Advertisment

ମନ୍ତ୍ର ଶିଖିବାର ନିଶା! ଦେଢ ବର୍ଷର ଝିଅକୁ ବଳି ଦେଇ କଲିଜା ଖାଇଲା ମାଆ

ଆଜିର ଆଧୁନିକ ସମାଜରେ ଏପରି କିଛି ଅନ୍ଧବିଶ୍ୱାସୀ ଅଛନ୍ତି, ଯେଉଁମାନେ କଳାଯାଦୁର ଫାସରେ ପଡ଼ି ନିଜର ବୁଦ୍ଧି, ବିଚାର ଆଉ ମଣିଷପଣିଆକୁ ହରାଇ ବସୁଛନ୍ତି।

author-image
Debibandita Barick
Candle

Candle

ଅନ୍ଧ ଦେଖିପାରେନି ସତ, ହେଲେ ଭଲ-ମନ୍ଦର ବିଚାର କରିପାରେ ନିଶ୍ଚୟ। କିନ୍ତୁ ଦେଖି ପାରୁଥିବା ଆଜିର ଆଧୁନିକ ସମାଜରେ ଏପରି କିଛି ଅନ୍ଧବିଶ୍ୱାସୀ ଅଛନ୍ତି, ଯେଉଁମାନେ କଳାଯାଦୁର ଫାସରେ ପଡ଼ି ନିଜର ବୁଦ୍ଧି, ବିଚାର ଆଉ ମଣିଷପଣିଆକୁ ହରାଇ ବସୁଛନ୍ତି। ଝାଡ଼ଖଣ୍ଡର ଜଣେ ମହିଳା ଠିକ୍ ଏପରି କିଛି କରିଛନ୍ତି। ମନ୍ତ୍ର ଜାଣିବା ପାଇଁ ନିଜର ଦେଢ଼ ବର୍ଷର ଝିଅକୁ ବଳି ଦେଇ ତା କଲିଜା ଖାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ମହିଳା ଜଣକ ହେଉଛନ୍ତି ଝାଡ଼ଖଣ୍ଡର ପାଲାମୁ ଅଞ୍ଚଳର ଗୀତା ଦେବୀ। ପୁଲିସ ତାଙ୍କୁ ଗିରଫ କରିବା ପରେ ନିଜର ଅପରାଧ ସ୍ୱୀକାର କରିଛନ୍ତି।

ସେ ପୁଲିସକୁ କହିଛନ୍ତି ଯେ, ତାଙ୍କର ତନ୍ତ୍ର-ମନ୍ତ୍ର ଶିଖିବାକୁ ଖୁବ୍ ଆଗ୍ରହ ଥିଲା। ଯଦି ସେ ତାଙ୍କ ସ୍ୱାମୀ ଓ ଝିଅକୁ ମାରି ଦିଅନ୍ତି, ତେବେ ମନ୍ତ୍ର ଶିଖିପାରିବେ ବୋଲି ସ୍ୱପ୍ନ ଦେଖିଥିଲେ। ଏହି ସ୍ୱପ୍ନ ଅନୁସାରେ ସେ ଝିଅକୁ ମାରିବାର ଯୋଜନା କରିଥିଲେ। 

Advertisment

ଏଥିପାଇଁ ସେ ପ୍ରଥମେ ବଜାରକୁ ଯାଇ ସେଠାରୁ ପୂଜା ପାଇଁ କିଛି ଚୁଡ଼ି, ଡ୍ରେସ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆଣିଥିଲେ। ସେହି ଦିନ ସନ୍ଧ୍ୟାରେ ଏହି ସବୁ ସାମଗ୍ରୀ ସହ ଝିଅକୁ ନେଇ ଘରଠାରୁ ଦୁଇ କିଲୋମିଟର ଦୂରରେ ଥିବା ସିକ୍ନି ବରବଧୋରା ଜଙ୍ଗଲକୁ ଯାଇଥିଲେ। ସେଠାରେ ଝିଅ ଶରୀରରୁ ଡ୍ରେସ୍ ବାହାର କରିଦେବା ସହ ନିଜେ ପିନ୍ଧିଥିବା ଶାଢି ଖୋଲି କିଛି ସମୟ ନାଚିଥିଲେ। 

ଏହା ପରେ ଝିଅର ତଣ୍ଟି କାଟି ବଳି ଦେଇଥିଲେ। କେବଳ ବଳି ଦେଇ ନଥିଲେ, ଝିଅର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସେଥିରୁ କଲିଜା ବାହାର କରି ସେହିଠାରେ ଖାଇଥିଲେ। କଲିଜା ଖାଇବା ପରେ ମୃତଦେହକୁ ପୋତି ଦେଇଥିଲେ। କଳା ଯାଦୁ ଶିଖିବାର ନିଶା ଏପରି ଘାରିଥିଲା ଯେ, ମହିଳା ଜଣକ ଜଙ୍ଗଲରୁ ବି ଉଲଗ୍ନ ଅବସ୍ଥାରେ ଫେରିଥିଲେ। ତାଙ୍କର ଏପରି ଅବସ୍ଥା ଦେଖି ପରିବାର ଓ ପଡୋଶୀ ପଚରା ଉଚରା କରିଥିଲେ। ତାଙ୍କ ଶାଶୁ ଝିଅ ବିଷରେ ପଚାରିବାରୁ ସେ ମାରି ଦେଇଥିବା ମାନିଛନ୍ତି। 

ପରିବାର ଲୋକଙ୍କ କହିବା ଅନୁସାରେ, ମହିଳାଙ୍କ ସ୍ୱାମୀ ଦିଲ୍ଲୀରେ ରୁହନ୍ତି। ଏନେଇ ସେମାନେ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ ତାଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି। 

Mother Killed Child Mother Sacrifice Daughter Black Magic