Advertisment

ନୂଆ ଠକେଇ: ମହିଳାଙ୍କୁ ‘ଡିଜିଟାଲ ଗିରଫ’ କରି ନେଇଗଲେ ଲକ୍ଷାଧିକ ଟଙ୍କା

ସକାଳୁ ରାତି ଯାଏ ତାଙ୍କୁ ଗୋଟିଏ ସ୍ଥାନରେ ବସାଇ ଠକମାନେ ମୋଟ ୧୧.୧୧ ଲକ୍ଷ ଟଙ୍କା ଠକି ନେଇଥିବା ସାଇବର ପୁଲିସରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

author-image
Hemant Lenka
Cyber

Cyber

ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ମହିଳାଙ୍କୁ ସାଇବର ଠକମାନେ ଡିଜିଟାଲ ଉପାୟରେ ଗିରଫ କରି ତାଙ୍କ ଠାରୁ ନେଇ ଯାଇଛନ୍ତି ଲକ୍ଷାଧିକ ଟଙ୍କା। ନୋଏଡାରେ ରହୁଥିବା ଜଣେ ମହିଳାଙ୍କ ସହ ଏପରି ଘଟଣା ଘଟିଛି। ଏନେଇ ଶନିବାର ପୁଲିସ୍‌ ସୂଚନା ଦେଇଛି।

Advertisment

ପ୍ରଥମଥର ପାଇଁ ସାଇବର ଠକମାନେ ଏପରି ଡିଜିଟାଲ ଗିରଫ ଦ୍ୱାରା ଠକେଇ କରିଛନ୍ତି। ମହିଳା ଜଣଙ୍କ ନୋଏଡାରେ ଥିବା ସାଇବର କ୍ରାଇମ ପୁଲିସ ଷ୍ଟେସନରେ ଠକେଇ ନେଇ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଠକମାନେ ନିଜକୁ ପୁଲିସ୍‌ ଅଫିସରର ପରିଚୟ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସିବିଆଇ ଅଫିସର କହିଥିଲା। ୫୦ ବର୍ଷୀୟ ମହିଳାଙ୍କ ନାଁରେ ବିଭିନ୍ନ ପ୍ରକାରର ମାମଲା ରୁଜୁ ହୋଇଛି ଓ ସେ ଅନେକ ପ୍ରକାରର ଠକେଇରେ ସାମିଲ ଥିବା ଜଣାପଡ଼ିଥିବା କଥା କହି ଠକମାନେ ତାଙ୍କୁ ଚୁନ ଲଗାଇଛନ୍ତି।

Advertisment

ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କୁ ଇଣ୍ଟର ଆକ୍ଟିଭ ଭୟସ ରେସପନ୍ସ ବା ଆଇଭିଆର ଜରିଆରେ ନଭେମ୍ବର ୧୩ରେ ଫୋନ ଆସିଥିଲା। ମୁମ୍ବାଇରେ ତାଙ୍କ ଆଧାର କାର୍ଡ ନମ୍ବରକୁ ବ୍ୟବହାର କରି ଗୋଟିଏ ସିମ କିଣାଯାଇଛି। ଉକ୍ତ ସିମ କାର୍ଡ ଜରିଆରେ ବେଆଇନ ବିଜ୍ଞାପନ ଦିଆଯାଇଛି ଓ ମହିଳାଙ୍କୁ ହଇରାଣ କରାଯାଉଛି ବୋଲି କଲ କରିଥିବା ବ୍ୟକ୍ତି କହିଥିଲା।

ଏହାପରେ ତାଙ୍କ କଲକୁ ଆଉ ଜଣେ ବ୍ୟକ୍ତି ପାଖକୁ ଟ୍ରାନ୍ସଫର କରାଯାଇଥିଲା। ସେ ନିଜକୁ ମୁମ୍ବାଇ ପୁଲିସ୍‌ ଅଫିସରର ପରିଚୟ ଦେଇଥିଲା। ଫୋନ କଲରେ ପ୍ରାଥମିକ ଜେରା ପରେ ମହିଳାଙ୍କୁ ସ୍କାଏପେ ଭିସିରେ ଆସିବାକୁ କୁହାଯାଇଥିଲା। ନିଜକୁ ପୁଲିସ୍‌ ଅଫିସରର ପରିଚୟ ଦେଇଥିବା ବ୍ୟକ୍ତି ଜଣକ ମହିଳାଙ୍କୁ ଭୟଭୀତ କରିଥିଲା।

ମହିଳାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରହିଛି ଓ ଏନେଇ ଏଫଆଇଆର ହୋଇଛି ଓ ସୁପ୍ରିମକୋର୍ଟ ମଧ୍ୟ ମହିଳାଙ୍କ ନାଁରେ ଗିରଫ ପରୱାନ ଜାରି କରିଥିବା ଠକ ଜଣକ କହିଥିଲା। ଏପରି କି ନକଲି ଗିରଫ ପରୱାନା ସ୍କାଏପେ ମାଧ୍ୟମରେ ପଠାଇଥିଲା।

ଜେରା ପରେ ଠକ ଜଣକ ମହିଳାଙ୍କୁ କହିଥିଲା ଯେ ସେ ନିରୀହ। କିନ୍ତୁ ଅଧିକ ଜେରା ପାଇଁ ସେ ମହିଳାଙ୍କୁ ଆଉ ଜଣକ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲା। ତୃତୀୟ ଠକ ଜଣକ ନିଜକୁ ଆଇପିଏସ ଅଫିସର ଭାବେ ପରିଚୟ ଦେଇ ମୁମ୍ବାଇରେ ସିବିଆଇ ପାଇଁ କାମ କରୁଥିବା କହିଥିଲା। ମହିଳା ଜଣଙ୍କ ଦ୍ୱିତୀୟ ଠକର କଥା ମାନି ତୃତୀୟ ଠକ ସହ ମଧ୍ୟ ସ୍କାଏପେରେ କଥା ହୋଥିଲେ।

ମହିଳା ଜଣଙ୍କୁ ସେ କହିଥିଲା ଯେ ଏୟାରଲାଇନ ଠକେଇ ମାମଲାରେ ତାଙ୍କର ସଂପୃକ୍ତି ରହିଛି। ଏୟାରଲାଇନ ଠକେଇର ତଦନ୍ତ ବେଳେ ତଥାକଥିତ ସିବିଆଇ ଅଧିକାରୀ ଜଣକ ଗୋଟିଏ ଘରେ ରେଡ କରିଥିଲା। ଏହି ସମୟରେ ୨୪୬ଟି ଡେବିଟ କାର୍ଡ ମିଳିଥିଲା। ଏହା ମଧ୍ୟରୁ ଗୋଟିଏ ମହିଳାଙ୍କ ନାଁ ରହିଛି। ମହିଳାଙ୍କ ଆଧାର କାର୍ଡ ଜରିଆରେ ବ୍ୟାଙ୍କ ଆକଉଣ୍ଟ ଖୋଲା ଯାଇଛି। 

ମହିଳା ଜଣଙ୍କ କହିଛନ୍ତି, “ନକଲି ସିବିଆଇ ଅଧିକାରୀ ଜଣକ ମୋତେ କହିଥିଲା ଯେ ମୋ ଆକାଉଣ୍ଟ ଦ୍ୱାରା ୨ କୋଟି ଟଙ୍କାର ନେଣଦେଣ ହୋଇଛି। ଏହା ବଦଳରେ ମୋତେ ୨୦ ଲକ୍ଷ ଟଙ୍କା ମଧ୍ୟ ମିଳିଛି। କିନ୍ତୁ ସେ ମୋତେ କହିଥିଲେ ଯେ ମୋର ସଂପୃକ୍ତି ଥିବା ଭଳି ଲାଗୁନି। ତେଣୁ ତଦନ୍ତ ଶେଷ କରିବା ପାଇଁ ସେ ମୋତେ ମୋର ସମସ୍ତ ଆକାଉଣ୍ଟରେ ଥିବା ଟଙ୍କାକୁ ଆଇସିଆଇସିଆଇ ଆକାଉଣ୍ଟକୁ ପଠାଇବାକୁ କହିଥିଲା। ଏହାପରେ ସେଠାରୁ ପିଏଫସି ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କହିଥିଲା। ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବା ଠକ ଜଣକ ମୋତେ ସୂଚନା ଦେଇଥିଲା।

ଏହା ଜାତୀୟ ସୁରକ୍ଷା ଜଡ଼ିତ ଥିବାରୁ ମୋତେ ଏ ସମ୍ପର୍କରେ କାହାକୁ କିଛି ନ କହିବାକୁ କୁହାଯାଇଥିଲା। ତେଣୁ ମୁଁ ଚୁପ ରହିଥିଲି। ନିର୍ଦ୍ଦୋଷ ପ୍ରମାଣିତ ହେବା ପାଇଁ ସେ ମୋତେ ଆକାଉଣ୍ଟରେ ଆବଶ୍ୟକ ଟଙ୍କା ରଖିବାକୁ କହିଥିଲା। ଏଥିସହ ଆଇସିଆଇସିଆଇ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କାର ପର୍ସନାଲ ଲୋନ କରିବାକୁ କହିଥିଲା।

କିନ୍ତୁ ମୁଁ ମନା କରିଥିଲି। ତଥାପି ସେ ଲୋନ ଦ୍ୱାରା ୩ ଲକ୍ଷ ଟଙ୍କା ଆଣିବାକୁ ଚାପ ପକାଇଥିଲା। ଇଚ୍ଛା ନଥିଲେ ମଧ୍ୟ ମୁଁ ଲୋନ ଆଣି ପିଏଫସି ଆକାଉଣ୍ଟକୁ ପଠାଇଥିଲି। ସେମାନେ ତଦନ୍ତ ନାଁରେ ମୋ ଦସ୍ତଖତ ମଧ୍ୟ ନେଇଛନ୍ତି।”

ସକାଳୁ ରାତି ଯାଏ ତାଙ୍କୁ ଗୋଟିଏ ସ୍ଥାନରେ ବସାଇ ଠକମାନେ ମୋଟ ୧୧.୧୧ ଲକ୍ଷ ଟଙ୍କା ଠକି ନେଇଥିବା ସାଇବର ପୁଲିସରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ପୁଲିସ ଏହି ଘଟଣାରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଠକମାନଙ୍କର ଏଯାଏ କୌଣସି ସୁରାକ ପାଇବାକୁ ସକ୍ଷମ ହୋଇନାହିଁ।

Cyber Crime Cyber Fraud Cyber Loot Cyber Cheating