ଦୁଇ ଜଣ ପରସ୍ପରକୁ ଭଲ ପାଉଥିଲେ। ପୁଅକୁ ୨୨ ଓ ଝିଅକୁ ୧୯। ସେମାନେ ଚାହିଁଥିଲେ ଆଇନଗତ ଭାବେ ବିବାହ କରିପାରିଥାଆନ୍ତେ। ହେଲେ ପରିବାର ଲୋକଙ୍କ ସମ୍ମାନକୁ ଗୁରୁତ୍ୱ ଦେଉଥିଲେ। ପରିବାର ଲୋକଙ୍କୁ ରାଜି କରାଇବା ପାଇଁ ଲାଗି ପଡ଼ିଥିଲେ।
ହେଲେ ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ। ଝିଅର ଜନ୍ମ ଦିନରେ ତାକୁ ସବୁ ଦିନ ପାଇଁ ଶେଷ କରି ଦେଇଛନ୍ତି। ଉତ୍ତର ପ୍ରଦେଶର ଲଳିତପୁର ଜିଲ୍ଲୀରେ ନୂଆବର୍ଷ ଦିନ ଏମିତି କିଛି ଘଟଣା ଘଟିଥିଲା। ପୁଲିସ ଏବେ ପୂରା ଘଟଣା ଉପରକୁ ପରଦା ହଟାଇଛି।
ଘଟଣାରେ ଯୁବତୀଙ୍କ ବାପା, ମା’ ଓ ଦାଦାଙ୍କୁ ଗିରଫ କରି ଅଧିକ ତଦନ୍ତ ପୁଲିସ ଜାରି ରଖିଛି। ଲଳିତପୁର ପୁଲିସ୍ ଷ୍ଟେସନ ଅଧୀନରେ ରହିଛି ବିଘା ଗାଁ। ଏଠାରେ ରହୁଥିବା ୨୨ ବର୍ଷୀୟ ମିଥୁନ କୁଶୱା ଓ ୧୯ ବର୍ଷୀୟ କାମିନି ସାହୁ ପରସ୍ପରକୁ ବହୁତ ଭଲ ପାଉଥିଲେ। ତେବେ କାମିନିଙ୍କ ପରିବାର ଲୋକ ମିଥୁନଙ୍କ ସହ ସମ୍ପର୍କକୁ ସ୍ୱୀକୃତି ଦେଇ ନଥିଲେ। ଉଭୟ ସାହୁ ଓ କୁଶୱା ପରିବାର ମଧ୍ୟ ପ୍ରେମ ପକ୍ଷୀ ଏକାଠି ରୁହନ୍ତୁ ବୋଲି ଚାହୁଁ ନଥିଲେ।
ଦୁଇ ଜଣଙ୍କ ପ୍ରେମ ସମ୍ପର୍କ କଥା ଜଣାପଡ଼ିବା ପରେ ଗାଁରେ ପଞ୍ଚାୟତ ବୈଠକ ବସିଥିଲା। ଏଠାରେ ନିଷ୍ପତ୍ତି ହୋଇଥିଲା ଯେ କାମିନିଙ୍କ ବିବାହ ଶେଷ ନ ହେବା ଯାଏ ମିଥୁନ ଗାଁକୁ ଆସି ପାରିବେ ନାହିଁ। ନିଷ୍ପତ୍ତିକୁ ସମ୍ମାନ ଜଣାଇ ମିଥୁନ ଗାଁ ବାହାରେ ରହୁଥିବା ମାମୁଙ୍କ ପାଖରେ ରହିବାକୁ ଲାଗିଥିଲେ। ହେଲେ ତାଙ୍କ ମନର ମଣିଷ କାମିନି ଗାଁରେ ରହୁଥିବାରୁ ମିଥୁନ ବେଳେବେଳେ ଗୁପ୍ତ ଭାବେ ତାଙ୍କୁ ଦେଖା କରିବାକୁ ଆସୁଥିଲେ। ପ୍ରାୟତଃ ସେ ରାତିରେ କାମିନିଙ୍କୁ ଦେଖା କରନ୍ତି।
ସାହୁ ପରିବାରକୁ ଏକଥା ଭଲ ଭାବେ ଜଣାଥିଲା। ତେଣୁ ସେମାନେ ମିଥୁନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଜାନୁଆରୀ ୧ରେ କାମିନିଙ୍କ ଜନ୍ମ ଦିନ ଥିବାରୁ ମିଥୁନ ନିଶ୍ଚିତ ଭାବେ ରାତିରେ ଆସିବେ ବୋଲି ସାହୁ ପରିବାର ଜାଣିଥିଲା। ଏହି ସମୟରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା।
