/odisha-reporter/media/post_attachments/uploadimage/library/16_9/16_9_0/UP_1754123399.jpg)
UP
ସାମ୍ନାକୁ ଆସିଛି ଗୋଟିଏ ଜୀବନ ରକ୍ଷାକାରୀ ଟ୍ୱିଷ୍ଟ। ପତ୍ନୀ ଓ ତାଙ୍କ ଭାଇମାନଙ୍କ ହତ୍ୟା ଷଡ଼ଯନ୍ତ୍ରରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ଜଣେ ବ୍ୟକ୍ତି। ଜଙ୍ଗଲ ଭିତରୁ ବ୍ୟକ୍ତି ଜଣଙ୍କ ଉଦ୍ଧାର ହୋଇଛନ୍ତି। ହଠାତ୍ ବିଳମ୍ବିତ ରାତିରେ ଜଣେ ଅଜଣା ଲୋକ ଜଙ୍ଗଲ ଭିତରକୁ ଆସି ବ୍ୟକ୍ତିଙ୍କୁ ବଞ୍ଚାଇ ଦେଇଛନ୍ତି।
ଉତ୍ତର ପ୍ରଦେଶର ବରେଲୀରୁ ଏପରି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତରଙ୍କ ପାଖରେ ସହାୟକ ଭାବେ କାମ କରୁଥିବା ରାଜୀବ ନାମକ ବ୍ୟକ୍ତିଙ୍କ ହାତ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସେ ଜଙ୍ଗଲେ ପଡ଼ି ରହିଥିଲେ। ତାଙ୍କୁ ଜଣେ ଅଜଣା ବ୍ୟକ୍ତି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେ ଅଜଣା ବ୍ୟକ୍ତି ଜଣଙ୍କ କିଏ ଓ ହଠାତ୍ ରାତିରେ ସେ ଜଙ୍ଗଲ ମଧ୍ୟକୁ କେମିତି ଆସିଲେ? ରାଜୀବନ ଚିତ୍କାର କରିବାକୁ ସକ୍ଷମ ହେଉ ନଥିଲେ ମଧ୍ୟ ଘଞ୍ଚ ଜଙ୍ଗଲ ମଧ୍ୟରେ ସେ କେମିତି ରାଜୀବଙ୍କୁ ଠାବ କଲେ, ତା’ ଉପରୁ ପରଦା ହଟିନି।
ପୂରା ଘଟଣା ଇଜାତନଗର ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ରାଜୀବଙ୍କ ପତ୍ନୀ ସାଧନା ଘଟଣା ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ। ସେ ନିଜ ସ୍ୱାମୀଙ୍କୁ ମାରିବା ପାଇଁ ଯୋଜନା କରିଥିଲେ ଓ ନିଜର ୫ ଭାଇଙ୍କୁ ବୁଝାସୁଝା କରି ପୂରା ଅପରାଧରେ ସାମିଲ କରିଥିଲେ। ସେମାନେ ହତ୍ୟା ପାଇଁ ଗୁଣ୍ଡାମାନଙ୍କୁ ବୁଝିଥିଲେ।
ଜୁଲାଇ ୨୧ ତାରିଖ ରାତିରେ ରାଜୀବ ଘରେ ଥିବା ବେଳେ ୧୧ ଜଣ ଲୋକ ଅତିର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ହାତ ଓ ଉଭୟ ଗୋଡ଼ ଭାଙ୍ଗି ଦେଇଥିଲେ। ତାଙ୍କୁ ଜୀବନ୍ତ ମାଟି ତଳେ ପୋତି ହତ୍ୟା କରିବାକୁ ସେମାନେ ଯୋଜନା କରିଥିଲେ। ଏଥିପାଇଁ ତାଙ୍କୁ ସିବି ଗଞ୍ଜ ଅଞ୍ଚଳରେ ଥିବା ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ରାଜୀବଙ୍କୁ ପୋତି ଦେବାକୁ ଗୋଟିଏ ଗାତ ଖୋଲିଥିଲେ। ରାଜୀବଙ୍କ ମୃତ୍ୟୁ ଏକ ପ୍ରକାରର ନିଶ୍ଚିତ ଥିଲା।
