ଥରେ କଲେ ଜଣେ ଭାବିବ ଯେ ଭୁଲରେ ହୋଇଗଲା। କିନ୍ତୁ ବାରମ୍ବାର ଭୁଲ କଲେ ଏହାକୁ ପ୍ରକୃତି ବୋଲି କୁହାଯାଏ। ଏପରି କିଛି କାଣ୍ଡ ଘଟାଇଛନ୍ତି ଜଣେ ମହିଳା। ୨ ପିଲା ଓ ସ୍ୱାମୀ ଥାଇ ମଧ୍ୟ ସେ ପର ପୁରୁଷଙ୍କ ପାଇଁ ବେଶ ପାଗଳ। ପର ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ସେ ନିଜ ସ୍ୱାମୀ, ୨ ବଢ଼ିଲା ପିଲା ଓ ଶାଶୁ ଘର ଲୋକଙ୍କୁ ବିଷ ଦେବାକୁ ମଧ୍ୟ ପଛାଇ ନାହାନ୍ତି।
ନିୟମିତ ଭାବେ ମହିଳା ଜଣଙ୍କ ସ୍ୱାମୀ ଓ ୨ ପିଲାଙ୍କୁ ଖାଦ୍ୟରେ ବିଷ ମିଶାଇ ଦେଇ ଚାଲିଥିଲେ। ସେମାନଙ୍କୁ ମାରି ସେ ନିଜର ପରକୀୟା ପ୍ରୀତିକୁ ଜାରି ରଖିବାକୁ ଚାହୁଁଥିଲେ। କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ। ଏହିକ୍ରମରେ ସ୍ୱାମୀ ଜଣଙ୍କ ସ୍ତ୍ରୀଙ୍କ ବ୍ୟାଗରୁ ମୋବାଇଲ ଖୋଜିବା ବେଳେ ତାଙ୍କର ସବୁ ଷଡ଼ଯନ୍ତ୍ର ପର୍ଦ୍ଦାଫାସ ହୋଇଯାଇଛି।
କର୍ଣ୍ଣାଟକାର ହାସନ ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଜୁନ ୫ରେ ପୁଲିସ୍ ହତ୍ୟା ଉଦ୍ୟମ ମାମଲାରେ ମାମଲା ରୁଜୁ କରିବା ସହ ୩୩ ବର୍ଷୀୟ ଚୈତ୍ରଙ୍କୁ ଗିରଫ କରିଛି। ସେ ନିଜର ସ୍ୱାମୀ ଗଜେନ୍ଦ୍ର, ନିଜର ୨ ପିଲା(ଜଣଙ୍କର ବୟସ ୮ ଓ ଜଣଙ୍କର ବୟସ ୧୦) ଓ ଶାଶୁ ଘର ଲୋକଙ୍କୁ ବିଷ ଦେଇ ଜୀବନରୁ ମାରିବା ଘଟଣାରେ ଗିରଫ ହୋଇଛନ୍ତି।
ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ଚୈତ୍ର ଖାଦ୍ୟରେ ବିଷ ମିଶାଇ ଶାଶୁ ଘର ଲୋକଙ୍କୁ ଦେଉଥିଲେ। ପୁଲିସ୍ ଚୈତ୍ରଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଏଥିରେ ସହଯୋଗ କରିଥିବା ଶିବୁ ନାମକ ବ୍ୟକ୍ତିଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ଚୈତ୍ର ଓ ଶିବୁଙ୍କ ମଧ୍ୟ ଅନୈତିକ ସମ୍ପର୍କ ରହିଥିଲା।
ମହିଳାଙ୍କ ସ୍ୱାମୀ ଗଜେନ୍ଦ୍ର କହିଛନ୍ତି, ୧୧ ବର୍ଷ ତଳେ ସେ ଚୈତ୍ରଙ୍କୁ ବିବାହ କରିଥିଲେ। ହେଲେ ୩ ବର୍ଷ ହେଲା ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଚୈତ୍ର ପ୍ରଥମେ ପୁନିତ ନାମକ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ। ତାଙ୍କର ଏହି ପରକୀୟା ପ୍ରୀତି ସମ୍ପର୍କରେ ଗଜେନ୍ଦ୍ର ଜାଣିବାରୁ ପ୍ରବଳ ଝଗଡ଼ା ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଦୁଇ ପରିବାର ଏକାଠି ବସି ସବୁ ବିବାଦର ସମାଧାନ କରିଥିଲେ। ଲାଗୁଥିଲା ପୁଣି ଗଜେନ୍ଦ୍ର ଓ ଚୈତ୍ର ଖୁସିରେ ସଂସାରର ଗାଡ଼ିକୁ ଆଗକୁ ନେବେ।
