ପୂରା ପରିବାର ନିଶ୍ଚିହ୍ନ: ବାପା-ମା’ଙ୍କ ସହ ୩ ପିଲାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳି ନଥିଲା। ପୁଲିସ୍‌ ଭାବୁଥିଲା ଯେ ନିଜ ହାତରେ ବ୍ୟକ୍ତି ଜଣଙ୍କ ନିଜ ସଂସାରକୁ ଉଜାଡ଼ି ଦେଇଛନ୍ତି। ହେଲେ କିଛି ଘଣ୍ଟା ପରେ ଗୋଟିଏ ନିର୍ମାଣଧୀନ କୋଠାରୁ ବ୍ୟକ୍ତିଙ୍କ ଗୁଳି ବିଦ୍ଧ ମୃତଦେହ ମିଳିବା ପରେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି।

ପ୍ରାଣ ହରାଇଥିବା ପରିବାରର ସଦସ୍ୟ

  • Published: Tuesday, 05 November 2024
  • , Updated: 05 November 2024, 06:29 PM IST

ନିଶ୍ଚିହ୍ନ ହୋଇଯାଇଛି ଗୋଟିଏ ପରିବାର। ସ୍ୱାମୀ-ସ୍ତ୍ରୀ ଓ ୩ ପିଲାଙ୍କ ସହ ଆଗକୁ ବଢ଼ୁଥିବା ପରିବାର ସବୁ ସଦସ୍ୟଙ୍କ ଗୁଳିବିଦ୍ଧ ମୃତଦେହ ଆଜି ପୁଲିସ୍‌ ଉଦ୍ଧାର କରିଛି। ପ୍ରଥମେ ପୁଲିସ୍‌ ୪୫ ବର୍ଷୀୟ ମହିଳା, ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅର ଗୁଳିବିଦ୍ଧ ମୃତଦେହ ଉତ୍ତର ପ୍ରଦେଶର ବାରାଣସୀ ସ୍ଥିତ ଘରୁ ଉଦ୍ଧାର କରିଥିଲା। 

ତେବେ ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳି ନଥିଲା। ପୁଲିସ୍‌ ଭାବୁଥିଲା ଯେ ନିଜ ହାତରେ ବ୍ୟକ୍ତି ଜଣଙ୍କ ନିଜ ସଂସାରକୁ ଉଜାଡ଼ି ଦେଇଛନ୍ତି। ହେଲେ କିଛି ଘଣ୍ଟା ପରେ ଗୋଟିଏ ନିର୍ମାଣଧୀନ କୋଠାରୁ ବ୍ୟକ୍ତିଙ୍କ ଗୁଳି ବିଦ୍ଧ ମୃତଦେହ ମିଳିବା ପରେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି।

କୁହାଯାଉଛି ଯେ ପରିବାର ୪ ଜଣଙ୍କୁ ଗୁଳି କରିବା ପରେ ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ହେଲେ ପୁଲିସ୍‌ ଘଟଣାର ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି।

ଆଜି ଭାଦୈନି ଅଞ୍ଚଳର ଲୋକମାନେ ସକାଳୁ ଉଠିବା ମାତ୍ରେ ପୂରା ସ୍ତବ୍ଧ ହୋଇଯାଇଥିଲେ। ରାଜେନ୍ଦ୍ର ଗୁପ୍ତାଙ୍କ ଘରେ ଭଡ଼ାରେ ରହୁଥିବା ପ୍ରାୟ ୨୦ଟି ପରିବାର ପାଇଁ ଆସିଥିଲା ଚକିତ କରିବା ଭଳି ଖବର। ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ ଯେ ରାଜେନ୍ଦ୍ର ଗୁପ୍ତାଙ୍କ ଘର ବନ୍ଦ ରହିଛି। ଘରେ କାମ କରୁଥିବା ମହିଳା ଭିତରକୁ ଯିବା କ୍ଷଣି କାନ୍ଦବୋବାଳିରେ ଫାଟି ପଡ଼ିଥିଲା ପୂରା ପରିବେଶ।

