Pooja
ଜଣେ ଚତୁର ମହିଳାଙ୍କ ସାଂଘାତିକ ଖେଳ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଝାନସୀରେ ଅନୈତିକ ସମ୍ପର୍କ, ସୁନା ଚୋରି ଓ ଗୋଟିଏ ହତ୍ୟା ଘଟଣା ସମସ୍ତଙ୍କୁ ଚିକିତ କରିଛି। ପୁଲିସ୍ ଘଟଣାର ତଦନ୍ତ କରି ୫୪ ବର୍ଷୀୟ ଶୁଶିଳା ଦେବୀଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି। ପୁଲିସ୍ ଏହି ଘଟଣାରେ ଶୁଶିଳା ଦେବୀଙ୍କ ବୋହୂ ପୂଜା ଓ ପୂଜାଙ୍କ ଭଉଣୀ କମଳାଙ୍କୁ ଗିରଫ କରିଛି। ଗିରଫ ପରେ ଦୁଇ ଭଉଣୀ ଜେଲ ହାଜତକୁ ଯାଇଛନ୍ତି। ସେହିପରି ପୁଲିସ୍ ମଙ୍ଗଳବାର ରାତିରେ କମଳାଙ୍କ ପ୍ରେମିକ ଅନୀଲ ବର୍ମାଙ୍କୁ ମଧ୍ୟ କିଛି ସମୟର ଏନକାଉଣ୍ଟର ପରେ ଗିରଫ କରାଯାଇଛି। ଶୁଶିଳା ଦେବୀଙ୍କ ହତ୍ୟା ପର ଠାରୁ ଅନୀଲ ଫେରାର ରହିଥିଲା।
ପୁଲିସ୍ର ତଥ୍ୟ ଅନୁସାରେ, ପୂଜା, କମଳା ଓ ଅନୀଲ ମିଳିତ ଭାବେ ଶୁଶିଳା ଦେବୀଙ୍କୁ ହତ୍ୟା କରି ତାଙ୍କ ଘରେ ଥିବା ପ୍ରାୟ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ କରିବାକୁ ଯୋଜନା କରିଥିଲେ। ଚୋରି ପରେ ଅନୀଲ ସୁନା ଅଳଙ୍କାରକୁ ଜଣେ ସମ୍ପର୍କୀୟକୁ ବିକ୍ରି କରିବା ପାଇଁ ଚେଷ୍ଟା କରିବା ବେଳେ ପୁଲିସ୍ ହାତରେ ଧରା ପଡ଼ିଛି। ପୁଲିସ୍କୁ ଦେଖି ଅନୀଲ ଗୁଳି ଚଳାଇଥିଲା। ପୁଲିସ୍ର ପାଲଟା ଜବାବରେ ଜଖମ ହୋଇ ଏବେ ସେ ଝାନସୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଛି।
ପୂରା ଘଟଣାକ୍ରମ
ହତ୍ୟାକାଣ୍ଡ ଜୁନ ୨୪ ତାରିଖରେ ଝାନସୀର କୁମହାରିୟା ଗାଁରେ ଘଟିଥିଲା। ଗୋଟିଏ ପରିବାରର ମୁଖିଆ ଶୁଶିଳା ଦେବୀଙ୍କ ମୃତଦେହ ତାଙ୍କ ଘର ଭିତରୁ ମିଳିଥିଲା। ଘଟଣାର ୪୮ ଘଣ୍ଟା ମଧ୍ୟରେ ପୁଲିସ୍ ଫରେନ୍ସିକ ପ୍ରମାଣ, ସାକ୍ଷୀ ଓ ପରିବାର ଲୋକଙ୍କୁ ଜେରା କରି ମୁଖ୍ୟ ଅଭିଯୁକ୍ତଙ୍କ ନାଁ ଘୋଷଣା କରିଥିଲା। ସେହି ଘରେ ରହୁଥିବା ଶୁଶିଳା ଦେବୀଙ୍କ ବୋହୂ ପୂଜାଙ୍କ ସମେତ ତାଙ୍କ ଭଉଣୀ କମଳାଙ୍କୁ ହେପାଜତକୁ ନେଇ ବିଧିବଦ୍ଧ ଭାବେ ଗିରଫ କରିଥିଲା।
