/odisha-reporter/media/post_attachments/uploadimage/library/16_9/16_9_0/CCTV_1750688285.jpg)
CCTV
ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ଅସଦାଚରଣ କରାଯିବା ସହ ମାଡ଼ ମରାଯାଇ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଛି। ବେଙ୍ଗାଲୁରୁ ଉପକଣ୍ଠରେ ରବିବାର ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି। ମହିଳା ଜଣଙ୍କ ରବିବାର ଅପରାହ୍ନ ୪ଟା ବେଳେ ରେଣୁକା ୟେଲ୍ଲାମା ଲେଆଉଟରୁ ସଉଦା କିଣିବାକୁ ଯାଇଥିଲେ।
ସେ ଦୋକାନ ଯାଉଥିବା ବେଳେ ହଠାତ୍ କିଛି ବ୍ୟକ୍ତି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହାପରେ ସେମାନେ ତାଙ୍କ ପିଛା କରିବା ସହ ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁବାକୁ ଚାହିଁଥିଲେ। ମହିଳା ଜଣଙ୍କ କୌଣସି ପ୍ରକାରର ଉତ୍ତର ଦେଇ ଚାଲି ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।
ଏହାକୁ ମହିଳା ଜଣଙ୍କ ବିରୋଧ କରିବାରୁ ସେମାନେ ମିଳିତ ଭାବେ ତାଙ୍କୁ ମାଡ଼ ମାରିଥିଲେ। ମହିଳା ଜଣଙ୍କୁ ସେମାନେ ଆପତ୍ତିଜନକ ଭାବେ ଛୁଇଁବାରୁ ସେ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। କିଛି ସମୟ ଧରି ଏମିତି ଧକ୍କାମରା ମରି ଚାଲିଥିଲା। ଏହି ସମୟରେ ମହିଳା ଜଣଙ୍କ ତାଙ୍କର ବନ୍ଧୁଙ୍କୁ ଫୋନ କରି ଡାକିଥିଲେ। ବନ୍ଧୁ ଜଣଙ୍କ ଜିମ ଟ୍ରେନର ହୋଇଥିବାରୁ ସେ ଲଢ଼େଇ କରି ମହିଳାଙ୍କୁ ସ୍ଥାନୀୟ ଲୋକ ସହାୟତାରେ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିଥିଲେ। କିଛି ସ୍ଥାନୀୟ ଲୋକ ମଧ୍ୟ ଅସଦାଚରଣ କରୁଥିବା ବ୍ୟକ୍ତିମାନଙ୍କୁ ମାଡ଼ ମାରିଥିଲେ।
ଏହାପରେ ସବୁ କିଛି ଶାନ୍ତ ପଡ଼ିଥିଲା ଓ ମହିଳା ଜଣଙ୍କ ତାଙ୍କ ଘରକୁ ଯାଇଥିଲେ। ହେଲେ କିଛି ସମୟ ପରେ ଆକ୍ରମଣକାରୀମାନେ ମହିଳାଙ୍କ ଘର ନିକଟରେ ପହଞ୍ଚିଥିଲେ। ତାଙ୍କୁ ଉଦ୍ଧାର କରିଥିବା ପଡ଼ୋଶୀଙ୍କ ଘରେ ପଶି ସେମାନଙ୍କୁ ମାଡ଼ ମାରିଥିଲେ। ଏସବୁ ମଧ୍ୟ ସିସିଟିଭିରେ କଏଦ ହୋଇଛି।
ମହିଳା ଜଣଙ୍କ କହିଛନ୍ତି, “ରବିବାର ମୁଁ ଦୋକାନକୁ ଯାଉଥିବା ବେଳେ କିଛି ଲୋକ ରାସ୍ତା ମଝିରେ ପରସ୍ପର ସହ ମାରପିଟ କରୁଥିବା ଦେଖିଥିଲି। ସେମାନେ ମୋତେ ଦେଖିବା ମାତ୍ରେ ଅଟକାଇଥିଲେ ଓ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ସେମାନେ ସମସ୍ତେ ନିଶାସକ୍ତ ଅବସ୍ଥାରେ ଥିଲେ ଓ ମୋତେ ଅସଦାଚରଣ କରିଥିଲେ। ଏହାପରେ କିଛି ଲୋକ ମୋତେ ସହାୟତା ପାଇଁ ଆଗେଇ ଆସିଥିଲେ। ସମ୍ଭବତଃ ସେମାନେ ମଦ ଓ ଗଞ୍ଜେଇ ସେବନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେମାନେ ମୋତେ ସହଯୋଗ କରିଥିବା ସ୍ଥାନୀୟ ଲୋକଙ୍କୁ ମଧ୍ୟ ମାଡ଼ ମାରିଛନ୍ତି। ସେମାନେ ମୋତେ ବି ପିଟିଛନ୍ତି।”
ମହିଳା ଜଣଙ୍କ ବାନ୍ନେରଘାଟ ପୁଲିସ୍ ନିକଟରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଘଟଣା ବେଳେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ କରିଥିଲେ। ତାଙ୍କୁ ହଇରାଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ତାଙ୍କ ବନ୍ଧୁ ମାଡ଼ ମାରିଥିଲେ। ପୁଲିସ୍ ତାଙ୍କ ବନ୍ଧୁଙ୍କୁ ଗିରଫ କରିଛି। ହେଲେ ମହିଳାଙ୍କୁ ଅସଦାଚରଣ କରିଥିବା ଲୋକଙ୍କୁ ଗିରଫ କରିବାରେ ସକ୍ଷମ ହୋଇନି। ମହିଳା ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଥିବା କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
