Advertisment

ଭୁବନେଶ୍ୱରରେ ଲଜ୍ଜା: ଚୋରି କରିବାକୁ ଘରେ ପଶି ମହିଳାଙ୍କ ଇଜ୍ଜତ ଲୁଟିଲେ

ରାଜଧାନୀ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରେ ଏମିତି ଏକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Rape

Rape

ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା। ଲୁଟ୍ କରିବାକୁ ଆସି ମହିଳାଙ୍କ ଇଜ୍ଜତ ଲୁଟିଲେ ଦୁଇ ଲୁଟେରା। ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା। ମହିଳା ଜଣଙ୍କ ଘଟଣା ସଂପର୍କରେ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।   

Advertisment

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ରାତି ପ୍ରାୟ ସାଢ଼େ ଗୋଟାଏରୁ ୨ଟା ଭିତରେ ଏହି ଘଟଣା ଘଟିଛି। ଦୁଇ ଜଣ ଲୁଟେରା ଲୁଟ୍ କରିବାକୁ ଏହି ମହିଳାଙ୍କ ଘରେ ପଶିଥିଲେ। ସେତେବେଳେ ମହିଳା ଜଣଙ୍କ ତାଙ୍କର ୨ ବର୍ଷର ଝିଅ ସହିତ ଶୋଇଥିଲେ। ଘରେ ଆଉ କେହି ନଥିଲେ। ଏହାର ସୁଯୋଗ ନେଇ ଲୁଟେରା ଦ୍ୱୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

ଲୁଟେରାମାନେ ପ୍ରଥମେ ଉକ୍ତ ମହିଳାଙ୍କ ସୁନା ଚେନ୍ ଓ ମୋବାଇଲ ଇତ୍ୟାଦି ନେଇଯାଇଥିଲେ। ପରେ ଯେତେବେଳେ ଜାଣିଲେ ଯେ ମହିଳା ଜଣଙ୍କ ଘରେ କେବଳ ତାଙ୍କ ଛୋଟ ଝିଅ ସହିତ ଅଛନ୍ତି, ତା’ପରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏମିତିକି ତାଙ୍କ ଝିଅ ବେକରେ ଛୁରୀ ରଖି ହତ୍ୟା ଧମକ ଦେଇଥିଲେ ଲୁଟେରା ଦ୍ୱୟ। ଯାହା ଜଣାପଡ଼ିଛି, ଲୁଟେରା ଦ୍ୱୟ ବାଉଁଶ ପକାଇ ବାଲକୋନୀ ଦେଇ ଘର ଭିତରେ ପଶିଥିଲେ। 

Advertisment

ମହିଳା ଜଣଙ୍କ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ମାତ୍ର ୧୦ ଦିନ ହେଲା ଏହି ଆପାର୍ଟମେଣ୍ଟରେ ଏକ ଫ୍ଲାଟ ଭଡ଼ା ନେଇ ରହୁଛନ୍ତି। ତେବେ ରାଜଧାନୀ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରେ ଏମିତି ଏକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। 

ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସୋମବାର ସକାଳେ ମହିଳା ଜଣଙ୍କ ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲେ ହେଁ ଏଯାବତ ଦୁଇ ଅଭିଯୁକ୍ତଙ୍କ ସଂପର୍କରେ କିଛି ଜଣାପଡ଼ିନାହିଁ। ପୁଲିସ୍ ଘଟଣାସ୍ଥଳ ଯାଇ ତଦନ୍ତ କରିବା ସହିତ ପାଖ ପଡ଼ୋଶୀଙ୍କୁ ପଚରାଉଚରା କରିଛି। ଉକ୍ତ ଆପାର୍ଟମେଣ୍ଟରେ ସିସିଟିଭି ନଥିବା ବେଳେ ପାଖରେ ଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରୁଛି। ସ୍ପେଶାଲ ସ୍କ୍ୱାଡ୍‌ ମଧ୍ୟ ଅଭିଯୁକ୍ତ ଦ୍ୱୟଙ୍କୁ ଧରିବା ପାଇଁ ତା’ର ଚଢ଼ାଉ ଜାରି ରଖିଛି। 

Loot Rape