Advertisment

ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର, ହାତ ବାନ୍ଧି ବସିଛି ପୁଲିସ୍‌

ମେଡିକାଲ କର୍ମଚାରୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଥିଲେ ଜିଲ୍ଲା ମୁଖ୍ୟଚିକିତ୍ସାଧୀକାରୀ। ଆଉ ଘଟଣାର ତଦନ୍ତ ପାଇଁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ଭବାନୀ ଶଙ୍କର ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ।

author-image
Manoranjan Sial
Jajpur

Jajpur

କୋଲକାତା ଘଟଣାକୁ ନେଇ ଉଠୁଛି ପଡୁଛି ସାରା ଦେଶ। ଏଥିରୁ କିଛି ଶିଖି ପାରିଲା ନାହିଁ ପୁଲିସ୍‌! କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ବାରମ୍ୱାର ଦୁର୍ବ୍ୟବହାର ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ବଦଳରେ ହାତ ବାନ୍ଧି ବସିଛି ଯାଜପୁର ପୁଲିସ୍‌। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ବୋଧହୁଏ କୋଲକାତାଠାରୁ ଭୟଙ୍କର ଘଟଣା ଘଟିବାକୁ ଅପେକ୍ଷା କରିଛି! ଯେଉଁଥିପାଇଁ ମେଡିକାଲ୍‌ରେ କାର୍ଯ୍ୟରତ ପୀଡ଼ିତା ଆୟୁଷ ଡାକ୍ତର ଓ ଅନ୍ୟ ମହିଳା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ପଚ୍ଛିକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ଡାକ୍ତର ଶୁଭ୍ରାଂଶୁ ଶେଖର ରାଉତ। ତାଙ୍କ ବାପା ରାହାସ ବିହାରୀ ରାଉତ ହେଉଛନ୍ତି ଜଣେ ଅବସରପ୍ରାପ୍ତ ପୁଲିସ୍‌ କର୍ମଚାରୀ। ଅଭିଯୋଗ ଅନୁସାରେ ଡାକ୍ତର ରାଉତ ଓ ତାଙ୍କ ବାପା ଅନେକ ସମୟରେ ବିନା କାରଣରେ ମେଡିକାଲ୍‌ରେ କାର୍ଯ୍ୟରତ ମହିଳା ଆୟୁଷ ଡାକ୍ତର ଓ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କୁ ଗାଳି ଦେଉଛନ୍ତି। ଆଉ ଧମକ ଚମକ ମଧ୍ୟ ଦେଉଛନ୍ତି। ଡାକ୍ତର ରାଉତ ଓ ତାଙ୍କ ବାପାଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଆୟୁଷ ଡାକ୍ତର ଓ ଅନ୍ୟ ମହିଳା କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ପାଖରେ ଅଭିଯୋଗ କରିଥିଲେ।

ମେଡିକାଲ କର୍ମଚାରୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଥିଲେ ଜିଲ୍ଲା ମୁଖ୍ୟଚିକିତ୍ସାଧୀକାରୀ। ଆଉ ଘଟଣାର ତଦନ୍ତ ପାଇଁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ଭବାନୀ ଶଙ୍କର ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତର ଭବାନୀ ଶଙ୍କର ଦାସଙ୍କ ନେତୃତ୍ୱାରେ ଏକ ଟିମ୍‌ ବଚ୍ଛିକୋଟ ପ୍ରାଥମିକ ମେଡ଼ିକାଲ ଯାଇଥିଲେ। ଡ଼ାକ୍ତର ଶୁଭ୍ରାଂଶୁ ଶେଖର ରାଉତଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରୁଥିଲେ। ଠିକ୍‌ ସେହି ସମୟରେ ସେଠାରେ ପହଞ୍ଚିଥିଲେ ଡାକ୍ତର ରାଉତଙ୍କ ବାପା। ସେ ଅଭଦ୍ର ଭାଷାରେ ଗାଳି ଦେବା ସହିତ ସେଠାରୁ ତଡ଼ି ଦେଇଥିଲେ। ତଦନ୍ତ ପାଇଁ ଆସିଥିବା ଟିମ୍‌ ଏ ନେଇ କୋରେଇ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ଅବଗତ କରାଇଥିଲେ।

Advertisment

ଅଭିଯୋଗକୁ ଭିତ୍ତି କରି କୋରେଇ ଥାନା ପୁଲିସ୍‌ ଘଟଣାର ତଦନ୍ତ କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଛି। ସମ୍ପୃକ୍ତ ଡ଼ାକ୍ତର ଓ ତାଙ୍କ ବାପାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଯାହାକୁ ନେଇ ନିର୍ଯାତନାରେ ଶିକାର ହୋଇଥିବା ଚିକିତ୍ସା ଅଧିକାରୀ ଓ କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ପୀଡ଼ିତା ଆୟୁଷ୍ମାନ ଡାକ୍ତର ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସେପଟେ ଶୁଣିବାକୁ ମିଳୁଛି ଡାକ୍ତର ଶୁଭ୍ରାଂଶୁ ରାଉତଙ୍କ ବାପା ରାହାସ ବିହାରୀ ରାଉତ ଯିଏ ମେଡିକାଲ ଅଧିକାରୀ ଓ ମହିଳା ଡାକ୍ତରଙ୍କୁ ଧମକ ଦେଉଛନ୍ତି ସିଏ ପୂର୍ବରୁ କୋରେଇ ଥାନାରେ ସବ୍‌ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ଅବସର ନେଇଛନ୍ତି। ତେଣୁ କୋରେଇ ଥାନା ପୁଲିସ୍‌ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ସେପଟେ ଏଭଳି ଅଭିଯୋଗ ଆସିବା ପରେ ଡାକ୍ତର ରାଉତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି। ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ହେଲେ ତାଙ୍କ ବାପାଙ୍କ ଉତ୍ପାତ କମିନି। ସେ ମେଡ଼ିକାଲ୍‌ କର୍ମଚାରୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ମେଡ଼ିକାଲ୍‌ କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Jajpur