ଜାନୁଆରୀ ୧ ତାରିଖରେ ଯେତେବେଳେ ମିଥୁନ ଗାଁକୁ କାମିନିଙ୍କୁ ଦେଖା କରିବାକୁ ଆସିଥିଲେ ସେତେବେଳେ ସାହୁ ପରିବାର ତାଙ୍କୁ ଧରି ପକାଇଥିଲେ। ତାଙ୍କ ହାତ ବାନ୍ଧି ବଳପୂର୍ବକ ବିଷ ପିଆଇ ତଣ୍ଟି ଚିପି ହତ୍ୟା କରିଥିଲେ। କାମିନି ଏହାକୁ ଦେଖି ଦେବାରୁ ଜୋରଦାର ବିରୋଧ କରିଥିଲେ। ପୁଲିସ୍କୁ ସବୁ କଥା କହି ଦେବେ ବୋଲି ମଧ୍ୟ ସେ ଧମକ ଦେଇଥିଲେ। ଏଥିରେ ଡରି ଯାଇ ନିଜ ଜନ୍ମ କଲା ଝିଅକୁ ମଧ୍ୟ ସାହୁ ପରିବାର ପକ୍ଷରୁ ବିଷ ପିଆଇ ତଣ୍ଟି ଚିପି ହତ୍ୟା କରାଯାଇଥିଲା।
ଦୁଇ ଜଣଙ୍କୁ ମାରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା। ସାହୁ ପରିବାର ମିଥୁନଙ୍କ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଗୋଟିଏ ଗଛରେ ଟାଙ୍ଗି ଦେଇଥିଲେ। ସେହିପରି କାମିନିଙ୍କ ମୃତଦେହକୁ ଘର ପଛ ପଟେ ପୋତି ଦେଇଥିଲେ।
ଜାନୁଆରୀ ୧ ତାରିଖ ସକାଳେ ସାହୁ ପରିବାର ଏମିତି ଅଭିନିୟ କରିଥିଲେ ଯେମିତି ଝିଅ ନିଖୋଜ ହୋଇଯାଇଛି। ଏହାପରେ ଗାଁ ଲୋକଙ୍କ ସହ ମିଶି ସେମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହି ସମୟରେ ଘର ପାଖରୁ ମିଥୁନ ଓ କାମିନିଙ୍କ ମୃତଦେହ ମିଳିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ।
ପୁଲିସ୍ ପ୍ରଥମେ ଭାବିଥିଲା ଯେ ଏହା ଆତ୍ମହତ୍ୟା। କିନ୍ତୁ ଶବବ୍ୟବଚ୍ଛେଦ ପରେ ଜଣାପଡ଼ିଥିଲା ଯେ ଉଭୟଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ପୁଲିସ୍ କାମିନିଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବାରୁ ସେମାନେ ପ୍ରଥମେ କିଛି ଜାଣି ନଥିବା କହିଥିଲେ।
ହେଲେ ପରବର୍ତ୍ତୀ ଅବସ୍ଥାରେ ପୂରା ଘଟଣାର ଖୁଲାସା କରିଥିଲେ। ପୁଲିସ୍ ଏହି ଘଟଣାରେ କାମିନିଙ୍କ ବାପା ସୁନୀଲ ସାହୁ, ମା’ ରମାଦେବୀ ସାହୁ ଓ ଦାଦା ଦେଶରାଜ ସାହୁଙ୍କୁ ଗିରଫ କରିଛି।