UP
ବିଷ ପିଇ ଜୀନବ ହାରିଛନ୍ତି ଜଣେ ୨୩ ବର୍ଷୀୟ ଯୁବତୀ। ଉତ୍ତର ପ୍ରଦେଶର ଲୋନିରେ ରହୁଥିବା ଏହି ଯୁବତୀଙ୍କ ମୃତଦେହ ତାଙ୍କ ଶୋଇବା ଘରୁ ଜବତ ହୋଇଛି। ଜୀବନ ହାରିବାର ୩ ଦିନ ପୂର୍ବରୁ ଯୁବତୀ ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ତାଙ୍କୁ ଲିଫ୍ଟ ଦେବା ଆଳରେ ୩ ଜଣ ବ୍ୟକ୍ତି ତାଙ୍କ ସହ ଏପରି ଜଘନ୍ୟକାଣ୍ଡ ଘଟାଇଥିଲେ।
ଯୁବତୀ ଜଣଙ୍କ ମାନସିକ ଅବସାଦ ମଧ୍ୟରେ ରହିଥିଲେ ଓ ମେଡିସିନ ମଧ୍ୟ ଖାଉଥିଲେ। ହେଲେ ଗୁରୁବାର ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ୍ର କହିବା କଥା ଯେ ଯୁବତୀ ଜଣଙ୍କ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘରେ କାହାକୁ କିଛି ନ କହି ବାହାରକୁ ଚାଲି ଯାଇଥିଲେ। ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ଯୁବତୀ ଜଣଙ୍କ ଘରୁ ଯିବାର ନଜିର ରହିଛି। ସେତେବେଳେ ପରିବାର ଲୋକ ଓ ପଡ଼ୋଶୀମାନେ ତାଙ୍କୁ ସୁରକ୍ଷିତ ଫେରାଇ ଆଣୁଥିଲେ।
ତାଙ୍କର ସମାନ୍ୟ ମାନସିକ ରୋଗ ରହିଥିଲା। ସୋମବାର ସନ୍ଧ୍ୟାରେ ଯୁବତୀ ଜଣଙ୍କ ଘରୁ ଚାଲି ଯିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ରାତି ପ୍ରାୟ ୧୦ ଟା ବେଳେ ତାଙ୍କୁ ଘର ଠାରୁ ୬.୫ କିମି ଦୂର ନିଥୋରି ଗାଁର ଗୋଟିଏ ଟ୍ୟୁବୱେଲ ପାଖରୁ ତାଙ୍କୁ ଉଦ୍ଧାର କରାଯାଇଥିଲା।
ତାଙ୍କ ପୋଷାକ ଚିରି ଯାଇଥିବା ବେଳେ ଶରୀରରେ ଏକାଧିକ କ୍ଷତଚିହ୍ନ ରହିଥିଲେ। ସେ କେବଳ କାନ୍ଦୁ ଥିଲେ। ପରିବାର ଲୋକଙ୍କୁ ଯୁବତୀ ଜଣଙ୍କ କହିଥିଲେ ଯେ ସେ ଘରକୁ ବାଟ ଭୁଲି ଯିବାରୁ କିଛି ଲୋକଙ୍କୁ ପଚାରିଥିଲେ। ଏହି ସମୟରେ ୩ ଜଣ ବ୍ୟକ୍ତି ବାଇକରେ ତାଙ୍କୁ ଘରେ ଛାଡ଼ି ଦେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେମାନେ ତାଙ୍କୁ ନିଥୋରି ନେଇ ଯାଇଥିଲେ ଓ ସେଠାରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ।
ଯୁବତୀଙ୍କ ଠାରୁ ସବୁ ଶୁଣିବା ପରେ ପରିବାର ଲୋକ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପୀଡ଼ିତାଙ୍କ ଡାକ୍ତରୀମାଇନା ମଧ୍ୟ କରିଥିଲା। କିଛି ଦିନ ଧରି ଯୁବତୀଙ୍କୁ ଦିଲ୍ଲୀର Institute of Human Behaviour and Allied Sciences (IHBAS)ରେ ଚିକିତ୍ସା କରାଯାଇଥିଲା। ବୁଧବାର ମଧ୍ୟାହ୍ନରେ ସେଠାରୁ ଡିସଚାର୍ଜ ହୋଇ ସେ ଘରକୁ ଫେରିଥିଲେ। ଘରେ ରାତ୍ର ଭୋଜନ କରିବା ପରେ ସେ ଶୋଇବାକୁ ଯାଇଥିଲେ। ହେଲେ ଗୁରୁବାର ସକାଳୁ ତାଙ୍କ ମୃତଦେହ ଘର ଭିତରୁ ମିଳିଥିବା ପୀଡ଼ିତାଙ୍କ ବାପା କହିଛନ୍ତି।
ପୀଡ଼ିତାଙ୍କ ବାପା କହିଛନ୍ତି, “ମୁଁ ସକାଳୁ ଚା’ ପିଇବା ପାଇଁ କବାଡ଼ ବାଡ଼େଇଥିଲେ ହେଁ କିଛି ବି ଜବାବ ମିଳି ନଥିଲା। ମୁଁ ଭାବିଥିଲି ଯେ ସେ ଅଧିକ ବିଶ୍ରାମ ଚାହୁଁଛି। କିଛି ଘଣ୍ଟା ପରେ ମୁଁ ବ୍ରେକଫାଷ୍ଟ ପାଇଁ ଡାକିଥିଲି। ହେଲେ ଜବାବ ନ ମିଳିବାରୁ ମୁଁ କବାଟ ଭାଙ୍ଗି ଭିତରକୁ ପଶିଥିଲି। ସେତେବେଳକୁ ସେ ନିସ୍ତେଜ ଅବସ୍ଥାରେ ପଡ଼ି ରହିଥିଲା। ସବୁଦିନ ସେ ଆମ ପାଖରେ ଶୁଏ। ହେଲେ ସେ ଦିନ ସେ ଏକାକୀ ଶୋଇଥିଲା।”
ଘଟଣା ବିରୋଧରେ ପରିବାର ଲୋକ ଲୋନି ପୁଲିସ୍ ଷ୍ଟେସନ ଆଗରେ ଗୁରୁବାର ମଧ୍ୟାହ୍ନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୋଷୀଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ କହିଥିଲେ। ପୁଲିସ୍ ମଧ୍ୟ ତୁରନ୍ତ ଆକ୍ସନ ମୋଡକୁ ଆସି ଗୁରୁବାର ରାତିରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ ୩୧ ବର୍ଷୀୟ ରୋହିତ କୁମାର ଓ ୫୩ ବର୍ଷୀୟ ବୀର ସିଂହ। ସେମାନଙ୍କ ଘର ନିଥୋରି ଗାଁରେ। ପୁଲିସ୍ ସେମାନଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ଗୁଳି ବିନିମୟ ହୋଇଥିଲା। ଏହାପରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/UP_1755852165.jpg)