Advertisment

ଚତୁର ମହିଳା! କାହିଁକି ବାରମ୍ବାର ଆଣୁଥିଲେ ଗଣଦୁଷ୍କର୍ମ ଅଭିଯୋଗ?

ହିଳା ଜଣଙ୍କ ୩ଟି ଅଭିଯୋଗ କରିଥିଲେ ଓ ୩ଟି ଏଫଆଇଆର ହୋଇଥିଲା। କିନ୍ତୁ ସେ ନିଜର ବୟାନ ଏକାଧିକ ଥର ବଦଳାଇଥିଲେ। ଏଥିସହ ଆବେଦନ ଦାଖଲ କରି ନିଜ ଅଭିଯୋଗକୁ ପ୍ରତ୍ୟାହାର ବି କରିଥିଲେ।

author-image
Hemant Lenka
Stop

Stop

ପୁଲିସ୍‌ ପଞ୍ଝାରେ ଜଣେ ଚତୁର ମହିଳା। ଦୁଷ୍କର୍ମ, ଗଣ ଦୁଷ୍କର୍ମ ଓ ଅପହରଣ ଭଳି ଅଭିଯୋଗ ଆଣୁଥିବା ମହିଳାଙ୍କୁ ବାନ୍ଧିଛି ପୁଲିସ୍‌। ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ସ୍ୱାମୀଙ୍କ ସାଙ୍ଗମାନଙ୍କ ବିରୋଧରେ ଏପରି ଅଭିଯୋଗ ଆଣି ଚାଲିଥିଲେ। ନିକଟରେ ସେ ସ୍ୱାମୀଙ୍କ ସାଙ୍ଗମାନଙ୍କୁ ଫସାଇବା ପାଇଁ ଆଣିଥିବା ଗଣଦୁଷ୍କର୍ମ ଅଭିଯୋଗ ମିଛ ବୋଲି ପ୍ରମାଣିତ ହେବା ପରେ ଉତ୍ତର ପ୍ରଦେଶର ଗାଜିଆବାଦ ପୁଲିସ୍‌ ତାଙ୍କୁ ଗିରଫ କରିଛି। ମହିଳାଙ୍କ ସ୍ୱାମୀ ପୂର୍ବରୁ ଜେଲରେ ଅଛନ୍ତି। ମହିଳା ଜଣଙ୍କ ଆଣିଥିବା ଅଭିଯୋଗରେ ତାଙ୍କୁ ଜେଲ ଯିବାକୁ ପଡ଼ିଛି।

Advertisment

ପୁଲିସ ପକ୍ଷରୁ ମିଳିଥିବା ସୂଚନା ମହିଳା ଜଣଙ୍କ ୩ଟି ଅଭିଯୋଗ କରିଥିଲେ ଓ ୩ଟି ଏଫଆଇଆର ହୋଇଥିଲା। କିନ୍ତୁ ସେ ନିଜର ବୟାନ ଏକାଧିକ ଥର ବଦଳାଇଥିଲେ। ଏଥିସହ ଆବେଦନ ଦାଖଲ କରି ନିଜ ଅଭିଯୋଗକୁ ପ୍ରତ୍ୟାହାର ବି କରିଥିଲେ। ମହିଳା ଜଣଙ୍କ ନିକଟରେ ଦାଖଲ କରିଥିବା ଏଫଆଇଆରରେ କହିଥିଲେ ଯେ ତାଙ୍କୁ ସ୍ୱାମୀଙ୍କ କିଛି ସାଙ୍ଗ କାରରେ ଅପହରଣ କରି ନେବା ପରେ ଭୟଙ୍କର ଢଙ୍ଗରେ ଗଣଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କ ଗୁପ୍ତାଙ୍ଗରେ ବୋତଲ ଭର୍ତ୍ତି କରି ଦେଇଥିଲେ। କିନ୍ତୁ ତଦନ୍ତରୁ ଏପରି ଅଭିଯୋଗ ମିଛ ବୋଲି ପ୍ରମାଣିତ ହେବା ପରେ ଶୁକ୍ରବାର ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଅଭିଯୋଗର ଲମ୍ବା ତାଲିକା

ଗତବର୍ଷ ଜୁନ ମାସରେ ମହିଳା ଜଣଙ୍କ ତାଙ୍କ ଲିଭ ଇନ ପାର୍ଟନର ବିକାଶ ତ୍ୟାଗୀଙ୍କ ବିରୋଧରେ ପ୍ରଥମେ ଅଭିଯୋଗ ଦାଖଲ କରିଥିଲେ। ବିକାଶଙ୍କ ଘର ଗାଜିଆବାଦର କବି ନଗରରେ। ବିକାଶ ତାଙ୍କୁ ବାହା ଘରର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ସେ କହିଥିଲେ। ଏହି ସମୟରେ ସେ ଗର୍ଭବତୀ ଥିଲେ। କିନ୍ତୁ ବିକାଶ ତାଙ୍କୁ ଯୌନ ନିର୍ଯାତନା ଦେବାରୁ ଓ ତାଙ୍କ ପେଟକୁ ଗୋଇଠା ମାରିବାରୁ ତାଙ୍କ ଛୁଆ ନଷ୍ଟ ହୋଇଯାଇଥିଲା।

