arrest
ଆଧୁନିକ ଯୁଗରେ ବଢ଼ୁଥିବା ଡିଜିଟାଲ ଆରେଷ୍ଟ ନାଁରେ ପୁଣି ଗୋଟିଏ ଠକେଇ ହୋଇଛି। ମୁମ୍ବାଇର ଜଣେ ୨୬ ବର୍ଷୀୟ ମହିଳାଙ୍କୁ ସାଇବର ଠକମାନେ ଭିଡିଓ କଲ ଜରିଆରେ ଉଲଗ୍ନ କରିଛନ୍ତି ଓ ତାଙ୍କ ଠାରୁ ୧.୭ ଲକ୍ଷ ଟଙ୍କା ଠକେଇ କରିନେଇଛନ୍ତି। ମନି ଲଣ୍ଡରିଂ ମାମଲାର ତଦନ୍ତ କରିବା ବେଳେ ମହିଳାଙ୍କ ନାଁ ଆସିଥିବାର ଆଳ ଦେଖାଇ ଠକମାନେ ତାଙ୍କୁ ଲୁଟ କରିଥିବା ଅଭିଯୋଗ ହୋଇଛି।
ମୁମ୍ବାଇର ବୋରିଭାଲି ଇଷ୍ଟରେ ରହୁଥିବା ମହିଳା ଜଣଙ୍କ ଗୋଟିଏ ଫାର୍ମାସିଟ୍ୟୁକାଲ କମ୍ପାନୀରେ କାମ କରନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସାଇବର ଠକମାନେ ତାଙ୍କୁ ନଭେମ୍ବର ୧୯ରେ ଫୋନ କରିଥିଲେ। ସେମାନେ ନିଜକୁ ଦିଲ୍ଲୀ ପୁଲିସର ଅଧିକାରୀ ଭାବେ ପରିଚୟ ଦେଇଥିଲେ।
ବର୍ତ୍ତମାନ ଜେଲରେ ଥିବା ଜେଟ ଏୟାରୱେଜର ମାଲିକ ନରେଶ ଗୋଏଲଙ୍କ ନାଁରେ ଚାଲିଥିବା ମନି ଲଣ୍ଡରିଂ ମାମଲାର ତଦନ୍ତ ବେଳେ ତାଙ୍କ ନାଁ ଆସିଥିବା ଠକମାନେ ମହିଳାଙ୍କୁ କହିଥିଲେ।
ସେମାନେ ମହିଳାଙ୍କୁ ଗିରଫଦାରୀର ଧମକ ଦେଇଥିଲେ। କଥାବାର୍ତ୍ତା ଭିଡିଓ କଲର ରୂପ ନେଇଥିଲା। ଏହାପରେ ମହିଳା ଜଣଙ୍କ ଡିଜିଟାଲ ଆରେଷ୍ଟ ହୋଇଥିବା ଠକମାନେ କହିଥିଲେ। ଡିଜିଟାଲ ଆରେଷ୍ଟ ପରେ ସେମାନେ ମହିଳାଙ୍କୁ ଗୋଟିଏ ହୋଟେଲ ବୁକ କରିବାକୁ କହିଥିଲେ। ସେ ହୋଟେଲକୁ ଯିବା ପରେ ଠକମାନେ ତାଙ୍କୁ ବ୍ୟାଙ୍କ ତଥ୍ୟର ଯାଞ୍ଚ ପାଇଁ ୧,୭୮,୦୦୦ ଟଙ୍କା ପଠାଇବାକୁ କହିଥିଲା।
ଏଥିସହ ଶରୀର ଯାଞ୍ଚ ପାଇଁ ତାଙ୍କୁ ଉଲଗ୍ନ ହେବାକୁ ମଧ୍ୟ ବାଧ୍ୟ କରାଇଥିଲେ। ମହିଳା ଜଣଙ୍କ ଏତେ ଡରି ଯାଇଥିଲେ ଯେ ସେ ଟଙ୍କା ପଠାଇବା ସହ ଉଲଗ୍ନ ମଧ୍ୟ ହୋଇଥିଲେ।
ତେବେ ସବୁ କିଛି ଶେଷ ହେବା ପରେ ମହିଳା ଜଣଙ୍କ ଠକାମୀରେ ପଡ଼ିଥିବା ହୃଦୟଙ୍ଗମ କରି ପୁଲିସ୍ରେ ଅଭିଯୋଗ କରିଥିଲେ। ନଭେମ୍ବର ୨୮ରେ ମହିଳା ଜଣଙ୍କ ପୁଲିସ୍ରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି। ତେବେ ଏଯାଏ ଠକମାନଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନାହିଁ।
ଏହାପୂର୍ବରୁ ନରେଶ ଗୋଏଲଙ୍କ ମାମଲା ନାଁରେ ସାଇବର ଠକମାନେ ବର୍ଦ୍ଧମାନ ଗ୍ରୁପର ଅଧ୍ୟକ୍ଷ ପଲ ୱସୱାଲଙ୍କ ଠାରୁ ୭ କୋଟି ଟଙ୍କା ଠକି ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/arrest__1733064475.jpg)