Advertisment

ପ୍ରେମିକ ପାଇଁ ନିଜ ମଥାର ସିନ୍ଦୂର ପୋଛିଦେଲେ ମହିଳା!

ପ୍ରେମରେ ପ୍ରତିବନ୍ଧକ ସାଜୁଥିବାରୁ ସ୍ୱାମୀ ନିଶ୍ଚଳଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ପତ୍ନୀ ସୁଭାଷିନୀ।

author-image
Manoranjan Sial
Two accused from left, Death husband Nischal Ranjan Mohapatra

Two accused from left, Death husband Nischal Ranjan Mohapatra

ସାତ ଜନମର ସାଥୀ ସହ ସଂସାର ଗଢ଼ିବାକୁ ଆସିଥିଲେ। ହେଲେ ଏଇ ଜନମରେ ନିଜ କପାଳରୁ ସିନ୍ଦୂର ପୋଛିଦେଲେ ମହିଳା। ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ପୋଡ଼ି ମାରିଦେଲେ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରୁ। ଏନେଇ ଅଭିଯୋଗ ହେବାପରେ ପୁଲିସ ମାମଲା ରୁଜୁ କରି ମହିଳା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଗୋବିନ୍ଦପୁର ଥାନା ନୋଦା ଡିମିରି ଗାଁରେ ନିଶ୍ଚଳ ରଞ୍ଜନ ମହାପାତ୍ରଙ୍କ ଘର। ହେଲେ ସେ ପାରାଦୀପରେ ଏକ କମ୍ପାନୀରେ ଠିକା କର୍ମଚାରୀ ଭାବେ କାମ କରନ୍ତି। ତେଣୁ ପ୍ରତିଦିନ ସେ ଘରକୁ ଆସି ପାରନ୍ତି ନାହିଁ। ବେଳେ ବେଳେ ଘରକୁ ଆସନ୍ତି। ଏହାର ସୁଯୋଗ ନେଇ ବନ୍ଧୁ ପୂର୍ଣ୍ଣଚନ୍ଦ୍ର ମହାରଣା, ନିଶ୍ଚଳଙ୍କ ଘରକୁ ଯିବା ଆସିବା କରୁଥିଲେ। ଆଉ ତାଙ୍କ ପତ୍ନୀ ସୁଭାଷିନୀଙ୍କ ସହିତ ରଖୁଥିଲେ ସମ୍ପର୍କ। ସ୍ୱାମୀଙ୍କ ଅନୁପସ୍ଥିତିରେ ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରେମରେ ପଡ଼ିଯାଇଥିଲେ ସୁଭାଷିନୀ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହି ପ୍ରେମରେ ପ୍ରତିବନ୍ଧକ ସାଜିଥିଲେ ନିଶ୍ଚଳ।

ପ୍ରେମରେ ପ୍ରତିବନ୍ଧକ ସାଜୁଥିବାରୁ ସ୍ୱାମୀ ନିଶ୍ଚଳଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ପତ୍ନୀ ସୁଭାଷିନୀ। ଯୋଜନା ମୁତାବକ ଡିସେମ୍ବର ୧ ତାରିଖ ରାତିରେ ନିଶ୍ଚଳଙ୍କୁ ଡାକାଇଥିଲେ ପୂର୍ଣ୍ଣଚନ୍ଦ୍ର। ସାଙ୍ଗର ଡାକରା ପାଇ ଧାଇଁ ଆସିଥିଲେ ପୂର୍ଣ୍ଣଚନ୍ଦ୍ର। ତା’ପରେ ନିଶ୍ଚଳଙ୍କୁ ଧରି ଚୌଦ୍ଵାର ବଧି ପଡ଼ିଆକୁ ଯାଇଥିଲେ ପୂର୍ଣ୍ଣଚନ୍ଦ୍ର। ସେଠାରେ ଉଭୟ ମିଶି ବହେ ମଦ ପିଇଥିଲେ। ମଦ ନିଶାରେ ଚାଲିବା ସ୍ଥିତିରେ ନଥିଲେ ନିଶ୍ଚଳ। ସେହି ସମୟରେ ତାଙ୍କ ଦେହରେ ପଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିଲେ ପୂର୍ଣ୍ଣଚନ୍ଦ୍ର। ଦେହରେ ନିଆଁ ଲାଗିବା ପରେ ଚିତ୍କାର କରିଥିଲେ ନିଶ୍ଚଳ। ପୂରା ଦେହ ପୋଡ଼ି ଯାଇଥିଲା। କିଛି ସମୟ ପରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମେଡ଼ିକାଲ୍‌ରେ ପହଞ୍ଚିଲା ବେଳକୁ ନିଶ୍ଚଳଙ୍କ ପୂରା ଶରୀର ପୋଡ଼ି ଯାଇଥିଲା। ତେଣୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଚଳାଥିଲା। ତଦନ୍ତ ବେଳେ ସନ୍ଦେହ ଘେରକୁ ଆସିଥିଲେ ପତ୍ନୀ ସୁଭାଷିନୀ। ତା’ପରେ ତାଙ୍କ ପ୍ରେମିକ ପୂର୍ଣ୍ଣଚନ୍ଦ୍ର। ପୁଲିସ ଉଭୟଙ୍କୁ ଜେରା ବେଳେ ସବୁ ଦୋଷ ସ୍ୱୀକାର କରିଥିଲେ। ଏହା ପରେ ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

ରିପୋର୍ଟ- ଚୌଦ୍ୱାରରୁ ପ୍ରକାଶ ସାହୁ