/odisha-reporter/media/post_attachments/uploadimage/library/16_9/16_9_0/Karan_Dev_1752915511.jpg)
Karan Dev
ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ଚୋରା ପିରତିର ଭୟଙ୍କର କାହାଣୀ। ଦିଅରଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଜଣେ ମହିଳା ଫିଲ୍ମ ଷ୍ଟାଇଲରେ ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ କରେଣ୍ଟ ଲାଗିବା ଯୋଗୁ ହୋଇଥିବା ପ୍ରଥମେ ସମସ୍ତେ ଭାବି ନେଇଥିଲେ। କିନ୍ତୁ ଅଧିକ ତଦନ୍ତ ପରେ ମୃତ୍ୟୁ ପଛରେ ଥିବା ଭୟଙ୍କର ଧୋକା ପର୍ଦ୍ଦାଫାସ ହୋଇଛି।
୩୬ ବର୍ଷୀୟ କରନ ଦେବଙ୍କୁ ଜୁଲାଇ ୧୩ରେ ତାଙ୍କ ପତ୍ନୀ ସୁସ୍ମିତା ତରବରିଆ ଭାବେ ମାତା ରୂପରାଣୀ ମାଗୋ ହସ୍ପିଟାଲକୁ ଆଣିଥିଲେ। କରନଙ୍କୁ ଦୁର୍ଘଟଣାବଶତଃ କରେଣ୍ଟର ଝଟକା ଲାଗି ଯାଇଥିବା ସେ ସମସ୍ତଙ୍କୁ କହିଥିଲେ। ହସ୍ପିଟାଲରେ ଡାକ୍ତରମାନେ କରନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ ହେଁ ତାଙ୍କର ମୃତ୍ୟୁ ହୋଇ ସାରିଥିବା ପରିବାର ଲୋକଙ୍କୁ ଅବଗତ କରାଇଥିଲେ।
ଏକଥା ଶୁଣି ସୁସ୍ମିତାଙ୍କ ଠାରୁ ଆରମ୍ଭ କରି କରନଙ୍କ ପରିବାର ଲୋକ ଭାଙ୍ଗି ପଡ଼ିଥିଲେ। ସେମାନଙ୍କ କାନ୍ଦରେ ହସ୍ପିଟାଲ ଫାଟି ପଡ଼ିଥିଲା। କରେଣ୍ଟ ଜନିତ ଦୁର୍ଘଟଣାରୁ କରନଙ୍କ ମୃତ୍ୟୁ ହୋଇଥିବା ଭାବି ପରିବାର ଲୋକ ଶବ ବ୍ୟବଚ୍ଛେଦ ପାଇଁ ମନା କରି ଦେଇଥିଲେ। କିନ୍ତୁ ଦିଲ୍ଲୀ ପୁଲିସ୍ ସେମାନଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ବାଧ୍ୟ କରିଥିଲା। ପୁଲିସ୍ ବାରମ୍ବାର ପରାମର୍ଶ ଦେବାରୁ ପରିବାର ଲୋକ ଏଥିରେ ରାଜି ହୋଇଥିଲେ। କିନ୍ତୁ କରନଙ୍କ ପତ୍ନୀ ସୁସ୍ମିତା ଓ ସମ୍ପର୍କୀୟ ଭାଇ ରାହୁଲ ଏହାକୁ ବିରୋଧ କରିଥିଲେ।
ତଥାପି କରନଙ୍କ ମୃତଦେହକୁ ପୁଲିସ୍ ବ୍ୟବଚ୍ଛେଦ ପାଇଁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ପଠାଇଥିଲା। ଘଟଣାର ୩ ଦିନ ପରେ କରନଙ୍କ ନିଜ ସାନ ଭାଇ କୁନାଲ ସାଂଘାତିକ ତଥ୍ୟ ଦେଇଥିଲେ। ସେ ପୁଲିସ୍ ଆଗରେ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।