ଘର ଭିତରେ ୪୫ ବର୍ଷୀୟ ନିତୁ, ୨୫ ବର୍ଷୀୟ ପୁଅ ନଭେନ୍ଦ୍ର, ୧୬ ବର୍ଷୀୟ ଝିଅ ଗୌରାଙ୍ଗୀ ଓ ୧୫ ବର୍ଷୀୟ ପୁଅ ଶୁଭେନ୍ଦ୍ର ଗୁପ୍ତାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିଲା। କିନ୍ତୁ ଘରେ ରାଜେନ୍ଦ୍ର ନଥିଲେ। କିଛି ଘଣ୍ଟା ପରେ ରାଜେନ୍ଦ୍ରଙ୍କ ମୃତଦେହ ମଧ୍ୟ ମିଳିଥିଲା। ସମସ୍ତଙ୍କ ଦେହରେ ଗୁଳିମାଡ଼ର ଚିହ୍ନ ରହିଛି। ପୁଲିସ୍‌ ଆଶଙ୍କା କରିଛି ଯେ ଗୁପ୍ତା ପ୍ରଥମେ ନିଜ ପରିବାର ସଦସ୍ୟମାନଙ୍କୁ ଗୁଳି କରିବା ପରେ ନିଜ ମଧ୍ୟ ଆତ୍ମହତ୍ୟା କରିଛନ୍ତି।

ଗୁପ୍ତାଙ୍କ ମୃତଦେହ ମିଳିବା ପୂର୍ବରୁ ବରିଷ୍ଠ ପୁଲିସ୍‌ ଅଧିକାରୀ ଗୌରବ ବଂସୱାଲ କହିଥିଲେ ଯେ “ ପାରିବାରିକ ବିବାଦରୁ ଏପରି ହତ୍ୟାକାଣ୍ଡ ଘଟିଥିବା ଏଠାରେ ରହୁଥିବା ଜଣେ ବୟସ୍କ ମହିଳା କହିଛନ୍ତି। ଏକାଧିକ ହତ୍ୟା ମାମଲାରେ ରାଜେନ୍ଦ୍ର ଗୁପ୍ତା ଅଭିଯୁକ୍ତ ଥିଲେ। ବର୍ତ୍ତମାନ ସେ ବେଲରେ ରହିଥିଲେ। ଘର ଭିତରୁ ମିଳିଥିବା ମୃତଦେହକୁ ଦେଖିବା ପରେ ଲାଗୁଛି ଯେ ସମସ୍ତେ ଶୋଇଥିବା ବେଳେ ସେମାନଙ୍କୁ ଗୁଳି କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ହତ୍ୟା ପାଇଁ ପିସ୍ତଲର ବ୍ୟବହାର ହୋଇଛି। ଆମେ ବୁଲେଟ କାସିଂ ପାଇଛୁ। ପରିବାର ନାଁରେ ଅନେକ ସମ୍ପତ୍ତି ଥିଲା। ସମ୍ଭବତଃ ଏହି କାରଣ ପାଇଁ ହତ୍ୟାକାଣ୍ଡ ଘଟିଛି। ରାଜେନ୍ଦ୍ର ଗୁପ୍ତା ଦେଶୀ ମଦ ବ୍ୟବସାୟ ମଧ୍ୟ କରନ୍ତି। ତାଙ୍କ ମାଲିକାନାରେ ୮ରୁ ୧୦ଟି ଘର ରହିଛି। ସେ ଭଡ଼ାରେ ମାସିକ ଲକ୍ଷେରୁ ଅଧିକ ଟଙ୍କା ପାଆନ୍ତି।”

ପୁଲିସ ଜାଣିବାକୁ ପାଇଛି ଯେ ରାଜେନ୍ଦ୍ର ଗୁପ୍ତା ନିଜ ବାପା, ଭାଇ ଓ ଭାଇ ବୋହୂଙ୍କୁ ହତ୍ୟା କରିବା ଘଟଣାର ଅଭିଯୁକ୍ତ। ନିତୁ ହେଉଛନ୍ତି ରାଜେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ। ବିଭିନ୍ନ କାରଣ ପାଇଁ ନିତୁ ଓ ରାଜେନ୍ଦ୍ରଙ୍କ ମଧ୍ୟରେ ପ୍ରାୟ ଅନେକ ସମୟରେ ଝଗଡ଼ା ହୋଇଥାଏ।

ପାଟିତୁଣ୍ଡ ଯୋଗୁ ରାଜେନ୍ଦ୍ର ଗୁପ୍ତା ପ୍ରାୟ ବର୍ଷେ ହେବ ବାହାରେ ରହୁଥିଲେ। ଦୀପାବଳି ବେଳେ ସେ ଘରକୁ ଆସିଥିଲେ। କିଛି ରିପୋର୍ଟରେ ଦାବି କରାଯାଇଛି ଯେ ସେ ଜଣେ ତାନ୍ତ୍ରିକଙ୍କ ଯୋଗାଯୋଗରେ ରହିଥିଲେ। ସମ୍ଭବତଃ ତାଙ୍କ କଥାରେ ସେ ପରିବାରକୁ ହତ୍ୟା କରିଛନ୍ତି। ତେବେ ପୁଲିସ୍‌ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି।

Related story