କିଛି ମାସ ସବୁ କିଛି ଠିକ ଠାକ ଚାଲିଥିଲା। ହେଲେ ସମୟ ଗଡ଼ିବା ସହ ଚୈତ୍ରଙ୍କ ପୁରୁଣା ରୋଗ ବାହାରିଥିଲା। ସେ ଶିବୁ ନାମକ ଆଉ ଜଣେ ବ୍ୟକ୍ତିଙ୍କ ସହ ପୁଣିଥରେ ପରକୀୟା ପ୍ରୀତିରେ ମାତି ଥିଲେ। ଶିବୁ ସେହି ଗାଁରେ ରୁହନ୍ତି। ଗଜେନ୍ଦ୍ର ଏ ସମ୍ପର୍କରେ ଚୈତ୍ରଙ୍କ ପରିବାର ଲୋକଙ୍କୁ ଜଣାଇବାରୁ ଗତବର୍ଷ ଝଗଡ଼ା ହୋଇଥିଲା। ଚୈତ୍ର ତାଙ୍କ ନାଁରେ ମାମଲା କରିବାରୁ ଗଜେନ୍ଦ୍ରଙ୍କୁ କିଛି ଦିନ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା।
ଏତେ ସବୁ ପରେ ମଧ୍ୟ ଚୈତ୍ର ନିଜ ପ୍ରକୃତିକୁ ବଦଳାଇ ନଥିଲେ। ଶିବୁଙ୍କ ସହ ସମ୍ପର୍କକୁ ଅତୁଟ ରଖିବା ପାଇଁ ସେ ସ୍ୱାମୀ, ଦୁଇ ପିଲା ଓ ଶାଶୁ ଘର ଲୋକଙ୍କ ଖାଦ୍ୟରେ ବିଷ ମିଶାଇବା ଆରମ୍ଭ କରିଥିଲେ। ସେ ବିଭିନ୍ନ ପ୍ରକାରର ମେଡିସିନକୁ ଶାଶୁ ଘର ଲୋକଙ୍କ ଖାଦ୍ୟରେ ଏମିତି ଢଙ୍ଗରେ ମିଶାଇ ଦେଉଥିଲେ ଯେ ଏକଥା କାହାକୁ ଜଣା ନଥିଲା। ଶିବୁ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରୁଥିଲେ।
ବେଶ କିଛି ମାସ ଧରି ଶାଶୁ ଘର ଲୋକ ବିଷ ମିଶା ଖାଦ୍ୟ ଖାଉଥିଲେ ହେଁ ଏକଥା ଜାଣି ପାରୁ ନଥିଲେ। ହେଲେ ଗୋଟିଏ ଦିନ ମୋବାଇଲ ଖୋଜିବା ବେଳେ ଗଜେନ୍ଦ୍ର ସ୍ତ୍ରୀ ଚୈତ୍ରଙ୍କ ବ୍ୟାଗରୁ କିଛି ମେଡିସିନ ଓ ପାଉଡର ଠାବ କରିଥିଲେ।
ଗଜେନ୍ଦ୍ର କହିଛନ୍ତି, “ମୁଁ ବ୍ୟାଗରୁ ପାଇଥିବା ମେଡିସିନ ଧରି ଡାକ୍ତରଙ୍କ ପାଖକୁ ଯାଇଥିଲି। ସେ ଏହାକୁ ଦେଖିବା ପରେ ପୂରା ଚକିତ ହୋଇଯାଇଥିଲେ। ବ୍ୟାଗକୁ ମିଳିଥିବା ମେଡିସିନ ନିଦ ବଟିକା ଓ ଏହାକୁ ବିନା ପ୍ରେସକ୍ରିପସନରେ ବିକ୍ରି କରାଯାଏ ନାହିଁ ବୋଲି ଡାକ୍ତର କହିଥିଲେ। ଏହି ଘଟଣାର ୨ ମାସ ପୂର୍ବରୁ ମୋ ବାପା ମା’ ଓ ପିଲାମାନେ ଖାଦ୍ୟ ଖାଇବା ପରେ ସକାଳରୁ ରାତି ଯାଏ ଖାଲି ଘୁମାଉ ଥିଲେ। ଅଧିକାଂଶ ସମୟ ଆମେ ଘଣ୍ଟା ଘଣ୍ଟା ଧରି କେବଳ ଶୋଇ ରହୁଥିଲୁ। ଏହାର କାରଣ ଆମକୁ ଜଣା ନଥିଲା। ହେଲେ ଡାକ୍ତରଙ୍କ ଠାରୁ ସବୁ ଜାଣିବା ପରେ ଚୈତ୍ରର ଅସଲ ମୁଖା ଖୋଲି ଯାଇଥିଲା।”
ଏକଥା ଜଣାପଡ଼ିବା ପରେ ପରିବାର ଲୋକ ହସ୍ପିଟାଲରେ ନିଜର ପରୀକ୍ଷା କରାଇଥିଲେ। ସେମାନଙ୍କ ପେଟରେ ମଧ୍ୟ ଯନ୍ତ୍ରଣା ହେଉଥିଲା। ଚୈତ୍ରଙ୍କ ବ୍ୟାଗରୁ ମିଳିଥିବା ପାଉଡରର ମଧ୍ୟ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ସ୍ପଷ୍ଟ ହୋଇଥିଲେ ଯେ ସମସ୍ତେ ବେଶ କିଛି ଦିନ ବିଷାକ୍ତ ଖାଦ୍ୟ ଖାଉଛନ୍ତି। ଏହି ରିପୋର୍ଟ ପରେ ଗଜେନ୍ଦ୍ର ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ୍ ଚୈତ୍ରଙ୍କୁ ଗିରଫ କରିଥିବା ବେଳେ ଏବେ ବି ଶିବୁ ଫେରାର ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।