Advertisment

ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ବଧୂ: ଖାଇବାକୁ ଦେଉ ନଥିଲେ, ରୁମରେ ତାଲା ପକାଇ ରଖୁଥିଲେ

୩୩ ବର୍ଷୀୟ ମହିଳାଙ୍କୁ ଯୌତୁକ ପାଇଁ ସ୍ୱାମୀ ଓ ଶାଶୁ ଘର ଲୋକ ବେଶ କିଛି ଦିନ ହେବ ନିର୍ଯାତନା ଦେଇ ଆସୁଥିଲେ। ସେମାନେ ତାଙ୍କୁ ଖାଇବାକୁ ଦେଉ ନଥିଲେ, ମାଡ଼ ମାରୁଥିଲେ ଓ ଗୋଟିଏ ରୁମରେ ବନ୍ଦ କରି ରଖୁଥିଲେ।

Dowry

Dowry

Advertisment

ଯୌତୁକ ଦେବା ଓ ଯୌତକୁ ନେବା ଅପରାଧ। ଏନେଇ ଆଇନ ମଧ୍ୟ ରହିଛି। ହେଲେ ଏବେ ବି ଦେଶରେ ଯୌତୁକ ଦବାନେବା ପ୍ରଥା ଜାରି ରହିଛି। ଅନେକ ସଚେତନତା ଓ ତାଗିଦ ସତ୍ତ୍ୱେ ଯୌତୁକ ପ୍ରଥା ବନ୍ଦ ହେଉ ନାହିଁ। ଯୌତୁକ ନିର୍ଯାତନା ମଧ୍ୟ ଜାରି ରହିଛି। ନୋଏଡାରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ଜୀବନ୍ତ ଜାଳି ଦେଇଥିଲେ ଶାଶୁ ଓ ସ୍ୱାମୀ। ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ତେଲଙ୍ଗାନାରୁ ସମାନ ଘଟଣା ସାମ୍ନାକୁ ଆସିଛି। ଏଠି ମଧ୍ୟ ଜଣେ ମହିଳା ଯୌତୁକ ନିର୍ଯାତନାର ଶିକାର ହୋଇ ପ୍ରାଣ ହରାଇଛନ୍ତି।

Advertisment

ତେଲଙ୍ଗାନାର କୋଥାଗୁଡମେ ଜିଲ୍ଲାରେ ଜଣେ ୩୩ ବର୍ଷୀୟ ମହିଳାଙ୍କୁ ଯୌତୁକ ପାଇଁ ସ୍ୱାମୀ ଓ ଶାଶୁ ଘର ଲୋକ ବେଶ କିଛି ଦିନ ହେବ ନିର୍ଯାତନା ଦେଇ ଆସୁଥିଲେ। ସେମାନେ ତାଙ୍କୁ ଖାଇବାକୁ ଦେଉ ନଥିଲେ, ମାଡ଼ ମାରୁଥିଲେ ଓ ଗୋଟିଏ ରୁମରେ ବନ୍ଦ କରି ରଖୁଥିଲେ। ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ପୀଡ଼ିତା ଜଣଙ୍କ ହେଲେ ଲକ୍ଷ୍ମୀ ପ୍ରସନ୍ନା। ତାଙ୍କୁ ଇଷ୍ଟ ଗୋଦାବରୀ ଜିଲ୍ଲାରେ ଥିବା ରାଜାମହେନ୍ଦ୍ରବର୍ମ ସରକାରୀ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା କରାଯାଇଛି। ଲକ୍ଷ୍ମୀଙ୍କ ଘର ଖାମ୍ମାମ ଜିଲ୍ଲାର ବିଶ୍ୱନାଥପୁରମରେ ଓ ସେ ଖାନାଖାନପେଟର ପୋଲ୍ଲା ନରେଶ ବାବୁଙ୍କୁ ୨୦୧୫ରେ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ପିଲା ମଧ୍ୟ ରହିଛି। 

Advertisment

ବାହାଘର ବେଳେ ଲକ୍ଷ୍ମୀଙ୍କ ଘର ଲୋକ ୨ ଏକରର ଆମ୍ବ ବଗିଚା, ଅଧା ଏକରର ଚାଷ ଜମି, ନଗଦ ୧୦ ଲକ୍ଷ ଟଙ୍କା ଓ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଯୌତୁକରେ ଦେଇଥିଲେ। ବାହାଘରର ବେଶ କିଛି ବର୍ଷ ସବୁ କିଛି ଠିକଠାକ ରହିଥିଲା। କିନ୍ତୁ ଅଶ୍ୱରାଓପେଟାକୁ ଯିବା ପରେ ଲକ୍ଷ୍ମୀଙ୍କ ଜୀବନ ବଦଳି ଯାଇଥିଲା। ବାପ ଘରୁ ଅଧିକ ଟଙ୍କା ଆଣିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା। ସେ ଏଥିରେ ରାଜି ନ ହେବାରୁ ଆରମ୍ଭ ହୋଇଥିଲା ନିର୍ଯାତନା।