Advertisment

ଏକଥା ମହିଳା ଜଣଙ୍କ ତାଙ୍କ ଏଫଆଇଆରରେ ମଧ୍ୟ ଉଲ୍ଲେଖ କରିଥିଲେ। କିନ୍ତୁ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରାଯିବା ବେଳେ ସେ ନିଜର ମତ ବଦଳାଇ ଦେଇଥିଲେ। ନିଜର ଦ୍ୱିତୀୟ ବୟାନରେ ସେ କହିଥିଲେ ଯେ ବିକାଶଙ୍କ ସହ ତାଙ୍କ ସମ୍ପର୍କ ସହମତି ଭିତ୍ତିରେ ରହିଥିଲା। ବିକାଶ ତାଙ୍କୁ କେବଳ ମାଡ଼ ମାରିଥିଲେ। କିନ୍ତୁ କୋର୍ଟ ବାହାରେ ବୁଝାମଣା ହୋଇଯାଇଛି। ଡାକ୍ତରଙ୍କ ପରାମର୍ଶ ନ ମାନିବାରୁ ତାଙ୍କ ଛୁଆ ନଷ୍ଟ ହୋଇ ଯାଇଥିଲା। ଏହି ବୟାନ ପରେ କୋର୍ଟରେ ମାମଲା ରଫା ଦଫା ହୋଇଯାଇଥିଲା।

ଅଗଷ୍ଟ ମାସରେ ମହିଳା ଜଣଙ୍କ ପୁଣି ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ସେ କହିଥିଲେ ଯେ ଜୁନ ମାସରେ ସେ ସ୍ୱାମୀ, ତାଙ୍କ ଭିଣୋଇ ଓ ବିକାଶଙ୍କ ଜଣେ ବନ୍ଧୁଙ୍କ ଧମକ ଯୋଗୁ ନିଜ ବୟାନ ବଦଳାଇ ଥିଲେ। ସେମାନେ ତାଙ୍କୁ ହତ୍ୟା ଧମକ ଦେଇଥିଲେ ବୋଲି ମହିଳା ଜଣଙ୍କ କହିଥିଲେ। ତେବେ ସେହି ମାସ ଶେଷ ବେଳକୁ ମହିଳା ଜଣଙ୍କ ପୁଣି ଗୋଟିଏ ଆବେଦନ ପୁଲିସ୍‌ରେ ଦାଖଲ କରି ସେ ବିକାଶଙ୍କୁ ବିବାହ କରି ନେଇଥିବା କହିଥିଲେ। ଏଥିସହ ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଅନୁରୋଧ କରିଥିଲେ। ସମାନ କଥା କହି ମହିଳା ଜଣଙ୍କ ଗୋଟିଏ ଭିଡିଓ ରେକର୍ଡ କରିଥିଲେ।

ସ୍ୱାମୀଙ୍କୁ ଜେଲ ପଠାଇଲା ପୁଲିସ

ବାହାଘର ନେଇ କରିଥିବା ଆବେଦନର ୪ ମାସ ପରେ ଅର୍ଥାତ ଜାନୁଆରୀ ମାସରେ ସେ ପୁଲିସ ପାଖରେ ପହଞ୍ଚିଥିଲେ। ସେ ନିଜ ଏଫଆଇଆରରେ ଦର୍ଶାଇଥିଲେ ଯେ ବିକାଶ ଓ ତାଙ୍କ ମା’ ବାହାଘର ଅଧାପନ୍ତରିଆ ଭାବେ ଶେଷ କରିଛନ୍ତି। ବାହାଘର ନାଁରେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ବିକାଶ ତାଙ୍କୁ ମାଡ଼ ମାରିବା ସହ ମଦ ଢାଳି ନିଆଁ ଲଗାଇ ଦେବାକୁ ଚେଷ୍ଟା କରିଛନ୍ତି। ଖାଲି ସେତିକି ନୁହେଁ, ବିକାଶ ଓ ତାଙ୍କର ଦୁଇ ଜଣ ସାଙ୍ଗ ତାଙ୍କୁ ଗଣଦୁଷ୍କର୍ମ କରିଥିବା ମଧ୍ୟ ମହିଳା ଜଣଙ୍କ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ତଦନ୍ତ କରିଥିଲା। କିନ୍ତୁ ଗଣଦୁଷ୍କର୍ମ ଅଭିଯୋଗ ବୋଲି ମିଛ ପ୍ରମାଣିତ ହୋଇଥିଲା। କିନ୍ତୁ ମେଡିକାଲ ଯାଞ୍ଚରୁ ତାଙ୍କ ଶରୀରରେ ପୋଡ଼ା ଦାଗ ମିଳିଥିଲା। ଏଥିପାଇଁ ପୁଲିସ ବିକାଶ ତ୍ୟାଗୀଙ୍କୁ ଫେବୃଆରୀ ୧୭ରେ ଗିରଫ କରି ଜେଲକୁ ପଠାଇ ଦେଇଛି।

