୍ରାୟ ଦେଢ଼ ବର୍ଷ ତଳେ ପରସ୍ପରକୁ ଇନଷ୍ଟାଗ୍ରାମରେ ଭେଟିଥିଲେ। ମହିଳା ଜଣଙ୍କ ନିଜ ବୟସକୁ ଲୁଚାଇ ଥିବା ବେଳେ ତାଙ୍କ କଥାବାର୍ତ୍ତାରୁ ଅରୁଣ ତାଙ୍କୁ ଜଣେ କମ ବୟସ୍କା ଯୁବତୀ ବୋଲି ଭାବି ନେଇଥିଲେ। ଅନଲାଇନରୁ ଆରମ୍ଭ ହୋଇଥିବା କଥାବାର୍ତ୍ତା ପରବର୍ତ୍ତୀ ସମୟରେ ପ୍ରେମର ରୂପ ନେଇଥିଲା। ଫାରୁକାବାଦରେ ଥିବା ଗୋଟିଏ ହୋଟେଲରେ ମଧ୍ୟ ସେମାନେ ପରସ୍ପରକୁ ଭେଟିବା ଆରମ୍ଭ କରିଥିଲେ। ୪ ଛୁଆର ମା’ ରାଣୀଙ୍କ ଠାରୁ ଅରୁଣ ପ୍ରାୟ ୧.୫ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ।
ସମୟ ଗଡ଼ିବା ସହ ରାଣୀ ପ୍ରେମିକ ଅରୁଣ ଉପରେ ବାହାଘର ପାଇଁ ଚାପ ପକାଇଥିଲେ। ଏଥିସହ ନେଇଥିବା ଟଙ୍କା ଫେରାଇବାକୁ କହିଥିଲେ। ଅଗଷ୍ଟ ୧୦ରେ ଅରୁଣ ଫୋନ କରି ରାଣୀଙ୍କୁ ମୈନପୁରୀ ଡାକିଥିଲେ। ପ୍ରେମିକର ଡାକରେ ରାଣୀ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ। ଦୁଇ ଜଣ ଏକାଠି କିଛି ସମୟ ବିତାଇଥିଲେ। ଏହାପରେ ରାଣୀ ପୁଣିଥରେ ତାଙ୍କୁ ବାହାଘର ପାଇଁ ଚାପ ପକାଇଥିଲେ ଓ ଉଧାର ଟଙ୍କା ଫେରାଇବାକୁ କହିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ ଅରୁଣ ତଣ୍ଟି ଚିପି ରାଣୀଙ୍କୁ ହତ୍ୟା କରିଥିଲେ।
ହତ୍ୟା କରିବା ପରେ ସେ ମୃତଦେହକୁ ଫିଙ୍ଗି ଫେରାର ହୋଇଯାଇଥିଲେ। ପୁଲିସ୍ ମୃତଦେହକୁ ଜବତ କରିଥିଲେ ହେଁ ପରିଚୟ ଜାଣି ପାରି ନଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ମହିଳାଙ୍କ ନିଖୋଜ ନେଇ ତାଙ୍କ ପରିବାର ଲୋକ ଫାରୁକାବାଦରେ ଅଭିଯୋଗ ଦାଖଲ କରିଥିବା ଜଣାପଡ଼ିଥିଲା। ପୁଲିସ୍ ମହିଳାଙ୍କ ପରିଚୟ ପାଇବା ପରେ ଅଧିକ ତଦନ୍ତ କରି ଅରୁଣଙ୍କୁ ଧରିଛି।
ଜେରା ବେଳେ ଅରୁଣ ନିଜର ଅପରାଧକୁ ସ୍ୱୀକାର କରିଛନ୍ତି। ବାହାଘର ପାଇଁ ମନା କରିଦେଲେ ରାଣୀ ପୁଲିସ୍ କିମ୍ବା ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚି ଯିବାର ଆଶଙ୍କା ଅରୁଣକୁ ଘାରିଥିଲା। ସେହି ଭୟରେ ସେ ରାଣୀଙ୍କୁ ମାରିଥିବା ପୁଲିସ୍କୁ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rani_1756889342.jpg)