ସ୍ୱାମୀଙ୍କୁ ମାରିଲେ, ପ୍ରେମିକଙ୍କୁ ଜେଲ ପଠାଇଲେ; ଏବେ ଆତ୍ମହତ୍ୟାର ନାଟକ!

ପରିବାରରେ ଉଠିଥିବା ଅଶାନ୍ତିର ଝଡ଼ ବାତ୍ୟା ରୂପ ନେବା ପୂର୍ବରୁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ସୁଷମା। ୨୦୨୧ ମସିହାରେ ପ୍ରେମିକ ଅଶ୍ୱିନୀଙ୍କ ସହିତ ମିଶି ପ୍ରକାଶଙ୍କୁ ହତ୍ୟା କରିଥିଲେ ସୁଷମା।

ମେଡ଼ିକାଲ୍‌ରେ ସୁଷମା

  • Published: Friday, 30 August 2024
  • , Updated: 30 August 2024, 06:51 PM IST

ସ୍ୱାମୀ ହତ୍ୟା ଅଭିଯୋଗରେ ଜେଲ୍‌ ଗଲେ। ଜେଲ୍‌ରୁ ବାହାରିବା ପରେ ପ୍ରେମିକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣି ଜେଲ ପଠାଇଲେ। ଏବେ ଆତ୍ମହତ୍ୟାର ନାଟକ କରୁଛନ୍ତି ତଥାକଥିତ ପୀଡ଼ିତା ସୁଷମା କୁଜୁରୁ! ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ପ୍ରେମିକଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ ନିର୍ଦ୍ଦୋଷରେ ଖଲାସ କରିବା ପରେ ସୁଷମା କୋର୍ଟ ବାହାରେ ଅତ୍ୟଧିକ ମାତ୍ରାରେ ବଟିକା ଖାଇ ଅସୁସ୍ଥ ହୋଇଛନ୍ତି।

ବାଲିଶଙ୍କରା ଥାନା ଭାଟିପଡ଼ା ଗାଁର ପ୍ରକାଶ କୁଜୁରୁଙ୍କୁ ବିବାହ କରିଥିଲେ ସୁଷମା କୁଜୁରୁ। ବାହାଘରର କିଛି ଦିନ ପରେ ପ୍ରକାଶ ରାଜ୍ୟ ବାହାରକୁ କାମ କରିବା ପାଇଁ ଚାଲି ଯାଇଥିଲେ। ସୁଷମା ଏକାକୀ ଘରେ ରହୁଥିଲେ। ସେହି ସମୟରେ ସଉନାମୁରା ଗାଁର ଅଶ୍ୱିନୀ ନାଏକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଲୁଚାଛପାରେ ଉଭୟ ପରସ୍ପରକୁ ଭେଟୁଥିଲେ ଓ ଭାବ ଦିଆନିଆ ହେଉଥିଲେ। ହେଲେ ଏକଥା ପ୍ରକାଶ ଜାଣିପାରିଥିଲେ। ଯେଉଁଥିପାଇଁ ପରିବାର ଭିତରେ ଉଠିଥିଲା ଅଶାନ୍ତ ଝଡ଼।

ପରିବାରରେ ଉଠିଥିବା ଅଶାନ୍ତିର ଝଡ଼ ବାତ୍ୟା ରୂପ ନେବା ପୂର୍ବରୁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ସୁଷମା। ୨୦୨୧ ମସିହାରେ ପ୍ରେମିକ ଅଶ୍ୱିନୀଙ୍କ ସହିତ ମିଶି ପ୍ରକାଶଙ୍କୁ ହତ୍ୟା କରିଥିଲେ ସୁଷମା। ଏହି ଅଭିଯୋଗରେ ଗିରଫ ହୋଇଥିଲେ ସୁଷମା। ପୁଲିସ୍‌ ତାଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଥିଲା। ଜେଲ୍‌ରେ ଦୁଇ ମାସ ରହିବା ପରେ ବେଲ୍‌ରେ ବାହାରିଥିଲେ ସୁଷମା। ହେଲେ ତାଙ୍କୁ ବାପଘର ଲୋକେ ଗ୍ରହଣ କଲେନାହିଁ। ଘରେ ପୂରାଇଦେଲେ ନାହିଁ। ଏପରି ସମୟରେ ସେ ପ୍ରେମିକ ଅଶ୍ୱିନୀଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେ ଧରାଛୁଆଁ ଦେଇନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ସୁଷମା।

ଅଶ୍ୱିନୀ ନାଏକ ସୁନ୍ଦରଗଡ଼ ଟାଉନ୍‌ରେ ଏକ ଭଡ଼ା ଘରେ ରହୁଥିଲେ। ୨୦୨୧ ମସିହା ଅକ୍ଟୋବର ୨୮ ତାରିଖରେ ଅଶ୍ୱିନୀଙ୍କ ଭଡ଼ା ଘରେ ପହଞ୍ଚିଥିଲେ ସୁଷମା। ସେ ଦିନ ଅଶ୍ୱିନୀଙ୍କ ସହିତ ସୁଷମା ରହିଥିବା ଅଭିଯୋଗ ହୋଇଥିଲା। ତା’ପର ଦିନ ଅର୍ଥାତ ଅକ୍ଟୋବର ୨୯ ତାରିଖରେ ଅଶ୍ୱିନୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ସୁଷମା। ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଅଶ୍ୱିନୀଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଥିଲା। ଆଜି ପର୍ଯ୍ୟନ୍ତ ସେ ଜେଲ୍‌ରେ ରହିଛନ୍ତି।

ଆଜି ସେହି ମାମଲାର ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍‌ ପ୍ରମାଣ ଓ ତଥ୍ୟକୁ ଆଧାର କରି ଅଶ୍ୱିନୀକୁ ଦୋଷମୁକ୍ତ କରିଛନ୍ତି। ଏହି ରାୟ ଆସିବା ପରେ ଜିଲ୍ଲା ଦୌରା ଜାଜଙ୍କ କୋର୍ଟ ରୁମ୍‌ ବାହାରେ ପାଖରେ ରଖିଥିବା ମେଡ଼ିସିନ୍‌ ଖାଇଦେଇଥିଲେ। ଯେଉଁଥିପାଇଁ ସେ ଅସୁସ୍ଥ ହୋଇପଡ଼ିଥିଲେ। ପୁଲିସ୍‌ ତାଙ୍କ ସଙ୍ଗେ ସଙ୍ଗେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲା।

ରିପୋର୍ଟ- ସୁନ୍ଦରଗଡ଼ରୁ ଦେବବ୍ରତ ଜେନା

Related story