Loot
ସନ୍ଧ୍ୟା ବେଳେ ଲୁଟ୍ ପାଇଁ ଆସିଥିଲେ। ହେଲେ ପ୍ରତିବାଦ କରିବାରୁ ମହିଳାଙ୍କୁ ମର୍ଡର କରିଦେଲେ ଦୁର୍ବୃତ୍ତ। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ସରସିଦା ଗାଁର ଅଦୈତ ଦାସ ସରସିଦା ବଜାରରେ ଏକ ଦୋକାନ କରିଛନ୍ତି। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର। ସବୁଦିନ ପରି ଶନିବାର ସନ୍ଧ୍ୟା ବେଳେ ଦୋକାନ ବନ୍ଦ କରି ସେ ଘରକୁ ଆସିଥିଲେ। ସେତେବେଳେ ଘରର କବାଟ ଖୋଲା ରହିଥିଲା। ଆଉ ତାଙ୍କ ପତ୍ନୀ ହରପ୍ରିୟା ରକ୍ତାକ୍ତ ଅବସ୍ଥାରେ ଚଟାଣ ପଡ଼ିଥିଲେ। ପତ୍ନୀଙ୍କ ଏପରି ଅବସ୍ଥା ଦେଖି ତାଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ସେ ସାହି ଭାଇଙ୍କୁ ଡାକିଥିଲେ। ପରେ ତାଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଏନେଇ ଅଭିଯୋଗ ହେବା ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ମିଳିତ ଭାବେ ମାମଲାର ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ଲୁଟ୍ ଉଦ୍ଦେଶ୍ୟରେ ମର୍ଡର ହୋଇଥିବା ସନ୍ଦେହ କରୁଛି ପୁଲିସ୍। କାରଣ ଅଦୈତଙ୍କ ଘରେ ଥିବା ବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା ଲୁଟ ହୋଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ୍ ଲୁଟେରାଙ୍କ ପାଖରେ ପହଞ୍ଚି ପାରିନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