ଏସ୍ପି ଜ୍ଞାନେନ୍ଦ୍ର କୁମାର ନିଶ୍ଚିତ କରିଛନ୍ତି ଯେ ଜେରା ବେଳେ ପୂଜା ପୂରା ହତ୍ୟାକାଣ୍ଡର ଯୋଜନା ନିଜ ଭଉଣୀ କମଳା ଓ ତାଙ୍କ ପ୍ରେମିକ ଅନୀଲ ସହ ମିଶି କରିଥିଲେ। ହତ୍ୟାକାଣ୍ଡ ପରେ ବର୍ମା ଗାଁ ଛାଡ଼ି ପଳାଇଥିଲା। କିନ୍ତୁ ଚୋରି ହୋଇଥିବା ସୁନା ଅଳଙ୍କାର ବିକ୍ରି କରିବା ବେଳେ ସେ ପୁଲିସ୍ ହାତରେ ଧରା ପଡ଼ିଛି। ଦୀର୍ଘ ବର୍ଷର ପାରିବାରିକ ବିବାଦ ଓ ସମ୍ପତ୍ତି ପାଇଁ ଶୁଶିଳା ଦେବୀଙ୍କୁ ହତ୍ୟା କରାଯାଇଥିବା ଏସ୍ପି କୁମାର କହିଛନ୍ତି।
ପୂଜା ପ୍ରଥମେ ଶୁଶିଳା ଦେବୀଙ୍କ ବଡ଼ ପୁଅଙ୍କୁ ବିବାହ କରିଥିଲେ। ହେଲେ ସ୍ୱାମୀଙ୍କ ମୃତ୍ୟୁ ପରେ ପୂଜା ନିଜ ବଡ଼ ଦିଅର କଲ୍ୟାଣ ସିଂହଙ୍କ ସହ ଲିଭ ଇନରେ ରହିବା ଆରମ୍ଭ କରିଥିଲେ। କିଛି ଦିନ ପରେ କଲ୍ୟାଣ ସିଂହଙ୍କ ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା। ଦୁଇ ପୁଅଙ୍କ ମୃତ୍ୟୁ ପରେ ପୂଜାଙ୍କୁ ତାଙ୍କ ଶ୍ୱଶୁର ଅଜୟ ସିଂହ କୁମହାରିୟା ସ୍ଥିତ ନିଜର ପୈତୃକ ଗାଁକୁ ନେଇ ଯାଇଥିଲେ। ପୂଜାଙ୍କ ସାନ ଦିଅର ସନ୍ତୋଷ ମଧ୍ୟ ଗାଁରେ ରହୁଥିଲେ।
ଗାଁରେ ରହିବା ସମୟରେ ପୂଜା ସାନ ଦିଅର ସନ୍ତୋଷଙ୍କ ସହ ଶାରିରୀକ ସମ୍ପର୍କ ରଖିବା ଆରମ୍ଭ କରିଥିଲେ। ସନ୍ତୋଷ ପୂର୍ବରୁ ବିବାହିତ ଥିଲେ ହେଁ ପୂଜାଙ୍କ ସହ ସମ୍ପର୍କ ରଖିବାକୁ ପଛାଇ ନଥିଲେ। ସନ୍ତୋଷଙ୍କ ସହ ଶାରିରୀକ ସମ୍ପର୍କ ରଖିବାରୁ ପୂଜା ମା’ ହୋଇଥିଲେ। ତାଙ୍କର ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଜନ୍ମ ନେଇଥିଲେ।