ମଙ୍ଗଳବାର ମହିଳା ଜଣଙ୍କ ସମସ୍ତଙ୍କୁ ଚିକିତ କରିବା ଭଳି ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ବିକାଶଙ୍କ ୩ ଜଣଙ୍କ ସାଙ୍ଗ ତାଙ୍କୁ ମାର୍କେଟ ଯାଉଥିବା ବେଳେ ଅପହରଣ କରିଥିଲେ। ଏହାପରେ ତାଙ୍କୁ କୌଣସି ନିଶା ଇଞ୍ଜେକସନ ଦେଇ ଅଚେତ କରି ଦେଇଥିଲେ। ଅଚେତ ଅବସ୍ଥାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ସେ ଆହୁରି ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତମାନେ ତାଙ୍କ ବେକରେ କିଛି କେମିକାଲ ଲଗାଇବା ସହ ଗୁପ୍ତାଙ୍ଗରେ ଗୋଟିଏ ବୋତଲ ପୂରାଇ ଦେଇଥିଲେ। ଶେଷରେ ତାଙ୍କୁ ମେହରୌଲି ଗେଟ ନିକଟରେ ଥିବା ଗୋଟିଏ ଅଳିଆ ଗଦାରେ ଫିଙ୍ଗି ଚାଲି ଯାଇଥିଲେ।

ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ପୂରା ଘଟଣା ସୋମବାର ଘଟିଛି। ପୁଲିସ ଅଭିଯୋଗ ପାଇବା ପରେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଥିଲା ଯେ ମହିଳା ଜଣଙ୍କ ତାଙ୍କ ଘରୁ ସନ୍ଧ୍ୟା ୮.୩୦ରେ ବାହାରି ଥିଲେ। ଏହାପରେ ଗୋଟିଏ କାରରେ ବସିଥିଲେ ଓ ଉକ୍ତ କାର ତାଙ୍କୁ ରାତି ୧୦.୧୯ରେ ଘର ପାଖରେ ଛାଡ଼ିଥିଲା। ସେ ବେଶ ସ୍ୱାଭାବିକ ଢଙ୍ଗରେ ନିଜ ଫ୍ଲାଟକୁ ଚାଲିଚାଲି ଯାଇଥିଲେ।

ବିକାଶଙ୍କ ୩ ଜଣ ସାଙ୍ଗଙ୍କ କଲ ଡିଟେଲ ଓ ଲୋକେସନ ଯାଞ୍ଚ କରିବା ବେଳେ ଜଣାପଡ଼ିଥିଲା ଯେ ସେମାନେ ଅଭିଯୋଗ ହୋଇଥିବା ଘଟଣା ସ୍ଥଳରେ ନଥିଲେ। ମେଡିକାଲ ଯାଞ୍ଚ ବେଳେ ମହିଳା ଜଣଙ୍କ ଯେଉଁ କେମିକାଲ କଥା କହିଥିଲେ, ତାହା ମଧ୍ୟ କଟନ ଦ୍ୱାରା ଲଗା ଯାଇଥିବା ଜଣାପଡ଼ିଥିଲା।

ଡିସିପି ରାଜେଶ କୁମାର ସିଂହ କହିଛନ୍ତି, “ଫେବୃଆରୀ ୨୫ରେ ଆମେ ଗଣଦୁଷ୍କର୍ମ ଅଭିଯୋଗ ପାଇଥିଲୁ। ତେବେ ତଦନ୍ତ ଓ ମେଡିକାଲ ଚେକ ଅପରୁ ଜଣାପଡ଼ିଥିଲା ଯେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସାଙ୍ଗମାନଙ୍କ ବିରୋଧରେ ଆଣିଥିବା ଅଭିଯୋଗ ମିଛ। ସେ ସେମାନଙ୍କୁ ଫସାଇବା ପାଇଁ ଏପରି ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ସେ ଏପରି ଅଭିଯୋଗ କରିବାର ନଜିର ରହିଛି। ମିଛ ଅଭିଯୋଗ କରିଥିବାରୁ ମହିଳାଙ୍କୁ ଗିରଫ କରାଯାଇଛି। ବିକାଶ ତ୍ୟାଗୀଙ୍କ ସହ ତାଙ୍କ ସମ୍ପର୍କ ସୃଷ୍ଟି ହେବା ଦିନ ଠାରୁ ସେ ତାଙ୍କ ପ୍ଲାଟରେ ରହିଛନ୍ତି। ସମ୍ଭବତଃ ତାଙ୍କ ଫ୍ଲାଟକୁ କବଜା କରିବା ପାଇଁ ଏପରି ଅଭିଯୋଗ କରାଯାଇଛି। ତଥାପି ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।”

Uttar Pradesh Crime Stop Rape