Advertisment

ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ସସପେନ୍ସ

ପ୍ରଶ୍ନ ଉଠୁଛି ଶୁଭଲଷ୍ମୀ ଏଠାକୁ ଏକୁଟିଆ ଆସିଥିଲେ ନା ସାଙ୍ଗରେ ଆଉ କିଏ ଥିଲେ? ଶୁଭଲକ୍ଷ୍ମୀଙ୍କ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେ ଏଠାକାର ବାରରେ କାମ କରୁନଥିଲେ ତ?

author-image
Hemant Lenka
ଅଦ୍ୟତନ ହୋଇଛି
BBSR

BBSR

ଭୁବନେଶ୍ୱର ଦୀପାଳି ବାର୍ ଓ ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ। କାହିଁକି ରାତି ଅଧରେ ଶୁଭଲକ୍ଷ୍ମୀ ସେଠାକୁ ଯାଇଥିଲେ, ତା’କୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

Advertisment

ହୋଟେଲ ରୁମ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଶନିବାର ମିଳିଥିଲା। କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। କମିଶନରେଟ୍ ପୁଲିସ୍ ମୃତ ଛାତ୍ରୀଙ୍କ ମୋବାଇଲ ଫୋନକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି।

ମୃତ ଶୁଭଲକ୍ଷ୍ମୀ ସାହୁଙ୍କ ଘର ଭଦ୍ରକ କୁଆବାଗ ସାହିରେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ସେ ରମାଦେବୀର ଯୁକ୍ତ ଦୁଇ ଛାତ୍ରୀ ଥିଲେ। ଗତକାଲି କଟକ ରୋଡରେ ଥିବା ହୋଟେଲ୍ ଦୀପାଳି ଇଣ୍ଟରନ୍ୟାସନାଲର ଏକ ରୁମରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏଠାରେ ଏକ ବାର୍ ମଧ୍ୟ ଚାଲିଛି।

Advertisment

ହୋଟେଲ୍ ମ୍ୟାନେଜରଙ୍କ କହିବା କଥା, ଶୁଭଲକ୍ଷ୍ମୀ ଶୁକ୍ରବାର ରାତି ପ୍ରାୟ ୩ଟା ୨୦ରେ ହୋଟେଲକୁ ଆସିଥିଲେ। ସେ ୨୦୫ ନମ୍ବର ରୁମ୍ ବୁକ୍ କରି ସେଠାରେ ବିଶ୍ରାମ ନେବାକୁ ଯାଇଥିଲେ। କିନ୍ତୁ ଶନିବାର ସକାଳେ କି ମଧ୍ୟାହ୍ନ ସମୟରେ କବାଟ ନ ଖୋଲିବାରୁ ସନ୍ଦେହ ବଢ଼ିଥିଲା। ଏହାପରେ ସେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଆସି ରୁମର କବାଟ ଭାଙ୍ଗିବା ପରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିବା ଶୁଭଲକ୍ଷ୍ମୀଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

ପ୍ରାଥମିକ ଅବସ୍ଥାରେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା କୁହାଯାଉଥିଲା। କିନ୍ତୁ ତାଙ୍କ ବାପା ରମେଶ ସାହୁ ହତ୍ୟା ଅଭିଯୋଗ କରିଛନ୍ତି। ତାଙ୍କ ଝିଅ କାହିଁକି ଏହି ହୋଟେଲକୁ ଆସିଥିଲା ସେ ଜାଣିନାହାନ୍ତି। କେହି ତାଙ୍କ ଝିଅକୁ ଏଠାକୁ ଡାକି ହତ୍ୟା କରିଥିବା ସେ ଆଶଙ୍କା କରିଛନ୍ତି। ପରିବାର ଲୋକଙ୍କ ସୂଚନା ଅନୁସାରେ, ଶୁଭଲଷ୍ମୀ ଗତ ୩ ତାରିଖରେ ଘରୁ ଭୁବନେଶ୍ୱର ଆସିଥିଲେ। ଏଠି ସେ କିଛି ସାଙ୍ଗଙ୍କ ସହ ମେସ୍ କରି ରହୁଥିଲେ। ଶୁଭଲକ୍ଷ୍ମୀଙ୍କ ମୋବାଇଲ ଫୋନକୁ ଯାଞ୍ଚ କରାଗଲେ ସତ ସାମ୍ନାକୁ ଆସିବ ବୋଲି ସେମାନେ ଦାବି କରିଛନ୍ତି।

ଲକ୍ଷ୍ମୀ ସାଗର ଥାନା ପୁଲିସ୍‌ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଘଟଣା ସଂପର୍କରେ ପୁଲିସ୍‌ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହିଁ।

ତେବେ ପ୍ରଶ୍ନ ଉଠୁଛି ଶୁଭଲଷ୍ମୀ ଏଠାକୁ ଏକୁଟିଆ ଆସିଥିଲେ ନା ସାଙ୍ଗରେ ଆଉ କିଏ ଥିଲେ? ଶୁଭଲକ୍ଷ୍ମୀଙ୍କ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେ ଏଠାକାର ବାରରେ କାମ କରୁନଥିଲେ ତ? ଯଦି କରୁଥିଲେ, ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା?

Ramadevi Junior College Bhubaneswar Ramadevi Women's University