ଏକଥା ସାମ୍ନାକୁ ଆସିବା ପରେ ସନ୍ତୋଷଙ୍କ ଆଇନଗତ ପତ୍ନୀ ରାଗିଣୀ ୯ ମାସ ତଳେ ନିଜ ବାପାଙ୍କ ଘରକୁ ଚାଲି ଯାଇଥିଲେ। ସନ୍ତୋଷ ଓ ପୂଜା ସ୍ୱାମୀ-ସ୍ତ୍ରୀ ଭାବେ ଚଳିବା ଆରମ୍ଭ କରିଥିଲେ।
ସମୟକ୍ରମେ ପୂଜା ପରିବାରର ଦୈନନ୍ଦିନ ନିଷ୍ପତ୍ତିରେ ହସ୍ତକ୍ଷେପ କରିବା ସହ ପରିବାର ନାଁରେ ଥିବା ଚାଷ ଜମିକୁ ବିକ୍ରି କରିବାକୁ ଚାହିଁଥିଲେ। ପରିବାର ପାଖରେ ମୋଟ ୬.୫ ଏକର ଜମି ରହିଥିଲା। ପୂଜା ଏଥିରୁ ଭାଗ ନେବାକୁ ଜିଦ କରିବା ସହ ୩ ଏକର ଜମିକୁ ବିକ୍ରି କରି ଗ୍ୱାଲିୟର ଯିବାକୁ ଚାହୁଁଥିଲେ। ଏଥିରେ ସନ୍ତୋଷ ଓ ଅଜୟ ରାଜି ହୋଇ ଯାଇଥିଲେ ହେଁ ଶୁଶିଳା ଦେବୀ ବିରୋଧ କରିଥିଲେ। ବାସ୍ ଶୁଶିଳା ଦେବୀଙ୍କୁ ନିଜ ରାସ୍ତାରୁ ହଟାଇ ସେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ।
ଚୋରି ଅଳଙ୍କାର ଓ ଏନକାଉଣ୍ଟର
ଶୁଶିଳା ଦେବୀଙ୍କ ହତ୍ୟା ପରେ ଘରୁ ଚୋରି କରାଯାଇଥିଲା। ଘରେ ଥିବା ୮ ଲକ୍ଷ ଟଙ୍କାର ଅଳଙ୍କାର, ବାଇକ ଓ ଗୋଟି ଦେଶୀ ବନ୍ଧୁକ ଚୋରି ହୋଇଯାଇଥିଲା। ମଙ୍ଗଳବାର ପୁଲିସ୍ ଏନକାଉଣ୍ଟ କରି ଅନୀଲକୁ ଗିରଫ କରିବା ବେଳେ ଶୁଶିଳାଙ୍କ ଘରୁ ଚୋରି ହୋଇଥିବା ଅଳଙ୍କାର ଠାବ କରିଛି।
ପୁଲିସ୍ କହିଛି ଯେ ଗୋଟିଏ ସର୍ଭେଲାନ୍ସ ୟୁନିଟ ପ୍ରଥମେ ଅନୀଲ ବର୍ମାର ଉପସ୍ଥିତି ସମ୍ପର୍କରେ ସୂଚନା ପାଇଥିଲା। ଅନୀଲ ଚୋରି ଅଳଙ୍କାର ନିଜର ଜଣେ ସମ୍ପର୍କୀୟଙ୍କୁ ବିକ୍ରି କରିବାକୁ ଯାଉଥିବା ଜଣାପଡ଼ିବା ପରେ ପୁଲିସ୍ ତା’କୁ ଧରିବାକୁ ବାହାରି ଯାଇଥିଲା। କିନ୍ତୁ ପୁଲିସ୍କୁ ଦେଖିବା କ୍ଷଣି ଅନୀଲ ଗୁଳି ଚଳାଇଥିଲା। ଏହାର ଜବାବ ପୁଲିସ ଦେବାରୁ ଅନୀଲ ଆହତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pooja_1751455152.jpg)