Advertisment

ନିଷ୍ଠୁର ସ୍ତ୍ରୀ; ହେମଦସ୍ତାରେ ପିଟି ନେଇଥିଲା ସ୍ୱାମୀର ଜୀବନ

ପାରିବାରିକ କଳହଙ୍କ ପାଇଁ ପ୍ରକାଶଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ସାତ ଜନମର ସାଥୀ ହେବା ପାଇଁ ହାତ ଧରିଥିଲେ ପ୍ରକାଶ ନାୟକ ଓ ଜ୍ୟୋତ୍ସ୍ନାରାଣୀ। ହେଲେ ଗୋଟିଏ ଜନମରେ ଶେଷ ହୋଇଗଲା ସେମାନଙ୍କ ସମ୍ପର୍କ। ସାମାନ୍ୟ କଳହ ପାଇଁ ନିଜ କପାଳରୁ ସିନ୍ଦୂର ପୋଛି ଦେଇଥିଲା ଜ୍ୟୋତ୍ସ୍ନା। ସ୍ୱାମୀ ପ୍ରକାଶଙ୍କୁ ହେମଦସ୍ତାରେ ଛେଚି କରିଥିଲା ହତ୍ୟା। ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ ଗତକାଲି ଘଟିଥିବା ହତ୍ୟାକାଣ୍ଡର ପୁଲିସ ଗୁମର ଖୋଲିଛି।

Advertisment

ଶରଣକୂଳ ଏସଡିପିଓ ସୁଧାକର ସାହୁଙ୍କ କହିବା ଅନୁଯାୟୀ, ମୃତ ପ୍ରକାଶ ନାୟକ ଘରେ ଶୋଇଥିଲେ। ଏହି ସମୟରେ ଜୋସ୍ନାରାଣୀ ଏକ ହେମଦସ୍ତା ଆଣି ସ୍ୱାମୀର ମୁଣ୍ଡକୁ ପିଟି ଦେଇଥିଲେ। ପରେ ହେମଦସ୍ତାରେ ପ୍ରକାଶଙ୍କ ମୁଣ୍ଡ ଓ ମୁହଁକୁ ଛେଚି ହତ୍ୟା କରିଥିଲେ। ପରେ କେହି ନ ଜାଣିବା ପାଇଁ ଘର ଭିତରେ ଗାତ ଖୋଳି ସେଥିରେ ସ୍ୱାମୀର ମୃତଦେହକୁ ପୋତି ଦେଇଥିଲେ ଜ୍ୟୋତ୍ସ୍ନା। ଏହାସହ ଘରେ ପଡ଼ିଥିବା ରକ୍ତକୁ କନାରେ ପୋଛି ସଫା କରିଥିଲେ। ପ୍ରମାଣ ନଷ୍ଟ ପାଇଁ ରକ୍ତ ଭିଜା କପଡ଼ାକୁ ଘର ପଛ ପଟେ ପୋଡ଼ି ଦେଇଥଲେ। ଏହି ହତ୍ୟାକାଣ୍ଡରେ ଜ୍ୟୋତ୍ସ୍ନାଙ୍କୁ ତାଙ୍କ ମାଆ ଅର୍ଥାତ ପ୍ରକାଶଙ୍କ ଶାଶୁ ଡମଣୀ ପ୍ରଧାନ ସହାୟତା କରିଥିଲେ।

ପୁଲିସ ଜୋସ୍ନାରାଣୀ ଓ ତାଙ୍କ ମା’ଙ୍କୁ ଅଟକ ରଖିଛି। ତେବେ ଏହି ହତ୍ୟାକାଣ୍ଡରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ତାର ଛାନଭିନ୍ ଚାଲିଛି। ଏହାସହ ହତ୍ୟାରେ ବ୍ୟବହୃତ ହେମଦସ୍ତାକୁ ପୁଲିସ ଜବତ କରିଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

Advertisment

ଅଭିଯୋଗ ଅନୁସାରେ, ପ୍ରକାଶ ନାୟକ କୋମଣ୍ଡ ଗାଁରେ ନିଜ ଶ୍ୱଶୁର ଘରେ ରହୁଥିଲେ। ୨୦ ଦିନ ହେବ ସେ ନିଖୋଜ ଥିଲେ।  ପ୍ରକାଶ ନିଖୋଜ ଥିବା ନେଇ ତାଙ୍କ ସ୍ତ୍ରୀ ଥାନାରେ କୌଣସି ଅଭିଯୋଗ କରି ନଥିଲେ କି ଖୋଜାଖୋଜି କରି ନଥିଲେ। ଏନେଇ ପ୍ରକାଶଙ୍କ ବାପାଙ୍କର ସନ୍ଦେହ ହୋଇଥିଲା। ଗତକାଲି ପୁଅ ନିଖୋଜ ଥିବା ନେଇ ଓଡଗାଁ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ହେଲେ ସାଙ୍ଗରେ ପୁଅର ଆଧାରକାର୍ଡ ଆଣିନଥିଲେ। ଆଧାରକାର୍ଡ ପାଇଁ ପ୍ରକାଶଙ୍କ ଶ୍ୱଶୁର ଘରକୁ ଯାଇଥିଲେ ତାଙ୍କ ବାପା। ଶ୍ୱଶୁର ଘରୁ ଆଧାରକାର୍ଡ ଆଣିଲା ବେଳେ ଘର ଭିତରେ ମାଟି ଖୋଳାହୋଇଥିବା ଦେଖିଥିଲେ। ହେଲେ କାହାକୁ କିଛି ନକହି ଆଧାରକାର୍ଡ ନେଇ ଥାନାକୁ ପଳାଇଆସିଥିଲେ। ଥାନାରେ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିବା ସହ ପୁଅକୁ ହତ୍ୟା କରି ମାଟି ତଳେ ପୋତି ଦିଆଯାଇଛି ବୋଲି ପୁଲିସ ଅଧିକାରୀଙ୍କ ନିକଟରେ କହିଥିଲେ।

ପରେ ପୁଲିସ ପ୍ରକାଶଙ୍କ ଶ୍ୱଶୁରଙ୍କ ଘରକୁ ଯାଇ ଛାନଭିନ୍ ଆରମ୍ଭ କରିଥିଲା। ଛାନଭିନ୍ ବେଳେ ପୁଲିସର ସନ୍ଦେହ ବଢ଼ିଥିଲା। ପରେ ଓଡଗାଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଘରେ ଭିତରେ ମାଟି ଖୋଳି ଦେଖିଲା ବେଳକୁ ପ୍ରକାଶଙ୍କ ମୃତଦେହ ମିଳିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ଗାଁରେ କୌଣସି ବିଶୃଙ୍ଖଳା ପରିସ୍ଥତି ନ ଉପୁଜିବା ଆଶଙ୍କାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରିବା ସହ ପୁଲିସ ମଧ୍ୟ ଅଭିଯୁକ୍ତମାନଙ୍କ ନେଇ ସିନ୍ ରିକ୍ରିଏଟ୍ କରିଥିବା ଜଣାପଡ଼ିଛି। ପାରିବାରିକ କଳହଙ୍କ ପାଇଁ ପ୍ରକାଶଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Nayagarh