ସ୍ୱାମୀ ନରେଶ ବାବୁ ଓ ତାଙ୍କ ଘର ଲୋକ ମିଳିତ ଭାବେ ଲକ୍ଷ୍ମୀଙ୍କୁ ୨ ବର୍ଷ ହେଲା ଗୃହବନ୍ଦୀ କରି ରଖିଥିଲେ। ତାଙ୍କୁ କାହା ସହ କଥା ହେବାକୁ ଅନୁମତି ଦେଉ ନଥିଲେ। ସେ ମୋବାଇଲ ମଧ୍ୟ ବ୍ୟବହାର କରି ପାରୁ ନଥିଲେ ବୋଲି ଲକ୍ଷ୍ମୀଙ୍କ ଘର ଲୋକ ଅଭିଯୋଗ କରିଛନ୍ତି। ପରିବାର ଲୋକ କହିଛନ୍ତି, “ଲକ୍ଷ୍ମୀକୁ ଗୋଟିଏ ଘରେ ବନ୍ଦ କରି ରଖାଯାଉଥିଲା। ତା’କୁ ଆମ ସହ ଭେଟିବାକୁ ଅନୁମତି ମିଳୁ ନଥିଲା। ଅତିରିକ୍ତ ଯୌତୁକ ପାଇଁ ସେମାନେ ଆମ ଝିଅକୁ ଖାଇବାକୁ ଦେଉ ନଥିଲେ ଓ ଏବେ ତା’କୁ ମାରି ଦେଇଛନ୍ତି।”

ମା’ଙ୍କ କହିବା କଥା ଯେ ଲକ୍ଷ୍ମୀଙ୍କ ଉପରେ ଶାଶୁ ଘର ଲୋକ ୨୪ ଘଣ୍ଟା ନଜର ରଖୁଥିଲେ। ଘର ଭିତରେ ସିସିଟିଭି କ୍ୟାମେରା ଲଗାଇଥିଲେ। ତାଙ୍କ ଭାଇ ଭେଟିବାକୁ ଯାଉଥିଲେ ମଧ୍ୟ ଶାଶୁ ଘର ଲୋକ ଲକ୍ଷ୍ମୀଙ୍କୁ ସାମ୍ନାକୁ ଆଣୁ ନଥିଲେ।

ଲକ୍ଷ୍ମୀଙ୍କ ମା’ କହିଛନ୍ତି, “ଲକ୍ଷ୍ମୀର ଛୁଆକୁ ବ୍ୟବହାର କରି ତାକୁ ବ୍ଲାକେମଲ କରାଯାଉଥିଲା। ଆମେ ଯଦି ଲକ୍ଷ୍ମୀକୁ ଭେଟିବାକୁ ଚେଷ୍ଟା କରିବୁ, ତା’ହେଲେ ସେମାନେ ଛୁଆର କ୍ଷତି କରିବେ ବୋଲି ଧମକ ଦେଉଥିଲେ। ମୋ ଝିଅ ତା’ ଛୁଆର ସୁରକ୍ଷା ପାଇଁ ସେଠାରେ ରହିବାକୁ ବାଧ୍ୟ ହେଉଥିଲା। ଦୁଇ ବର୍ଷ ହେଲା ଆମେ ଆମ ଝିଅକୁ ଦେଖି ନାହୁଁ।”

ନରେଶ ବାବୁ ଶନିବାର ଦିନ ଲକ୍ଷ୍ମୀଙ୍କ ଘରକୁ ଫୋନ କରିଥିଲେ। ଲକ୍ଷ୍ମୀ ଶିଢ଼ିରୁ ଖସି ପଡ଼ିଛନ୍ତି ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ କହିଥିଲେ। ଏକଥା ଶୁଣି ଲକ୍ଷ୍ମୀଙ୍କ ପରିବାର ଲୋକ ହସ୍ପିଟାଲରେ ପହଞ୍ଚିଥିଲେ। ସେତେବେଳେକୁ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇ ସାରିଥିଲା। ସେମାନେ ଝିଅକୁ ଅତ୍ୟନ୍ତ ଋଗଣ ଅବସ୍ଥାରେ ଠାବ କରିଥିଲେ। ସତେ ଯେମିତି ଲକ୍ଷ୍ମୀଙ୍କ କଙ୍କାଳ ହସ୍ପିଟାଲ ବେଡରେ ଥିବା ପରିବାର ଲୋକ ଦେଖି ପୂରା ସ୍ତବ୍ଧ ହୋଇ ଯାଇଥିଲେ। ତାଙ୍କ ଶରୀରରେ ଉଭୟ ପୁରୁଣା ଓ ନୂଆ କ୍ଷତ ଚିହ୍ନ ମଧ୍ୟ ରହିଥିଲା।

ଝିଅକୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଲକ୍ଷ୍ମୀଙ୍କ ବାପା ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରାଯାଇଛି। ଅଭିଯୋଗ ପତ୍ରରେ ନରେଶ ବାବୁ, ତାଙ୍କ ମା’ ବିଜୟ ଲକ୍ଷ୍ମୀ, ଝିଅ ଦସାରି ଭୂଲକ୍ଷ୍ମୀ ଓ ଭାଇ ଶ୍ରୀନିବାସ ରାଓଙ୍କ ନାଁ ରହିଛି। ଏମାନେ ସମସ୍ତେ ମିଳିତ ଭାବେ ଲକ୍ଷ୍ମୀଙ୍କୁ ନିର୍ଯାତନା ଦେଉଥିଲେ।

ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ନରେଶ ବାବୁଙ୍କ ଭିଣୋଇ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା କଥା ଯେ ଲକ୍ଷ୍ମୀ ଆନେମିଆ ଓ ଥାଇରଏଡ ଭଳି ସ୍ୱାସ୍ଥ୍ୟାଗତ ସମସ୍ୟା ଦେଇ ଗତୁ କରୁଥିଲେ। ଅନାହାର ଓ ନିର୍ଯାତନା ଅଭିଯୋଗ ଭିତ୍ତିହୀନ।

Dowry Death Telengana Dowry Harassment Dowry Demand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe