Advertisment

କରୱା ଚୌଥ ବ୍ରତ ରଖିଲେ, ପରେ ସ୍ୱାମୀଙ୍କୁ ବିଷ ଦେଇ ମାରି ଦେଲେ

ରବିବାର ସବିତା ସ୍ୱାମୀ ଶୈଳେଶଙ୍କ ପାଇଁ କରୱା ଚୌଥ ବ୍ରତ ରଖିଥିଲେ। ଦିନ ସାରା ସେ କିଛି ନ ଖାଇ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
karwa chauth

karwa chauth

ଅଜବ କାଣ୍ଡ ଘଟାଇଛନ୍ତି ଜଣେ ମହିଳା। ପ୍ରଥମେ ସେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି କରୱା ଚୌଥ ରଖିଥିଲେ। ଅର୍ଥାତ ଉପବାସ କରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କଲେ। ହେଲେ ବ୍ରତ ଶେଷ କରିବା ପରେ ମହିଳା ଜଣଙ୍କ ନିଜେ ହିଁ ତାଙ୍କ ସ୍ୱାମୀଙ୍କୁ ବିଷ ଦେଇ ମାରି ଦେଇଛନ୍ତି। ଏପରି ଏକ ଘଟଣା ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି।

Advertisment

କୌଶମ୍ଭୀ ଜିଲ୍ଲାର କାଡା ଧାମ ପୁଲିସ୍‌ ଷ୍ଟେସନର ଅଧିକାରୀ କହିଛନ୍ତି ଯେ ୩୨ ବର୍ଷୀୟ ଶୈଳେଶ କୁମାରଙ୍କୁ ତାଙ୍କ ପତ୍ନୀ ସବିତା ବିଷ ଦେଇ ମାରି ଦେଇଛନ୍ତି। ଶୈଳେଶ କୁମାରଙ୍କ ଆଉ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହ କରି ସବିତା ଏପରି କାଣ୍ଡ ଘଟାଇଛନ୍ତି।

ରବିବାର ସବିତା ସ୍ୱାମୀ ଶୈଳେଶଙ୍କ ପାଇଁ କରୱା ଚୌଥ ବ୍ରତ ରଖିଥିଲେ। ଦିନ ସାରା ସେ କିଛି ନ ଖାଇ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ହେଲେ ସନ୍ଧ୍ୟାରେ ସେ ବ୍ରତ ଶେଷ କରିବା ପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହ କରି ରବିବାର ସକାଳୁ ହିଁ ଦୁଇ ଜଣଙ୍କ ମଧ୍ୟରେ ତୁତୁମେଁମେଁ ଲାଗି ରହିଥିଲା।

Advertisment

ସବିତା ଉପବାସ ଶେଷ କରିବା ପରେ ପୁଣି ଶୈଳେଶ କୁମାରଙ୍କ ସହ ଝଗଡ଼ା କରିଥିଲେ। ହେଲେ କିଛି ସମୟ ପରେ ସ୍ଥିତି ସ୍ୱାଭାବିକ ହୋଇଯିବା ଭଳି ଲାଗିଥିଲା। ପାଟିତୁଣ୍ଡ ପରେ ଉଭୟ ଖାଦ୍ୟ ଖାଇଥିଲେ। କିନ୍ତୁ ସବିତାଙ୍କ ମନରୁ ରାଗ ଯାଇ ନଥିଲା। 

ସବିତା ସ୍ୱାମୀ ଶୈଳେଶଙ୍କ ଦେଇଥିବା ଖାଦ୍ୟରେ ବିଷ ମିଶାଇ ଦେଇଥିଲେ। ଶୈଳେଶ ଏହାକୁ ଖାଉଥିବା ବେଳେ ସବିତା ପଡ଼ୋଶୀଙ୍କ ଘରକୁ ଯିବା ନାଁରେ ସେଠାରୁ ଚମ୍ପଟ ମାରିଥିଲେ।

ଏପଟେ ବିଷ ମିଶା ଖାଦ୍ୟ ଖାଇ ଶୈଳେଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କ ଭାଇ ଅଖିଳେଶ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଆଖି ବୁଜିବା ପୂର୍ବରୁ ସବିତା ହିଁ ତାଙ୍କ ଖାଦ୍ୟରେ ବିଷୟ ମିଶାଇଥିବା କଥା ସେ କହିଥିଲେ। ଏହାର ଗୋଟିଏ ଭିଡିଓ ରେକର୍ଡିଂ ରହିଥିବା ଭାଇ ଅଖିଲେଶ କହିଛନ୍ତି।

ଅଖିଲେଶଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସବିତାଙ୍କୁ ଗିରଫ କରିଛି। କୌଶମ୍ଭୀ ଏସ୍‌ପି ବ୍ରିଜେଶ କୁମାର ଶ୍ରୀବାସ୍ତବ କହିଛନ୍ତି, ଘଟଣାଟି ଇସ୍ମାଇଲପୁର ଗାଁରେ ଘଟିଛି। ପାରିବାରିକ କଳହ ପରେ ପତ୍ନୀ ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ବିଷ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗୋଟିଏ ହତ୍ୟା ମାମଲା ରୁଜୁ କରିବା ସହ ମହିଳାଙ୍କୁ ଗିରଫ କରାଯାଇଛି।”

Uttar Pradesh Police