କିନ୍ତୁ ଉପରବାଲାର କିଛି ଅଲଗା ଯୋଜନା ଥିଲା। ଆକ୍ରମଣକାରୀମାନେ ରାଜୀବଙ୍କୁ ପୋତିବା ପୂର୍ବରୁ ହଠାତ୍ ଜଙ୍ଗଲ ମଧ୍ୟରେ ଜଣେ ଅଜଣା ବ୍ୟକ୍ତି ପହଞ୍ଚି ଯାଇଥିଲେ। ଧରାପଡ଼ିଯିବା ଭୟରେ ଆକ୍ରମଣକାରୀମାନେ ରାଜୀବଙ୍କୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ। ହାତ ଗୋଡ଼ ଭାଙ୍ଗିବା ଯନ୍ତ୍ରଣାରେ ଛଟପଟ ହେଉଥିବା ରାଜୀବ ସାହାଯ୍ୟ ପାଇଁ ମଧ୍ୟ ଚିତ୍କାର କରିପାରୁ ନଥିଲେ।
କିନ୍ତୁ ଅଜଣା ବ୍ୟକ୍ତି ଜଣଙ୍କ ଘଞ୍ଚ ଜଙ୍ଗଲ ମଧ୍ୟରେ ରାଜୀବଙ୍କୁ ଦେଖିବାକୁ ସକ୍ଷମ ହୋଇଥିଲେ। ଅଜଣା ବ୍ୟକ୍ତି ଜଣଙ୍କ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଓ ରାଜୀବଙ୍କୁ ହସ୍ପିଟାଲ ପଠାଇଥିଲେ। ବର୍ତ୍ତମାନ ଗୋଟିଏ ଘରୋଇ ହସ୍ପିଟାଲରେ ରାଜୀବଙ୍କ ଚିକିତ୍ସା ଚାଲିଛି।
ରାଜୀବଙ୍କ ବାପା ନେତ୍ରମଙ୍କ ଅଭିଯୋଗ ଆଧାରରେ ପୁଲିସ୍ ସାଧନା ଓ ତାଙ୍କ ଭାଇ ମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ନେତ୍ରମ ଆକ୍ରମଣକାରୀଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି।
ବରେଲୀର ନବୋଦୟ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସହାୟକ ଭାବେ ରାଜୀବ କାମ କରନ୍ତି। ସେ ୨୦୦୯ରେ ସାଧନାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ଜଣ ପିଲା ରହିଛନ୍ତି। ଜଣେ ହେଲେ ୧୪ ବର୍ଷୀୟ ୟାଶ ଓ ଆଉ ଜଣେ ୮ ବର୍ଷୀୟ ଲଭ। ଉଭୟ ଘରୋଇ ସ୍କୁଲରେ ପଢ଼ନ୍ତି।
ଗାଁରେ ତାଙ୍କର ଗୋଟିଏ ଘର ରହିଛି। କିନ୍ତୁ ପତ୍ନୀଙ୍କ ସହ ରାଜୀବ ସହରରେ ରୁହନ୍ତି। ଗାଁରେ ପତ୍ନୀ ରହିବାକୁ ମନା କରିବାରୁ ରାଜୀବ ସହରରେ ଘର ଭଡ଼ା ନେଇ ରହୁଥିଲେ ବୋଲି ତାଙ୍କ ବାପା ନେତ୍ରମ କହିଛନ୍ତି। ହେଲେ ସାଧନା ଓ ତାଙ୍କ ଭାଇମାନେ କାହିଁକି ରାଜୀବଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ, ସେକଥା ଜଣାପଡ଼ିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
