Harish
ବିଳମ୍ବିତ ରାତିରେ ଗୁଜରାଟର ଜଣେ ଯୁବକଙ୍କ ପାଖକୁ ଇନଷ୍ଟାଗ୍ରାମରେ ଆସିଥିଲା ‘ମୋତେ ରକ୍ଷା କର’ ମେସେଜ। ଏହାକୁ ତାଙ୍କୁ ପ୍ରେମିକା ପଠାଇଥିଲେ। ମେସେଜ ପାଇ ପ୍ରେମିକ କିଛି କରିବା ପୂର୍ବରୁ ମିଳିଥିଲା ପ୍ରେମିକାଙ୍କ ମୃତଦେହ। ପ୍ରେମିକାଙ୍କ ଘର ଭିତରୁ ମୃତଦେହ ମିଳିବା ପରେ ପ୍ରଥମେ ସମସ୍ତେ ଏହାକୁ ସ୍ୱାଭାବିକ ମୃତ୍ୟୁ/ଆତ୍ମହତ୍ୟା ଜନିତକ ମୃତ୍ୟୁ ବୋଲି କହିଥିଲେ। କିନ୍ତୁ ପ୍ରେମିକାଙ୍କ ଶେଷ ମେସେଜ ପୁଲିସ୍ର ସନ୍ଦେହ ବଢ଼ାଇଥିଲା।
ଶେଷରେ ତଦନ୍ତରୁ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଯୁବତୀଙ୍କୁ ତାଙ୍କ ଘର ଲୋକ ହତ୍ୟା କରିଥିବା ପୁଲିସ୍ ପ୍ରମାଣ ପାଇଛି। ସେ ପ୍ରେମ କରୁଥିବାରୁ ତାଙ୍କ ସହ ପରିବାର ଲୋକ ଏପରି କାଣ୍ଡ ଘଟାଇଥିବା କୁହାଯାଉଛି। ଗୁଜରାଟର ବାନସକଣ୍ଠ ଜିଲ୍ଲାରୁ ଏପରି ଅନର କିଲିଂ ଘଟଣା ସାମ୍ନାକୁ ଆସିଛି।
୧୮ ବର୍ଷୀୟ ଚନ୍ଦ୍ରିକା ଚୌଧୁରୀଙ୍କୁ ତାଙ୍କ ବାପା ସେଧାଭାଇ ପଟେଲ ଓ ଦାଦା ଶିବଭାଇ ପଟେଲ ମିଳିତ ଭାବେ ଦାନ୍ତିଆ ସ୍ଥିତ ଘରେ ଭିତରେ ହତ୍ୟା କରିଥିଲେ। ଏଥିରେ ପରିବାରର କିଛି ଲୋକଙ୍କ ହାତ ମଧ୍ୟ ରହିଥିଲା। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରିକାଙ୍କ ବାପା ଫେରାର ରହିଛନ୍ତି।
ହରିଶ ଚୌଧୁରୀ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ ୧୮ ବର୍ଷୀୟ ଚନ୍ଦ୍ରିକା। ଉଭୟ ପରସ୍ପରକୁ ଭଲ ପାଉଥିଲେ ହେଁ ଏହାକୁ ଚନ୍ଦ୍ରିକାଙ୍କ ଘର ଲୋକ ଗ୍ରହଣ କରୁ ନଥିଲେ। ବୟସ ୧୮ ହୋଇଥିଲେ ହେଁ ସେମାନେ ଚନ୍ଦ୍ରିକାଙ୍କ ବାହାଘର ଅନ୍ୟତ୍ର ବୁଝିବା ଆରମ୍ଭ କରିଥିଲେ। ହେଲେ ଚନ୍ଦ୍ରିକା ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ଓ ଏକଥା ହରିଶଙ୍କୁ ମଧ୍ୟ ଜଣାଇଥିଲେ।
ହେଲେ ପରିବାର ଲୋକ କିଛି ବି ଶୁଣି ନଥିଲେ। ଘର ଲୋକ କିଛି ଗୋଟିଏ ବଡ଼ ଘଟଣା ଘଟାଇବାକୁ ଯୋଜନା କରୁଥିବା ଚନ୍ଦ୍ରିକା ଆଶଙ୍କା କରିଥିଲେ। ସେହି ଆଶଙ୍କାରେ ସେ ଜୁନ ୨୪ ରାତିରେ ହରିଶଙ୍କୁ ମେସେଜ କରି ପରିବାର ଲୋକଙ୍କ ଠାରୁ ତାଙ୍କୁ ଦୂରକୁ ନେଇ ଯିବାକୁ କହିଥିଲେ।
ସେ ନିଜ ଶେଷ ମେସେଜରେ ଲେଖିଥିଲେ ଯେ “ଆସନ ଓ ମୋତେ ନେଇ ଯାଅ। ନଚେତ ପରିବାର ଲୋକ ମୋ ବାହା ଘର ମୋ ଇଚ୍ଛା ବିରୋଧରେ ଅନ୍ୟତ୍ର କରିଦେବେ। ଯଦି ମୁଁ ସେମାନଙ୍କ କଥାରେ ରାଜି ନ ହେବି, ତା’ହେଲେ ସେମାନେ ମୋତେ ମାରିଦେବ। ମୋତେ ରକ୍ଷା କର।”
ମେସେଜ ପଠାଇବାର କିଛି ଘଣ୍ଟା ପରେ ଚନ୍ଦ୍ରିକାଙ୍କ ମୃତଦେହ ତାଙ୍କ ଘରୁ ମିଳିଥିଲା। ପ୍ରାଥମିକ ଭାବେ ଚନ୍ଦ୍ରିକା ଆତ୍ମହତ୍ୟା କରିଥିବା କୁହାଯାଉଥିଲା। କିନ୍ତୁ ପୁଲିସ୍ରେ ଗୋଟିଏ ଅଭିଯୋଗ ତଦନ୍ତର ବାଟ ଫିଟାଇଥିଲା। ହରିଶ ନିଜେ ପୁଲିସ୍ ଷ୍ଟେସନରେ ପହଞ୍ଚି ପ୍ରେମିକା ଚନ୍ଦ୍ରିକାଙ୍କ ଶେଷ ମେସେଜ ଦେଖାଇଥିଲେ। ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଥିଲେ।
ଏଏସ୍ପି ସୁମନ ନାଲା ତଦନ୍ତ ସମ୍ପର୍କରେ ସୂଚନା ଦେଇ ଚନ୍ଦ୍ରିକାଙ୍କୁ ବେଶ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା କହିଛନ୍ତି। ତାଙ୍କ କହିବା କଥା ଯେ ହତ୍ୟାର କିଛି ଦିନ ପୂର୍ବରୁ ହରିଶଙ୍କ ସହ ଚନ୍ଦ୍ରିକା ଘରୁ ଚାଲି ଯାଇଥିଲେ। କିନ୍ତୁ ସେମାନଙ୍କୁ ପୁଲିସ୍ ଠାବ କରିଥିଲା। ଏହାପରେ ଚନ୍ଦ୍ରିକାଙ୍କୁ ପରିବାର ଲୋକ ନିଜ ସହ ନେଇ ଯାଇଥିଲେ।
ଚନ୍ଦ୍ରିକାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ହରିଶ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ କୋର୍ଟରେ ସୁରକ୍ଷା ପାଇଁ ଆବେଦନ କରିଥିଲେ। ହେଲେ ଏହାର ଶୁଣାଣି ତାରିଖ ଆସିବା ପୂର୍ବରୁ ଚନ୍ଦ୍ରିକାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ତାଙ୍କ ପରିବାର ଲୋକ ମୃତ୍ୟୁ ପ୍ରମାଣ ପତ୍ର ଦାଖଲ କରି ଚନ୍ଦ୍ରିକା ଆତ୍ମହତ୍ୟା କରିଥିବା ସମସ୍ତଙ୍କୁ ଜଣାଇଥିଲା।
କିନ୍ତୁ ହରିଶ ଏହାକୁ ବିଶ୍ୱାସ କରି ନଥିଲେ। ସେ ପୁଲିସ୍ ପାଖକୁ ଯାଇ ଚନ୍ଦ୍ରିକାଙ୍କ ମୃତ୍ୟୁର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ତଦନ୍ତ ବେଳେ ପୁଲିସ ଏମିତି କିଛି ତଥ୍ୟ ପାଇଥିଲା, ଯାହା ହତ୍ୟା ସନ୍ଦେହକୁ ବଢ଼ାଇଥିଲା।
ଏସ୍ପି ନାଲା କହିଛନ୍ତି, “ସ୍ୱାଭାବିକ ମୃତ୍ୟୁ ବେଳେ ପରିବାର ଲୋକ ଡାକ୍ତରଙ୍କ ପରାମର୍ଶ କରିବା ଗୋଟିଏ ସାଧାରଣ କଥା। କିନ୍ତୁ ଝିଅର ପରିବାର ଲୋକ ସେମିତି କରି ନଥିଲେ। ତରବରିଆ ଭାବେ ଝିଅର ଅନ୍ତିମ ସଂସ୍କାର କରାଯାଇଥିଲା। ମୃତ୍ୟୁ ପରେ କୌଣସି ସମ୍ପର୍କୀୟଙ୍କୁ ଡକା ଯାଇ ନଥିଲା। ପାଲାନପୁରରେ ରହୁଥିବା ତାଙ୍କ ଭାଇଙ୍କୁ ମଧ୍ୟ ଖବର ଦିଆଯାଇ ନଥିଲା। ଏଥିରୁ ପରିବାର ଲୋକ କିଛି ଲୁଚାଇବାକୁ ଚେଷ୍ଟା କରୁଥିବା ସନ୍ଦେହ ବଢ଼ିଥିଲା।”
ଅଧିକ ତଦନ୍ତରୁ ଜଣାପଡ଼ିଥିଲା ଯେ ଚନ୍ଦ୍ରିକା ଯଦି ପରିବାର ଲୋକଙ୍କ କଥାରେ ରାଜି ନ ହେବେ, ତା’ହେଲେ ତାଙ୍କୁ ଜୁନ ୨୪ରେ ହତ୍ୟା କରିବାକୁ ବାପା ଓ ଦାଦା ଯୋଜନା କରିଥିଲେ। ସବୁ ପ୍ରକାରର ସନ୍ଦେହକୁ ଦୂରେଇ ରଖିବା ପାଇଁ ସେମାନେ ତ୍ରିସ୍ତରୀୟ ଯୋଜନା କରିଥିଲେ।
ପ୍ରଥମେ ସେମାନେ ତାଙ୍କୁ କିଛି ନିଶା ଜିନିଷ ସୁଙ୍ଘାଇ ଶୁଆଇ ଦେଇଥିଲେ। ଏହାପରେ ତଣ୍ଟି ଚିପି ହତ୍ୟା କରିଥିଲେ ଓ ମୃତଦେହକୁ ଟାଙ୍ଗି ଆତ୍ମହତ୍ୟାର ରୂପ ଦେଇଥିଲେ। ରାତିରେ ଯେଉଁମାନେ ଚନ୍ଦ୍ରିକାଙ୍କ ମୃତଦେହ ଦେଖିଥିଲେ ସେମାନେ ବିଶ୍ୱାସ କରିଥିଲେ ଯେ ସେ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ସକାଳେ ପରିବାର ଲୋକ ଅନ୍ୟମାନଙ୍କୁ କହିଥିଲେ ଯେ ଚନ୍ଦ୍ରିକାଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଛି।
ପୁଲିସ୍ ଟେକ୍ନିକାଲ ଆନାଲିସ, ପରିସ୍ଥିତି ଜନକ ପ୍ରମାଣ ଓ ବଦଳୁଥିବା ବୟାନକୁ ଆଧାର କରି ଏହା ଗୋଟିଏ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ନିଶ୍ଚିତ ହୋଇଥିଲା। ଏହାପରେ ପରିବାରର ଦୁଇ ଜଣଙ୍କୁ ଗିରଫ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Harish_1755166050.jpg)