ଏଥିସହ କରନଙ୍କ ପତ୍ନୀ ସୁସ୍ମିତା ଓ ସମ୍ପର୍କୀୟ ଭାଇ ରାହୁଲଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଖାଲି ସେତିକି ନୁହେଁ, ସୁସ୍ମିତା ଓ ରାହୁଲଙ୍କ ଇନଷ୍ଟାଗ୍ରାମରେ ହତ୍ୟା ସମ୍ପର୍କରେ କଥା ହେଉଥିବା ଗୋଟିଏ ଚ୍ୟାଟକୁ ମଧ୍ୟ ସେ ପୁଲିସ୍ ଆଗରେ ଉପସ୍ଥାପନ କରିଥିଲେ।
ଚ୍ୟାଟରୁ ଜଣାପଡ଼ିଥିଲେ ଯେ ସୁସ୍ମିତା ଓ ତାଙ୍କ ଦିଅର ରାହୁଲଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ସମ୍ପର୍କ ରହିଥିଲା। ଏଥିପାଇଁ ସେମାନେ କରନଙ୍କୁ ନିଜ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ସେମାନେ କରନଙ୍କୁ ରାତ୍ର ଭୋଜନ ବେଳେ ୧୫ଟି ନିଦ ବଟିକା ଏକାଥରେ ଖାଇବାକୁ ଦେଇଥିଲେ। କରନ ଚେତା ହରାଇବା ଯାଏ ସେମାନେ ଅପେକ୍ଷା କରିଥିଲେ।
ନିଦ ବଟିକା ଖାଇବା ଦ୍ୱାରା ଜଣେ କେତେ ସମୟ ପରେ ପ୍ରାଣ ହରାଇବ, ସେକଥା ମଧ୍ୟ ସୁସ୍ମିତା ଓ ରାହୁଲ ଗୁଗଲରେ ସର୍ଚ୍ଚ କରିଥିଲେ। ୧୫ଟି ନିଦ ବଟିକା ଖାଇବା ପରେ କରନ ଅଚେତ ହୋଇ ଯାଇଥିଲେ। କିନ୍ତୁ ତାଙ୍କ ନିଃଶ୍ୱାସ ଚାଲିଥିଲା। କରନଙ୍କ ମୃତ୍ୟୁକୁ ଅପେକ୍ଷା କରି ରହିଥିବା ପତ୍ନୀ ଏହି ସମୟରେ ତାଙ୍କ ପ୍ରେମିକ ରାହୁଲଙ୍କ ସହ କଥା ହୋଇଥିଲେ। ସେ କିଛି ସମୟ ଶୋଇବାକୁ ଚାହୁଁଥିବା ତାଙ୍କୁ ଜଣାଇଥିଲେ।
କିଛି ସମୟ ପରେ ସେ ନିଦରୁ ଉଠିଥିଲେ ଓ ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ରାହୁଲଙ୍କ ସହ ମିଶି କରନଙ୍କୁ ଇଲେକ୍ଟ୍ରିକ ଶକ ଦେଇଥିଲେ। କରେଣ୍ଟ ଝଟକା ପରେ କରନଙ୍କ ନିଃଶ୍ୱାସ ବନ୍ଦ ହୋଇଯାଇଥିଲା।
ପୁଲିସ ଏସବୁ ଜାଣିବା ପରେ ସୁସ୍ମିତାଙ୍କୁ ହେପାଜତକୁ ନେଇ ଜେରା ଆରମ୍ଭ କରିଥିଲା। ପ୍ରଥମେ ସେ ପୁଲିସ୍କୁ ବିଭ୍ରାନ୍ତ କରିଥିଲେ। କିନ୍ତୁ ବାରମ୍ବାର ଜେରା ହେବାରୁ ସେ ନିଜ ସ୍ୱାମୀଙ୍କୁ ଦିଅରରୁ ପ୍ରେମିକ ସାଜିଥିବା ରାହୁଲଙ୍କ ସହ ମିଶି ହତ୍ୟା କରିଥିବା ସ୍ୱୀକାର କରିଥିଲେ।
ସୁସ୍ମିତାଙ୍କ କହିବା କଥା ଯେ କରନ ତାଙ୍କୁ କଡୱାଚୌକର ଦିନକ ପୂର୍ବରୁ ଚାପୁଡ଼ା ମାରିବା ସହ ଦୁର୍ବ୍ୟବହାର କରିଥିଲେ। ସେ ନିୟମିତ ତାଙ୍କୁ ଟଙ୍କା ମାଗିବା ସହ ନିର୍ଯାତନା ଦେଉଥିଲେ। ଏଥିଯୋଗୁ ସେ ମାନସିକ ଚିନ୍ତାରେ ରହୁଥିଲେ। ଏହି ସମୟରେ ରାହୁଲ ତାଙ୍କର ନିକଟତର ହୋଇଥିଲେ। ଧୀରେଧୀରେ ଉଭୟଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା। ଶେଷରେ ଉଭୟ ମିଶି କରନ ଦେବଙ୍କୁ ହତ୍ୟା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
